• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚର୍ଚ୍ଚାରେ ମାଙ୍କଡ-କୁକୁର ଗ୍ୟାଙ୍ଗ ୱାର

  • ୨୫୦ କୁକୁର ଛୁଆଙ୍କ ଜୀବନ ନେଇଛି ଖୁନୀ ମାଙ୍କଡ଼

ମୁମ୍ବାଇ: ଚର୍ଚ୍ଚାରେ ମାଙ୍କଡ଼ର ପ୍ରତିଶୋଧ। ପଶୁ ଯେ ମଷିଣଙ୍କ ଭଳି ପ୍ରତିଶୋଧ ପରାୟଣ ହୋଇପାରେ, ତାର ଏକ ନମୁନା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ। ଯେଉଁଠି, ମାଙ୍କଡ଼ମାନେ କୁକୁର ଶାବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି । କିନ୍ତୁ କାହିଁକି ରକ୍ତମୁଖା ସାଜିଛନ୍ତି ମାଙ୍କଡ଼, ସେ ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ରକ୍ତମୁଖା ହେଲା ମାଙ୍କଡ଼, ଯିଏ ନେଇଛି ୨୫୦ କୁକୁର ଛୁଆଙ୍କ ଜୀବନ। ମହାରାଷ୍ଟ୍ରର ବିଡ୍ ଜିଲ୍ଲାରୁ ୨ଟି ଖୁନୀ ମାଙ୍କଡ଼କୁ ଜନ୍ତାରେ କବଜା କରିଛି ବନ ବିଭାଗ। ମଣିଷ ଆକ୍ରୋଶର ଶିକାର ହୁଏ, ପ୍ରତିଶୋଧ ନିଏ, ଶତ୍ରୁକୁ ଆକ୍ରମଣ କରେ ଓ ସମୂଳେ ବିନାଶ କରିବାକୁ ବି ଚେଷ୍ଟା କରେ। ହେଲେ ପଶୁ ବି ଯେ ଏତେ ଭୟଙ୍କର ପ୍ରତିଶୋଧ ନେଇପାରନ୍ତି, ତାହା ବିଡ୍ ଜିଲ୍ଲାର ଲାଭୋଲ୍ ଗାଁରେ ଦେଖିବାକୁ ମିଳିଛି। ସେଠାରେ ଚାଲିଛି ମାଙ୍କଡ଼ ଓ କୁକୁରଙ୍କ ଗ୍ୟାଙ୍ଗୱାର। ପ୍ରତିଶୋଧ ନେବାକୁ ଯାଇ ଖୁନି ସାଜିଛନ୍ତି ମାଙ୍କଡ଼ ଦଳ । ମାଙ୍କଡ଼ଙ୍କ ଗୋଟିଏ ଦଳ ପ୍ରତିଶୋଧ ନେବାକୁ ଯାଇ କୁକୁରଙ୍କୁ ମାରିବାରେ ଲାଗିଛନ୍ତି, ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂରା ଘଟଣା ଜାଣିଲେ ଆପଣ ବି କିଛି ସମୟ ପାଇଁ ଚକିତ ହୋଇଯିବେ। ଆଉ ଭାବିବାକୁ ବାଧ୍ୟ ହେବେ, ଏ ହେଉଛି କଣ !

