/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649749663.jpg)
Rajnath Singh
ଭାରତ-ଆମେରିକା ୨+ ୨ ଆଲୋଚନା ବେଳେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆତଙ୍କବାଦୀଙ୍କ ଉପରେ କିପରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ଏଥିସହ ସବୁ ଦେଶଙ୍କ ସହ ଭାରତ ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା ପାଇଁ ଆଗ୍ରହୀ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।
ଆଗାମୀ ଦିନରେ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି । ଗତକାଲି ନୂଆ ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ ଭାରତ ସହ ଶାନ୍ତି ପାଇଁ ଚେଷ୍ଟା କରୁଥିବା କହିଥିଲେ । କିନ୍ତୁ ଏଥିପାଇଁ ପ୍ରଥମେ କାଶ୍ମୀର ସମସ୍ୟାର ସମାଧାନ ହେବା ଦରକାର ବୋଲି ସେ ସର୍ତ୍ତ ରଖିଥିଲେ ।
ସେହିପରି ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ଚୀନ ପ୍ରସଙ୍ଗ ମଧ୍ୟ ଉଠିଛି। ଭାରତର ଉତ୍ତର ସୀମାରେ ଚୀନ ପକ୍ଷରୁ କରାଯାଉଥିବା ଦୁଃସାହସର ସାମ୍ନାରେ ଭାରତ ସାର୍ବଭୌମତ୍ୟ ରକ୍ଷା କରିବାରେ ଆମେରିକା ସହାୟତା କରିବ ବୋଲି କହିଛି। ବେଜିଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷାକୁ ନଷ୍ଟ କରୁଛି। ତୁମେ ତୁମର ସାବୟଭୌମତ୍ୟ ସ୍ୱାର୍ଥ ରକ୍ଷା କଲାବେଳେ ଆମେ ତୁମ ପାଖରେ ଛିଡା ହେବୁ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଅଷ୍ଟିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ କହିଛନ୍ତି।
ଭାରତ-ଆମେରିକା ୨+୨ ଆଲୋଚନା ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ୍ ରୁଷରୁ ଭାରତ ତୈଳ କିଣିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଭାରତ ଏତେ ମାତ୍ରାରେ ରୁଷରୁ ତୈଳ କିଣିବା ଉଚିତ୍ ନୁହେଁ ବୋଲି କହିଥିଲେ ଆଣ୍ଟୋନି ଜେ ବ୍ଲିଙ୍କେନ୍। ପ୍ରତି ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ନିଜ ଦେଶ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ କୌଣସି ଭୁଲ ନାହିଁ। ହେଲେ ରୁଷରୁ ଏତେ ମାତ୍ରାରେ ତୈଳ ନକିଣିବାକୁ ଆମେ ଆମର ସମସ୍ତ ସହଯୋଗୀ ଦେଶକୁ ଅନୁରୋଧ କରୁଛୁ। ଭାରତ ମଧ୍ୟ ଏଥିରେ ସାମିଲ ଅଛି ବୋଲି ସେ କହିଥିଲେ।
ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ, ଭାରତ ବଦଳରେ ଆପଣଙ୍କର ଧ୍ୟାନ ୟୁରୋପ ଉପରକୁ ଯିବା ଦରକାର। କାରଣ ୟୁରୋପ ଗୋଟିଏ ଦିନରେ ଯେତିକି ତୈଳ କିଣୁଛି, ଆମେ ଗୋଟେ ମାସରେ ମଧ୍ୟ ସେତିକି କିଣୁ ନାହୁଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଭାରତ-ଅମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଆମେରିକା ପହଞ୍ଚିଥିଲେ। ଏଥିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲୟେଡ୍ ଅଷ୍ଟିନ ମଧ୍ୟ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)