• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। ସାମାନ୍ୟ ପବ୍‌ଜୀ(PUBG)ଖେଳିବାକୁ ନେଇ ଏତେ ଛୋଟ ପିଲା ଜଣେ ଏତେ ବଡ଼ କାଣ୍ଡ ଘଟାଇପାରିବ, ତାହା କେହି କେବେ ବିଶ୍ୱାସ କରିପାରୁ ନାହାନ୍ତି। ହେଲେ ଏହା ହିଁ ସତ ଘଟଣା। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ମା’କୁ ହତ୍ୟା କରିବା ପରେ ନାବାଳକ ଜଣକ ସାଙ୍ଗମାନଙ୍କ ସହ ପାର୍ଟି କରିଥିଲେ। 

ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳକ ନିଜ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲରୁ ଗୁଳିକରି ମା’କୁ ହତ୍ୟା କରିଥିଲେ। ମା’କୁ ହତ୍ୟା କରିବା ପରେ ସେ ଆରାମରେ ରହୁଥିଲେ। ଏଥିପାଇଁ  ନା ସେ ପଶ୍ଚାତାପ କରିଥିଲେ ନା କୌଣସି ଚିନ୍ତାରେ ଥିଲେ। ବରଂ ୩ ଦିନ ପର୍ଯ୍ୟନ୍ତ ପାର୍ଟି କରିଥିଲେ। ଖାଲି ଏତିକି ନୁହେଁ ସେ ତାଙ୍କ ଭଉଣୀଙ୍କୁ ମଧ୍ୟ ଧମକଚମକ ଦେଇଥିଲେ। ସବୁଠାରୁ ବଡ଼ କଥା, ଯେଉଁ ଘରେ ମା’ର ମୃତଦେହ ପଡ଼ିଥିଲା, ସେଇ ଘରେ ସାଙ୍ଗମାନଙ୍କ ସହ ନାବାଳକ କ୍ରିକେଟ ଖେଳିବା ସହ ପାର୍ଟି କରିଥିଲେ। ମୃତଦେହରୁ ଯେପରି ଦୁର୍ଗନ୍ଧ ନବାହାରେ ଏଥିପାଇଁ ସେ ରୁମ୍‌ ଫ୍ରେଶନର ବ୍ୟବହାର କରିଥିଲେ। ହେଲେ ତାଙ୍କର ଏହି ରାଜ୍‌ ବେଶୀ ଦିନ ଆଉ ଲୁଚି ପାରିନଥିଲା। ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଥିଲା ଓ ସବୁକିଛି ପର୍ଦ୍ଦାଫାଶ ହୋଇଥିଲା। 

ପୋଲିସ୍‌ ନାବାଳକକୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ମା’କୁ ମାରିବା ପରେ ନାବାଳକକୁ କୌଣସି ପଶ୍ଚାତାପ ହୋଇନଥିବା ଜଣାପଡ଼ିଛି। ଜାଣନ୍ତୁ, ପଚରାଉଚରା ବେଳେ ପୋଲିସ୍‌ ନାବାଳକୁ କ’ଣ ପ୍ରଶ୍ନ କରିଥିଲେ ଓ ଏହାର ଉତ୍ତରରେ ନାବାଳଳ କ’ଣ କହିଥିଲେ...

ପ୍ରଶ୍ନ- ତୁମେ ଏପରି କାହିଁକି କଲ ? 

ଉତ୍ତର- ପୋଲିସ୍‌ର ଏହି ପ୍ରଶ୍ନରେ ନାବାଳକ ପ୍ରଥମେ ଚୁପ୍‌ ରହିଥିଲେ। ପରେ କହିଥିଲେ, ମମି’ ବହୁତ ଗାଳି କରୁଥିଲେ। ଗେମ୍‌ ଖେଳିବାକୁ ଦେଉନଥିଲେ। 

ପ୍ରଶ୍ନ- କେମିତି ଗୁଳି କଲ ?
ଉତ୍ତର- ରାତିରେ ଯେତେବେଳେ ସମସ୍ତେ ଶୋଇପଡ଼ିଲେ ସେତେବେଳେ ପାପାଙ୍କ ପିସ୍ତଲ ଆଣି ଗୁଳି କରି ମମି’ଙ୍କୁ ହତ୍ୟା କରିଥିଲି। 

