/odishatv-khabar/media/post_attachments/uploadimage/library/16_9/16_9_0/Pulwama_1676308473.jpg)
Pulwama
ପୁଲୱାମା ଆକ୍ରମଣକୁ ଆଜିକୁ ୪ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୪ ବର୍ଷ ପୂରିଯାଇଛି। ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି, ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି ।
ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।
ଅଧିକ ପଢ଼ନ୍ତୁ: ପୁଲ୍ୱାମା ଆକ୍ରମଣର ଜବାବରେ ଆଜିଯାଏ ବି ମୁଣ୍ଡ ଉଠେଇ ପାରୁନି ଆତଙ୍କବାଦ
ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଭୟଙ୍କର ଶବ୍ଦ । ଆଉ ତା ପରର ଏହି ଦୃଶ୍ୟକୁ ଦେଖିଲେ ଆପଣ ବି ନିରବୀ ଯାଇଥିବେ.... ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ହୁଏତ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ।
ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।
କାଳ ରୁପକ କାର୍ଟି ଯବାନଙ୍କ ଗୋଟିଏ ଗାଡିକୁ ଏଭଳି ଭାବେ ଧକ୍କା ଦେଲା ଯେ ବସ୍ ର ପାର୍ଟସ୍ ବି ଖଣ୍ଡବିଖଣ୍ଡିତ ହୋଇଗଲା । ଆଖି ପିଛୁଳାକେ ଆଖି ବୁଜିଦେଲେ ଭାରତମାତାର ୪୦ ବୀର ସନ୍ତାନ । ସାଥି ଯବାନମାନେ କ’ଣ ହେଲା ବୋଲି ଦେଖିବା କ୍ଷଣି ହିଁ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣ ଆରମ୍ଭ ହୋଇଗଲା । ଯବାନଙ୍କ କାଉଣ୍ଟର ଆଟାକ୍ ରେ ଆତଙ୍କୀମାନେ ସେଠାରୁ ଚାଲିଯାଇଥିଲେ । ଧମାକା ଏତେ ଅଧିକ ଥିଲା ଯେ ଉକ୍ତ ସ୍ଥାନ କିଛି ସମୟ ପାଇଁ ଧୂଆଁମୟ ହୋଇଗଲା । ଆଉ ଧୂଆଁ ହଟିବା ପରେ ଯେଉଁ ଦୃଶ୍ୟ ସାମ୍ନାରେ ଥିଲା ତାହା ଅବର୍ଣ୍ଣଣୀୟ...ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ଏହି ଆକ୍ରମଣ କରିଥିବା କଥା ସ୍ୱୀକାର କରିଥିଲା....ତେବେ ଆଜି ବି ସେହି ଭୟଙ୍କର ଦିନ କଥା ମନେ ପଡିଲେ ଆଖିରୁ ଝରିପଡେ ଲୁହ, ଛାତିରୁ ଉଠେ କୋହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)