• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଡ୍ରେନ୍‌ ନେଲା ୪ଜଣଙ୍କ ଜୀବନ । ଶ୍ୱାସରୁଦ୍ଧ ହୋଇ ଜଣକ ପରେ ଜଣକଙ୍କର ହେଲା ମୃତ୍ୟୁ । ନିଜ ଚାଷ ଜମିରେ ଥିବା ଡ୍ରେନ୍‌କୁ ସଫା କରିବାକୁ ଯାଇ ଏପରି ଏକ ଦୁଃଖଦ ଘଟଣା ଘଟିଛି । ସୂଚନା ମୁତାବକ ଜଣେ ଚାଷୀ ତାଙ୍କ ଚାଷ ଜମି ନିକଟରେ ଏକ ଡ୍ରେନ୍‌ ତିଆରି କରିଥିଲେ । ଆଉ ସେହି ଡ୍ରେନ୍‌କୁ ସଫା କରିବାକୁ ଯାଇ ତାଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନିଜଣଙ୍କ ମଧ୍ୟ ଜୀବନ ଯାଇଛି ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ବାରମତି ତହସିଲ ଅଧିନରେ ଥିବା ଏକ ଡ୍ରେନେଜ୍‌ କୂଅ ମଧ୍ୟରେ ପଶି ସଫେଇ କରିବା ସମୟରେ ଜଣକ ପରେ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିବା ସିହ ସମସ୍ତ ୪ଜଣଙ୍କ ମୃତଦେହ ଜବତ କରିଛି ।

ପୋଲିସର କହିବା ଅନୁସାରେ ମୃତ ଚାଷୀ ଜଣକ ହେଉଛନ୍ତି ପ୍ରବୀଣ ଅଟୋଲ । ସେ ତାଙ୍କ ଚାଷ ଜମିରେ ଏକ ଡ୍ରେନ୍‌ ପାଇଁ କୂଅ ତିଆରି କରିଥିଲେ । ସେଥିରେ ଗାଈର ଗୋବର ଓ ଗୋ-ମୂତ୍ର ଛାଡ଼ୁଥିଲେ । ହେଲେ ଡ୍ରେନ୍‌ଟି ପୂରଣ ହୋଇଯିବାରୁ ତାକୁ ସଫା କରିବାକୁ ସେଠାକୁ ପ୍ରବୀଣ ଯାଇଥିଲେ । ଡ୍ରେନ୍‌ ସଫାକରିବା ସମୟରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ।

ପ୍ରବୀଣ ଡ୍ରେନ୍‌ ଭିତରୁ ନବାହାରିବାରୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ତିନିଜଣ ବ୍ୟକ୍ତି ଜଣକ ପରେ ଜଣେ ଡ୍ରେନ୍‌ ଭିତରକୁ ପ୍ରବେଶ କରିଥିଲେ । ହେଲେ ସେମାନେ ମଧ୍ୟ ଡ୍ରେନ୍‌ ଭିତରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରେ ପରେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ପୋଲିସ ସୂଚନା ଦେଇଛି ।