• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅମଣିଷ ବାପା, ନିଜର ଦେଢ଼ ବର୍ଷର ଝିଅକୁ କେନାଲକୁ ଫିଙ୍ଗିଦେଲା । ଭାଗ୍ୟବଶତଃ କାଉଡ଼ିଆ ବଞ୍ଚାଇଦେଲେ ୧୮ମାସ ଶିଶୁର ଜୀବନ । ଏମିତି ଏକ ଘଟଣା ହରିୟାଣାର ଜ୍ୟୋତିସର୍‌ ଅଞ୍ଚଳରେ ଦେଖିବାକୁ ମିଳିଛି । ଛୁଆକୁ ଉଦ୍ଧାର କରିବା ସହ ପିତାଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ପୋଲିସର କହିବାନୁଯାୟୀ ପେହୱା ଅଞ୍ଚଳର ବାସିନ୍ଦା ବଲକର୍‌ ସିଂ ନିଜର ସାନ ଝିଅକୁ ସରସ୍ୱତୀ ନଦୀର ଶାଖା କେନାଲକୁ ଫିଙ୍ଗି ଦେଇଛନ୍ତି । ସେ ଫିଙ୍ଗିବା ବେଳେ ସେଠାରେ ଉପସ୍ଥିତ ଥିବା କାଉଡ଼ିଆ ତୁରନ୍ତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଶିଶୁକୁ କେନାଲକୁ ଫିଙ୍ଗି ବାଇକ୍‌ରେ ଫେରାର୍‌ ହୋଇଯାଇଥିଲେ ବାପା । ପୋଲିସ ବାପା ବଲକର୍‌ଙ୍କ ସମେତ ଭାଇ କୁଲଦୀପ୍‌ ସିଂଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନା ମୁତାବକ ବଲକର୍‌ଙ୍କ ଦ୍ୱିତୀୟ ପତ୍ନୀଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ବଲକର୍‌ ଦୁଇଟି ଝିଅଙ୍କୁ କେନାଲକୁ ଫିଙ୍ଗି ଦେବା ପାଇଁ ପ୍ଲାନ କରିଥିଲେ । କିନ୍ତୁ ବଡ଼ ଝିଅ କାନ୍ଦିବାରୁ ସାନ ଝିଅକୁ କେନାଲରେ ଫିଙ୍ଗି ଦେଇଥିଲେ । କେନାଲରେ ଫିଙ୍ଗିବା ସମୟରେ ସେଠାରେ କାଉଡ଼ିଆ ପାଣି ଉଠାଇବା ପାଇଁ ବସି ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏହି ଘଟଣା ଦେଖିବା ପରେ ପାଣିକୁ ତୁରନ୍ତ ଡେଇଁ ଛୁଆକୁ ଉଦ୍ଧାର କରିଥିଲେ । ଶିଶୁକୁ ଉଦ୍ଧାର କରିବା ପରେ ରାଓଗଡ଼ ଗ୍ରାମର ଏକ ବୋଲବମ୍‌ କ୍ୟାମ୍ପରେ ହସ୍ତାନ୍ତର କରିଥିଲେ । ସେଠାରୁ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେବି ଶିଶୁ ଚିକିତ୍ସାଧିନ ଅବସ୍ଥାରେ ରହିଛି ।

ଏଭଳି ଅମାନବୀୟ କାଣ୍ତ ଘଟାଇବା ପରେ ସ୍ୱାମୀ ସ୍ତ୍ରୀକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଏବଂ ଧମକ ବି ଦେଇଥିଲା । ଯଦି ସେ ଘଟଣା ବିଷୟରେ କାହାକୁ କୁହନ୍ତି, ତେବେ ତାଙ୍କୁ ବି ଜୀବନରୁ ମାରିଦେବେ । ସ୍ତ୍ରୀ ଘରକୁ ଫେରିବା ପରେ ଏ ବିଷୟରେ ନିଜ ଶାଶୁ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବଲକର୍‌ ଓ କୁଲଦୀପଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।