• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ । ୪ ଶହ କୋଟି ଟଙ୍କା ଦିଅ, ନ ହେଲେ ହତ୍ୟା କରାଯିବ । ଏପରି ଧମକ ମିଳିଛି ମୁକେଶଙ୍କୁ । ଇ ମେଲରେ ଏହି ଧମକ ଦିଆ ଯାଇଥିବା ଜଣା ପଡ଼ିଛି । ତେବେ ସବୁଠାରୁ ରୋଚକ କଥା ହେଉଛି ଗତ ୩ ଦିନ ଭିତରେ ଏହା ହେଉଛି ସଂପୃକ୍ତ ବ୍ୟକ୍ତିର ତୃତୀୟ ହତ୍ୟା ଧମକ ।

ପୂର୍ବରୁ ମଧ୍ୟ ସେ ଦୁଇ ଦୁଇ ଥର ଧମକ ଦେଇ ୨୦ କୋଟି ଟଙ୍କା ମାଗିଥିଲା । ବର୍ତ୍ତମାନ ଇ-ମେଲ୍ ରେ ଲେଖିଛି, ଆଗରୁ ୨ଟି ମେଲ୍ କୁ ଅଣଦେଖା କରିଥିବାରୁ ଏବେ ୪୦୦ କୋଟି ଟଙ୍କା ଦେବାକୁ ପଡ଼ିବ । ମୁମ୍ବାଇ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଦେଶର ବିଶିଷ୍ଟ ଶିଳ୍ପପତି, ଏକ ନମ୍ବର ଧନୀ, ରିଲାଏନ୍ସର ମାଲିକ ମୁକେଶ ଅମ୍ବାନିଙ୍କୁ ଏଭଳି ଧମକ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ଆଗରୁ କିଛି ବର୍ଷ ତଳେ ମୁମ୍ବାଇ ପୋଲିସର ଜଣେ ଇନସପେକ୍ଟର ଅମ୍ବାନିଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଗାଡ଼ି ରଖିଥିଲେ । ସେତେବେଳେ ମଧ୍ୟ ଏହା ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ପରେ ସେହି ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ବଟି ଆଦାୟ ଉଦ୍ଦେଶ୍ୟରେ ସେ ଏପରି କରିଥିବା ଜଣା ପଡ଼ିଥିଲା । ପ୍ରଥମ ଦୁଇଟି ଧମକର ଠିକଣା ମିଳି ନଥିବା ବେଳେ ବର୍ତ୍ତମାନ ଏ ତୃତୀୟ ଧମକ ପୋଲିସ ପାଇଁ ମୁଣ୍ତ ବିନ୍ଧାର କାରଣ ପାଲଟିଛି । ପ୍ରଥମ ଦୁଇଟି ଧମକର ଆଇପି ଆଡ୍ରେସକୁ ଟ୍ରେସ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି ।

ତେବେ ଏହା ବେଲଜିୟମ କିମ୍ବା ଆଖପାଖ ଅଞ୍ଚଳରୁ ଆସିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣକ ଦେଶ ବାହାରେ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବୋଲି ପୋଲିସ କହିଛି । ଗତ ଶୁକ୍ରବାର ଦିନ ପ୍ରଥମେ ୨୦ କୋଟି ଟଙ୍କା ଦାବି କରି ଅଭିଯୁକ୍ତ ଜଣକ ପ୍ରଥମ ଇ-ମେଲ ପଠାଇଥିଲା ।

ପରେ ଶନିବାର ଆଉ ୨୦୦ କୋଟି ଟଙ୍କା ଦାବି କରି ପୁଣି ଥରେ ମେଲ କରିଥିଲା । ତେବେ କେବଳ ଧମକ ପାଇଁ ଏପରି କିଛି ମେଲ ଆଇଡି ତିଆରି ହୋଇଥିବା ପୋଲିସ କହିଛି । ଏହି କେସରେ ମହାରାଷ୍ଟ୍ର ପୋଲିସ ସହ ସାଇବର ଟିମ ମଧ୍ୟ କାର୍ଯ୍ୟ କରୁଛି ।

ଟଙ୍କା ପାଇଁ ଆଜିକାଲି ଲୋକମାନେ କିଛି ମଧ୍ୟ କରିବାକୁ ପଛାଉ ନାହାନ୍ତି । ଏପରି ଅବସ୍ଥାରେ କିଏ ଓ କାହାଁକି ଏପରି ହତ୍ୟା ଧମକ ଦେଇଛି, ତାହା ପୋଲିସ ପାଇଁ ପ୍ରମୁଖ ଚାଲେଞ୍ଜ ଭାବେ ଉଭା ହୋଇଛି ।