• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉଜୁଡ଼ିଗଲା ପରିବାର । ପାହିଲାନି ରାତି, ଉଇଁଲାନି ସୂର୍ଯ୍ୟ । ନୂଆବର୍ଷର ପ୍ରଥମ ସୁନେଲି ସୂର୍ଯ୍ୟ କିରଣ ଦେଖିବା ଆଗରୁ ଆଖି ବୁଜିଦେଲେ ଗୋଟିଏ ପରିବାରର ୫ଜଣ ସଦସ୍ୟ । ଗତକାଲି ଅର୍ତାତ୍‌ ରବିବାର ଦିନ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । କୌଣସି କାରଣକୁ ନେଇ ଗୋଟିଏ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି ।

ମୃତ ୫ଜଣଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ରହିଥିବାବେଳେ ୨ଜଣ ଝିଅ ଓ ଜଣେ ନାତୁଣୀ ରହିଛନ୍ତି । ସ୍ୱାମୀ ମନମୋହନ ସିଂ, ତାଙ୍କ ପତ୍ନୀ ସରବଜିତ୍ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କର ଦୁଇ ଝିଅ ଜ୍ୟୋତି ଏବଂ ଗୋପୀ ମଧ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି । ଜ୍ୟୋତିଙ୍କ ବିବାହ ହୋଇସାରି ଥିବାରୁ ତାଙ୍କର ଏକ ୩ ବର୍ଷର ଝିଅ ଥିଲା । ଶିଶୁଟିର ମଧ୍ୟ ସେଠାରେ ମୃତ୍ୟୁ ହୋଇଛି ।

ଏପରି ଏକ ଘଟଣା ରବିବାର ଦିନ ପଞ୍ଜାବର ଜଳନ୍ଧର ଜିଲ୍ଲାରୁ ଆସିଛି । ପରିବାରର ସଦସ୍ୟମାନେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ବୋଲିସ ତଦନ୍ତ ଚଳାଇଛି । ପୋଲିସ କହିବା ଅନୁସାରେ ଋଣଗ୍ରସ୍ତ ଯୋଗୁ ଏପରି ଘଟିଥିବା ଅନୁମାନ କରାଯାଉଛି ।

ମୃତ ମନମୋହନ ସିଂଙ୍କ ପୁତୁରା କହିଛନ୍ତି ଯେ, କିଛି ସମୟ ଧରି ପରିବାରକୁ ସେ ବାରମ୍ବାର ଫୋନ୍‌ ଲଗାଇଥିଲେ । ହେଲେ ବହୁ ରିଂଗ ହେବାପରେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ । ତେଣୁ ସେ ଘରକୁ ଆସିଥିଲେ । ଘରକୁ ଆସି ଦେଖିବା ବେଳକୁ ମନମୋହନ ଓ ସରବଜିତ୍ ଉଭୟ ଫ୍ୟାନ୍‌ରେ ଝୁଲୁଥିଲେ । ଏବଂ ଅନ୍ୟ ତିନିଜଣ ଖଟ ଉପରେ ପଡ଼ିରହିଥିଲେ ।

ଏହି ଘଟଣା ଦେଖିବାପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ପୋଲିସ ପାଇଥିଲା । ଯେଉଁଥିରେ ଋଣ ଓ ବିବାଦକୁ ନେଇ ସେମାନେ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି । ହେଲେ ପୋଲିସ ସମସ୍ତ ମୃତଦହେକୁ ଉଦ୍ଧାର କରିବା ପରେ ଶବବ୍ୟବଚ୍ଚେଦ ପାଇଁ ଡାକ୍ତରଖାନାକୁ ପଠାଇଦେଇଛି ।