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୩ ମାସ ତଳେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ମାଜଲଗାଓରେ ଗୋଟିଏ ମାଙ୍କଡ଼ ଦଳରେ ଥିବା ଏକ ମାଙ୍କଡ଼ ଶାବକକୁ କୁକୁରଙ୍କ ଗୋଟିଏ ଦଳ ଅଚାନକ ଆକ୍ରମଣ କରିଥିଲା। ମାଙ୍କଡ଼ ଛୁଆଟିର ଜୀବନ ନେଇଯାଇଥିଲେ କୁକୁର ପଲ। ମାଙ୍କଡ଼ଙ୍କୁ କୁକୁର ଗୋଡ଼ାଇବା ଓ ଆକ୍ରମଣ କରିବା କିଛି ନୂଅ କଥା ନୁହେଁ। କିନ୍ତୁ ଏଠି ଏହା ପରେ ଯାହା ଘଟିଛି, ତାହା ଏ ଘଟଣାକୁ ଆହୁରି ରୋଚକ କରିଛି। ଶିଶୁ ମାଙ୍କଡ଼ଟିକୁ କୁକୁରମାନେ ତ ମାରିଦେଲେ, କିନ୍ତୁ ଏହାର ପରିଣତି ଯେ କଣ ହୋଇପାରେ, ସେକଥା କୁକୁରଙ୍କର ଏ ଦଳଙ୍କୁ ଜଣା ନଥିଲା। ନିଜ ଦଳରୁ ଶିଶୁ ମାଙ୍କଡ଼ଟିକୁ ହରାଇବା ପରେ ପ୍ରତିଶୋଧର ଜ୍ୱାଳା ମାଙ୍କଡ଼ଙ୍କ ଏ ଦଳକୁ ସଇତାନ ସଜେଇ ଦେଇଛି। ଆଉ ସେବେଠୁ ମାଙ୍କଡ଼ମାନେ କୁକୁରଙ୍କୁ ମାରିବାରେ ଲାଗିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଗତ ଗୋଟିଏ ମାସ ମଧ୍ୟରେ ମାଙ୍କଡ଼ଙ୍କର ଏ ଦଳ ପ୍ରାୟ ୨୫୦ କୁକୁରଙ୍କୁ ମାରି ସାରିଲେଣି ଏବଂ ଏବେ ବି ଏ ପ୍ରକ୍ରିୟା ଜାରି ରହିଛି। ଖୋଜି ଖୋଜି କୁକୁରଙ୍କୁ ମାରିବାରେ ଲାଗିଛନ୍ତି ମାଙ୍କଡ଼। କୁକୁରମାନଙ୍କୁ ଝାମ୍ପି ନେଇ କେତେବେଳେ ଗଛ ଉପରକୁ ତ ଆଉ କେବେ ଉଚ୍ଚ କୋଠା ଉପରକୁ ଚଢିଯାଉଛନ୍ତି ଓ ସେଠାରୁ କୁକୁର ଛୁଆଙ୍କୁ ତଳକୁ ଫିଙ୍ଗି ଦେଉଛନ୍ତି । ଏତେ ଉପରୁ ପଡ଼ିବାରୁ କୁକୁରଙ୍କର ମୃତ୍ୟୁ ହେଉଛି। ପ୍ରଥମେ ପ୍ରଥମେ ମାଙ୍କଡ଼ମାନଙ୍କର ଏ ଉତ୍ପାତ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଖୁବ୍ ସାଧାରଣ ଥିଲା କିନ୍ତୁ ପ୍ରତିଦିନ ଏମିତି ଘଟଣା ସାମ୍ନାକୁ ଆସିଲା ଓ ରକ୍ତମୁଖା ହୋଇଥିବା ମାଙ୍କଡ଼ ଦଳ ସ୍କୁଲ ଯାଉଥିବା ପିଲାଙ୍କୁ ବି ଆକ୍ରମଣ କଲେ।

ତେଣୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଲା ଓ ଘଟଣା ସମ୍ପର୍କରେ ସେମାନେ ଧାରୁର ବନ ବିଭାଗକୁ ଖବର ଦେଲେ । ପ୍ରଥମେ ବନ ବିଭାଗ ବି ଏ ଘଟଣାରେ ସେମିତି କିଛି ଖାସ୍ କରିପାରି ନଥିଲା। ତେବେ ଉତ୍ପାତ ମାତ୍ରାଧିକ ହେବା ପରେ ସ୍ଥାନୀୟ ଲୋକମାନେ ଏଥିରେ ଲଗାମ୍ କଷିବାକୁ ଚେଷ୍ଟା କଲେ। କୁକୁରଙ୍କୁ ଉଠାଇ ନେଉଥିବା ମାଙ୍କଡ଼ଙ୍କ ଠାରୁ ତାକୁ ଖସାଇବାକୁ ଚେଷ୍ଟା ବି କଲେ। ଏହାର କିଛି ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି କୁକୁରକୁ ମାଙ୍କଡ଼ ମୁହଁରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଲୋକଙ୍କୁ ବି ମାଙ୍କଡ଼ ଦଳ ଆକ୍ରମଣ କରୁଛନ୍ତି।

ବିଡର ଲାଭୋଲ୍ ଗାଁରେ ଚାଲିଥିବା ମାଙ୍କଡ଼-କୁକୁରଙ୍କର ଏ ଲଢେଇକୁ ସୋସିଆଲ୍ ମିଡିଆରେ monkey vs dogs gang war ର ନାଁ ଦିଆଯାଇଛି। ଯାହାକୁ ନେଇ କିଛି ନା କିଛି ଭିଜୁଆଲ୍ ପ୍ରତିଦିନ ଭାଇରାଲ୍ ହେବାରେ ଲାଗିଛି। ଏବେ କିନ୍ତୁ ଆକ୍ସନକୁ ଆସିଛି ସ୍ଥାନୀୟ ବନ ବିଭାଗ। ନାଗପୁର ବନ ବିଭାଗର ଏକ ଦଳ ଏବେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଛନ୍ତି। ସଦ୍ୟ ସୂଚନା ଅନୁଯାୟୀ, ମାଙ୍କଡ଼ଙ୍କ ଏ ଖୁନୀ ଖେଳରେ ସାମିଲ୍ ଥିବା ଦୁଇଟି ମାଙ୍କଡ଼କୁ ଧରିବାକୁ ସକ୍ଷମ ହୋଇଛନ୍ତି ବନ ବିଭାଗର ଟିମ୍। ସେମାନଙ୍କୁ ନାଗପୁରକୁ ସ୍ଥାନାନ୍ତରିତ କରାଯାଉଛି। ସେଠାରେ ମାଙ୍କଡ଼ ୨ଟିକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି।