Advertisment

ଝଲସୁଛି ରାମନଗରୀ; ଏକାଠି ଜଳିବ ୨୪ ଲକ୍ଷ ଦୀପ

ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ ।

author-image
Sangram Keshori Behera
undefined

Ayodhya Deepotsav

ଉତ୍ସାହିତ ଅଯୋଧ୍ୟା, ଉଲ୍ଲସିତ ଅଯୋଧ୍ୟା, ଉତ୍ସବମୁଖର ଅଯୋଧ୍ୟା । ଆସନ୍ତାବର୍ଷ ଜାନୁଆରୀ ୨୨ରେ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ, ଆସନ୍ତାକାଲି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ । ସେପଟେ ରାମ ମନ୍ଦିର ନିର୍ମାଣ କାମ ଏବଂ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଆନୁସଂଗିକ ଆୟୋଜନ ବି ଚୂଡ଼ାନ୍ତ ପର୍ଯ୍ୟାୟରେ। ସରଜୁ ତଟକୁ ଓହ୍ଲାଇ ଆସିବ ଆକାଶର ଅଗଣିତ ତାରାପୁଞ୍ଜ। ଲକ୍ଷ ଲକ୍ଷ ଦୀପାଳିର ଦୀପ୍ତିରେ ଉଦଭାସିତ ହେବ ରାମଲାଲାଙ୍କ ଅଯୋଧ୍ୟା ନଗରୀ।

Advertisment

ଆସନ୍ତାକାଲି ସପ୍ତମ ଦୀପୋତ୍ସବରେ ଏକାଠି ଜଳିବ ୨୪ ଲକ୍ଷ ଦୀପ। ଆଉ ଇଏ ଆଜିର ଦୃଶ୍ୟ । ଚାଲିଛି ଫୁଲ ସାଜସଜ୍ଜା । ସରଜୁ ତଟରେ ପ୍ରସ୍ତୁତ ହୋଇ ରହିଛି ଅସଂଖ୍ୟ ମାଟିର ଦୀପ। ଏତେ ଦୂର ଯାଏଁ ଦୀପ ଲମ୍ବିଛି ଯେ, ଆଖି ବି ପାଉନି । ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସରୁ ଫେରିବା ପରେ ଖୁସିରେ ଘରେ ଘରେ ଦୀପ ଜାଳିଥିଲେ ଅଯୋଧ୍ୟାର ନରନାରୀ । ସେଇ ସ୍ମୃତିରେ ଦୀପୋତ୍ସବ ପାଳିତ ହେଉଥିବା ବେଳେ, ଏବର୍ଷର ଉତ୍ସବ ଆହୁରି ସ୍ବତନ୍ତ୍ର । କାରଣ ଆଉ କେଇଟା ଦିନ ପରେ ୧ ବର୍ଷର ବନବାସରୁ ନୁହେଁ, ବରଂ ଅସ୍ଥାୟୀ ମନ୍ଦିରରେ ୫ଶହ ବର୍ଷ କାଟିବା ପରେ ନିଜ ମୂଳ ଆସ୍ଥାନକୁ ଫେରୁଛନ୍ତି ରାମଲାଲା। ତେଣୁ ଏଥରର ଆୟୋଜନକୁ ଅତ୍ୟନ୍ତ ଭବ୍ୟ କରୁଛନ୍ତି ଯୋଗୀ ସରକାର ।

ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ । ଯାହାକି ଏକ ବିଶ୍ବରେକର୍ଡ ହେବାକୁ ଯାଉଛି। ଏଥିସହ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହେବ ଏହି ଅବସରରେ, ଯେଉଁଥିରେ ଓଡ଼ିଶାର ଡାଲଖାଇ ବି ସାମିଲ ଥିବା ସୂଚନା ମିଳିଛି । ଖାଲି ଦୀପୋତ୍ସବ ନୁହେଁ, ଏବେ ଅଯୋଧ୍ୟାରେ ସତେ ଯେମିତି ସବୁ ଦିନ ଉତ୍ସବ।  

Advertisment

ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ତେଣୁ ଅଯୋଧ୍ୟା ନଗରୀ ନବବଧୂ ଭଳି ସଜେଇ ହେଲାଣି । ତେଣେ ରାମ ମନ୍ଦିର ନିର୍ମାଣ କାମ ବି ଜୋରସୋରରେ ଚାଲିଛି । କେଉଁଠି ଦେବାଦେବୀଙ୍କ ବିଗ୍ରହ କାମ ଚାଲିଛି, ତ ଆଉ କେଉଁଠି ସୂକ୍ଷ୍ମ କଳାକୃତି। ତେଣେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟଶାଳାରେ ବି ସରିବା ଉପରେ, ଖମ୍ବ ତିଆରି କାମ । ସତେ ଯେମିତି ପଥର ବି ଜୀବନ୍ତ ହୋଇ ଉଠୁଛି ଶିଳ୍ପୀର ନିହାଣ ମୁନରେ ।

ଏସବୁ ଦେଖି ଶ୍ରଦ୍ଧାଳୁ ବି ଖୁସିରେ ଗଦଗଦ, ଭକ୍ତିରେ ତଲ୍ଲିନ। ରାମ ମନ୍ଦିର ନିର୍ମାଣ ସ୍ଥଳକୁ ସାଧାରଣଙ୍କ ପ୍ରବେଶ ନିଷେଧ ଥିବାରୁ, ଏହି କାର୍ଯ୍ୟଶାଳା ପରିକ୍ରମା କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ । ରାମମନ୍ଦିର ପ୍ରତିଷ୍ଠା ଅବସରରେ ଦେଶବିଦେଶରୁ ଅଗଣିତ ଭକ୍ତଙ୍କ ସମାଗମ ହେବ ଅଯୋଧ୍ୟାରେ । ତେଣୁ ସେମାନଙ୍କ ରହିବା ପାଇଁ ବହୁ ସଂଖ୍ୟାରେ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା ବି କରାଯାଉଛି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ।  

Ayodhya Deepotsav
Advertisment
Advertisment