• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କର ସାଧାରଣ ସଭାରେ ପୁଣି ଦଳାଚକଟା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଗତ ୨୮ ତାରିଖରେ ନେଲୋର ପରେ ଗତକାଲି ଗୁଣ୍ଟୁରରେ ଘଟିଛି ଏହି ଅଘଟଣ ।

ମିଳିଥିବା ସୂଚନା ଅନୁଯାୟୀ ରାସନ କିଟ୍ ବଣ୍ଟନବେଳେ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ଚନ୍ଦ୍ରବାବୁ ନାଇଡ଼ୁ ଚାଲିଯିବା ପ‌ରେ ଦଳାଚକଟା ଆରମ୍ଭ ହୋଇଥିଲା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁହୋଇଛି, ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଉଛି ।

ତେଲଗୁ ଦେଶମ ପାର୍ଟି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ଗତ ୨୮ ତାରିଖରେ ମଧ୍ୟ ନାଇଡୁଙ୍କ ଏକ ସାଧାରଣ ସଭା ବେଳେ ଦଳାଚକଟା ହୋଇଥିଲା, ଯେଉଁଥିରେ ୮ ଜଣ ଟିଡିପି କର୍ମୀ ପ୍ରାଣ ହରାଇଥିଲେ... ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଆୟୋଜକମାନେ ଶାଢ଼ୀ ସମେତ ଉପହାର ବଣ୍ଟନ କରିବା ମାତ୍ରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ଫଳରେ ବ୍ୟାରିକେଡ ଭାଙ୍ଗି ପଡ଼ିଥିଲା, ଆଉ ଏଥିପାଇଁ ଦଳାଚକଟା ଆରମ୍ଭ ହୋଇଯାଇଥିଲା ।

ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ । ସେ କହିଛନ୍ତି, ମୃତକଙ୍କ ପରିବାରଙ୍କ ପାଇଁ ସରକାର ଅଛନ୍ତି । ସେ ବର୍ତ୍ତମାନ ଆହତ ମାନଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।