• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶରୁ ହଟିବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । IPC, CRPC ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ୍ ଆଣିବାକୁ ଆଜି ଲୋକସଭାରେ ବିଲ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ସେହିପରି ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବର୍ଷରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି । ଯେକୌଣସି ଅପରାଧିକ ମାମଲାରେ ସମସ୍ତ ପ୍ରକ୍ରିୟା ସାରି ସମୁଦାୟ ୩ ବର୍ଷ ଭିତରେ ପୀଡ଼ିତଙ୍କୁ ନ୍ୟାୟ ମିଳିବ ।

ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ଅପରାଧିକ ନ୍ୟାୟ ପ୍ରଣାଳୀରେ ହେବ ଆମୂଳଚୂଳ ପରିବର୍ତ୍ତନ ଭାରତୀୟ ଦଣ୍ଡ ବିଧି ଆଇନରେ ହେବ ବ୍ୟାପକ ସଂସ୍କାର ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଶେଷ ଦିନରେ ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଯଥାକ୍ରମେ ୧୮୬୦ ମସିହାରୁ ପ୍ରଚଳିତ IPC ବଦଳରେ ଭାରତୀୟ ନ୍ୟାୟ ସଂହିତା, ୧୮୯୮ରୁ ପ୍ରଚଳିତ CRPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ୧୮୭୨ରୁ ପ୍ରଚଳିତ Indian Evidence Act  ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଲ୍ ଉପସ୍ଥାପନ କରିଛନ୍ତି ।

ବିଲ୍ ଆଗତ କରି ଗୃହମମନ୍ତ୍ରୀ କହିଛନ୍ତି, ନୂଆ ଆଇନରେ ଦଣ୍ଡ ପ୍ରଦାନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ନ୍ୟାୟ ଦେବା ମୁଖ୍ୟ ଉଦ୍ଦେଶ୍ୟ । ପୂର୍ବରୁ ଆଇପିସିରେ ଥିବା ୫୧୧ଟି ଧାରାରୁ ଏବେ ୩୫୬କୁ ଖସିବ । ୧୭୫ଟିରେ ପରିବର୍ତ୍ତନ ସହ ୮ ନୂଆ ଧାରା ଯୋଡ଼ାଯିବ ଓ ୨୨ଟି ଅନାବଶ୍ୟକ ଧାରା ହଟିବ। ସେହିପରି ସିଆରପିସିରେ ୫୩୩ ଧାରା ରହିବ, ୧୬୦ଟି ବଦଳିବ ଓ ୯ ନୂଆ ଧାରା ଯୋଡ଼ା ଯିବା ସହ ୯ଟି ଉଚ୍ଛେଦ ହେବ । ନୂଆ ବିଲ୍ କାର୍ଯ୍ୟକାରୀ ହେଲେ ପୀଡ଼ିତକୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବ ।

ଏଥିସହ ନୂଆ ଫୌଜଦାରୀ ଆଇନ୍ ବିଲ୍ ଉପସ୍ଥାପନ କରି ଗୃହମନ୍ତ୍ରୀ ଶାହ ଆହୁରି ମଧ୍ୟ ସୂଚନା ଦେଇଛନ୍ତି- ଏଥିରେ ମହିଳା ଓ ଶିଶୁ ବିରୋଧୀ ହିଂସା ବିରୋଧରେ କଡ଼ା ଦଣ୍ଡ ବ୍ୟବସ୍ଥା ରହିଛି । ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରାବଧାନ ହୋଇଛି । ମବ୍ ଲିନଚିଂ ବା ଭିଡ଼ ହିଂସା ଜନିତ ହତ୍ୟାକୁ ବଡ଼ ଅପରାଧ ଭାବେ ବିବେଚନା କରାଯାଇ ଏଥିରେ ବି ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ହୋଇଛି । ୫ ଏବଂ ତାଠୁ ଅଧିକ ଲୋକ ଏକାଠି ହୋଇ ଜାତି- ସମୁଦାୟ ଓ ଭାଷା ଭଳି ଆଧାରରେ କୌଣସି ହତ୍ୟାକାଣ୍ଡ ଭିଆଇଲେ ଏଥିରେ ଦୋଷୀଙ୍କୁ ଅତିକମ୍ ରେ ୭ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ହୋଇପାରେ ।

ସେହିପରି ମହିଳାଙ୍କୁ ଗଣଦୁଷ୍କର୍ମ ସମ୍ପର୍କିତ ଯେ କୌଣସି ମାମଲାରେ ୨୦ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ହୋଇଛି । ୧୮ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ବି ଦିଆଯିବ ମୃତ୍ୟୁଦଣ୍ଡ । ଏଥିସହ ବିଲ୍ କାର୍ଯ୍ୟକାରୀ ହେଲେ ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବି ବଦଳିବ । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ୱ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ।

ନୂଆ ଫୌଜଦାରୀ ଆଇନ୍ ବିଲରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କ୍ରମେ ଏଣିକି ୯୦ ଦିନ ଭିତରେ ପୋଲିସ କୌଣସି ଅପରାଧିକ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବାଧ୍ୟ । ଯଦି କୋର୍ଟ ଚାହିଁବେ ଏଥିପାଇଁ ଅଧିକ ୯୦ ଦିନ ଦେଇ ପାରିବେ । ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ ଓ ତା’ପରେ ଶୁଣାଣି ଶେଷ କରି ତାର ସର୍ବାଧିକ ୩୦ଦିନ ଭିତରେ ରାୟ ଶୁଣାଇବେ କୋର୍ଟ ।

ପୁରା ପ୍ରକ୍ରିୟା ସର୍ବାଧିତ ୩ ବର୍ଷ ଭିତରେ ସରିବ। ଏଥିସହ ତଦନ୍ତ ସମୟରେ ଟେକ୍ନୋଲୋଜି ଓ ଫୋରେନସିକ୍ ବିଭାଗର ସହାୟତାକୁ ଗୁରୁତ୍ୱ  ଦିଆଯିବ । ଛୋଟ ମୋଟ ଅପରାଧ ପାଇଁ ଦୋଷୀଙ୍କୁ ସମାଜସେବା ଭଳି ଦଣ୍ଡ ବି ଦିଆଯିବ । ୨୦୧୯  ମସିହା ଅଗଷ୍ଟ ମାସରୁ ମୋଦି ସରକାର ବ୍ରିଟିଶ୍ ଆଇନରେ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି, ଲ ୟୁନିଭରସିଟିର ମତାମତ ସଂଗ୍ରହ କରାଯାଇଛି । ବିଲ୍‌କୁ ଅଧିକ ତର୍ଜମା ଲାଗି ସଂଦର ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯିବ ବୋଲି କହିଥିଲେ ଗୃହମନ୍ତ୍ରୀ ।

  • Reported by:
  • SIBANANDA ROUT