• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ । ଭାରି ବରଫପାତ ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ । ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ବନ୍ଦ ହୋଇଛି । ହିମାଚଳ ଦେଇ ଯାଇଥିବା ତିନୋଟି ଜାତୀୟ ରାଜପଥ ସମେତ ୧୬୮ଟି ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତୁଷାରପାତ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବା ମଧ୍ୟ ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରମାଗତ ତୁଷାରପାତ ଯୋଗୁଁ ଉତ୍ତର ଭାରତର ଅନେକ ରାଜ୍ୟରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ହିମାଚଳ ପ୍ରଦେଶର କୁଲୁ , ଲାହୌଲ ସ୍ପିତ, କନ୍ନୌର ଏବଂ ଶିମଲା ଜିଲ୍ଲା ଗୁଡ଼ିକରେ ପ୍ରବଳ ବରଫପାତ ଯୋଗୁଁ ତାପମାତ୍ରା ଖସିବାରେ ଲାଗିଛି । ସେପଟେ ରାଜ୍ୟର ମଧ୍ୟଭାଗ ଏବଂ ନିମ୍ନ ଭାଗରେ ହାଲୁକା ବର୍ଷା ହୋଇଛି । ଏହି ଜିଲ୍ଲା ଗୁଡ଼ିକ ଦେଇ ଯାଇଥିବା ୩ଟି ଜାତୀୟ ରାଜପଥ ସମେତ ପ୍ରାୟ ୧୬୮ଟି ରାସ୍ତା ବନ୍ଦ ରହିଥିବା ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି । 

ଲାହୌଲ ସ୍ପିତ ଜିଲ୍ଲାରେ ତୁଷାରପାତର ମାତ୍ରା ଏତେ ଅଧିକ ରହିଛି ଯେ, ପ୍ରାୟ ୧୬୮ଟି ରାସ୍ତା ବନ୍ଦ ରହିଛି । ସେଠାରେ ୩ରୁ ୪ ଇଞ୍ଚ ଯାଏ ବରଫ ଜମା ହୋଇ ରହିଛି । ରାସ୍ତା ଉପରୁ ବରଫ ମଧ୍ୟ ହଟା ଯାଉଛି । ରାସ୍ତାରେ ବରଫ ଆସ୍ତରଣ ସାଧାରଣ ଯାତାୟାତ ଉପରେ ବେଶ ପ୍ରଭାବ ପକାଇଛି ।

ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।