/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662889882.jpg)
Uttarakhand
ଉତ୍ତରାଖଣ୍ତର ପିଥୋରାଗଡର ଧରଚୁଲାରେ ଭୟଙ୍କର ସ୍ଥିତି । ହଠାତ୍ ବାଦଲଫଟା ବର୍ଷା ହେବା କାରଣରୁ ଛିନଛତର ହୋଇଯାଇଛି ପାହାଡ ତଳ ଅଂଚଳ । ପାଣି ଏତେ ଜୋରରେ ମାଡି ଆସିଲା ଯେ କିଏ କୁଆଡେ ଯିବେ କିଛି ବୁଝିପାରିଲେନି ।
ଶୁକ୍ରବାର ରାତିରେ ପିଥୋରାଗଡର ଧରଚୁଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଯାଇଛି । ପାହାଡ ଉପରୁ ଏତେ ଜୋରରେ ବର୍ଷା ପାଣି ବୋହି ଆସିଲା ଯେ ଗାଡି ମଟର ସହ ଶହଶହ ଘରଦ୍ୱାରକୁ ଭସାଇ ନେଲା । ଘର ଗୁଡିକ ଭାଙ୍ଗି ସୁଅରେ ବୋହି ଯାଉଛି । ବର୍ଷା ପାଣି ମାଡରେ ରାସ୍ତାରେ ପାର୍କିଂ ହୋଇଥିବା ଗାଡି ଗୁଡିକ ମଧ୍ୟ ଭାସିଯାଇଛି । ଯାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ଖୋଟିଲା, ଗୱାଲ୍ ଗାଁର ମଲ୍ଲୀ ବଜାରରେ ସବୁଠୁ ଅଧିକ ଗାଡି ଭାସିଯାଇଥିବା କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାଦଲ ଫଟା ବର୍ଷାରେ କେତେ ଲୋକ ନିଖୋଜ ଅଛନ୍ତି ସେନେଇ କୌଣସି ସୂଚନା ପ୍ରଶାସନ ପକ୍ଷରୁ ଦିଆଯାଇନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ରାତିରେ ହଠାତ୍ ଭୟଙ୍କର ଭାବରେ ବର୍ଷା ହୋଇଥିଲା । ଆଉ ଏହି ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ଘର ଭିତରେ ପଶିଥିଲା କାଦୁଅ ଓ ଗୋଳିଆ ପାଣି । ନିଜେ ସୁରକ୍ଷିତ ରହିବେ ନା ଘରର ଜିନିଷ ସୁରକ୍ଷିତ ରଖିବେ କିଛି ଭାବିପାରିନଥିଲେ ଲୋକେ। ସମୟ ଯେତିକି ବଢୁଥିଲା, ପାଣିର ବେଗ ଓ ବର୍ଷା ବି ସେତିକି ବଢୁଥିଲା। ତେଣୁ ଜୀବନକୁ ବଂଚାଇବା ପାଇଁ ଘର ଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ ଲୋକେ ।
ସେପଟେ ପାଣିପାଗକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଓ SDRF ସତର୍କ ରହିଥିବା ଜଣାପଡିଛି । ଏମିତିକି ଦରକାର ପଡିଲେ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ କହିଛି । ପାହାଡିଆ ସ୍ଥାନରେ ଅନେକ ଘର ଭାଙ୍ଗିଯାଇଥିବା ବେଳେ କିଛି ଘର ବନ୍ୟା ପାଣିରେ ଭାସିଯାଇଥିବା କୁହାଯାଉଛି । ନଦୀ ଗୁଡିକରେ ପାଣି ବଢୁଥିବା କାରଣରୁ ଲୋକଙ୍କୁ ସତର୍କ କରାଯାଇଛି। ଏମିତିକି କାଳି ନଈ ବର୍ତ୍ତମାନ ରୁଦ୍ର ରୂପ ଧାରଣ କରିଥିବା କୁହାଯାଉଛି।
ପ୍ରଶାସନ ଦେଇଥିବା ସୂଚନା ଅନୁସାରେ , ପ୍ରବଳ ବର୍ଷାରେ କାଳି ନଈରେ ଏକ ବିରାଟ ପଥର ଖଣ୍ଡ ଭାସିଆସିବାରୁ ପାଣି ପ୍ରବାହିତ କମିଥିଲା । ଆଉ ପଥର ହଟିଯିବା ପରେ ନଈରେ ହଠାତ୍ ଜୋରରେ ପାଣି ପ୍ରବାହିତ ହୋଇଥିଲା । ତେଣୁ ଏମିତି ସ୍ଥିତି ଉପୁଜିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପିଥୋରାଗଡ ବାସୀ । ତେବେ ଏହି ବର୍ଷାରେ ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ରିପୋର୍ଟର- ଅରବିନ୍ଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)