ପ୍ରଶ୍ନ: ହତ୍ୟା ପରେ ଧରାପଡ଼ି ଯିବାର ଭୟ ନଥିଲା ? ଘଟଣାକୁ ନେଇ ଭଉଣୀଙ୍କୁ କ’ଣ କହିଥିଲ ? 
ଉତ୍ତର- ଧରାପଡ଼ିବା ନେଇ କୌଣସି ଭୟ ନଥିଲା। ମମି’ଙ୍କୁ ହତ୍ୟା କରିଥିବା କଥା କାହାକୁ କହିଲେ ମାରିଦେବି ବୋଲି ଭଉଣୀକୁ ଧମକ ଦେଇଥିଲି ଓ ଚୁପ୍‌ ରହିବା ପାଇଁ କହିଥିଲି। 

ପ୍ରଶ୍ନ: କେଉଁ ଗେମ୍‌ ମୋବାଇଲ୍‌ରେ ଖେଳୁଥିଲ ? 
ଉତ୍ତର- ଅନ୍‌ଲାଇନ୍‌ ଗେମ୍‌, ପବ୍‌ଜୀ ଖେଳୁଥିଲି। ଏସବୁ ଖେଳିବା ପାଇଁ ଭଲ ଲାଗୁଥିଲା। ହେଲେ ମମି ଏସବୁ ଖେଳିବା ପାଇଁ ଦେଉ ନଥିଲେ। ତେଣୁ ବହୁତ ରାଗ ଲାଗୁଥିଲା। 

ପ୍ରଶ୍ନ: ଯଦି ପାପା ମାରିଥାନ୍ତେ, ତା’ହେଲେ ତାଙ୍କୁ ମଧ୍ୟ କ’ଣ ହତ୍ୟା କରିଥାନ୍ତ ? 
ଉତ୍ତର- କ’ଣ କରିଥାନ୍ତି, କ’ଣ ନାହିଁ ସେତେବେଳେ ଦେଖିଥାନ୍ତି। ଏସବୁ ଏବେ କ’ଣ ପାଇଁ କହିବି ? 

ପ୍ରଶ୍ନ: ହତ୍ୟା ପରେ ତୁମେ ଜେଲ୍‌ ଯିବ, ଏହା କ’ଣ କେବେ ଭାବି ନଥିଲ ? 
ଉତ୍ତର- ନା, ଏସବୁ ମୁଁ ଭାବି ନଥିଲି।

ପ୍ରଶ୍ନ: ମା’ଙ୍କୁ ହତ୍ୟା ପରେ ସାଙ୍ଗମାନଙ୍କ ସହ କାହିଁକି ପାର୍ଟି କଲ ? 
ଉତ୍ତର- ରାତିରେ ବହୁତ ଡରି ଯାଇଥିଲି। ସାଙ୍ଗମାନଙ୍କ ସହ ବହୁତ ଦିନ ହେଲା ଫିଲ୍ମ ଦେଖିବାକୁ ମଧ୍ୟ ଯାଇନଥିଲି। ସେମାନେ ମଧ୍ୟ କହୁଥିଲେ ପାର୍ଟି କରିବା ପାଇଁ। ତେଣୁ ଘରେ ସାଙ୍ଗମାନଙ୍କ ସହ ମିଶି ପାର୍ଟି କରିବା କଥା ଭାବିଥିଲି। 

ପ୍ରଶ୍ନ: ଏବେ ପାଖରେ ଆଉ ମା’ ନାହାନ୍ତି। ଏଥିପାଇଁ କ’ଣ ଦୁଃଖ ଲାଗୁନି ?
ଉତ୍ତର- ନା, ଏଥିପାଇଁ ମୋତେ ଦୁଃଖ ଲାଗୁନି। 

ପ୍ରଶ୍ନ: ଯଦି କେହି ଫୋନ୍‌ କରୁଥିଲେ, ତା’ହେଲେ କ’ଣ କହୁଥିଲ ? 
ଉତ୍ତର- ମମିଙ୍କ ଫୋନ୍‌ ମୋ ପାଖରେ ଥିଲା। ଯିଏ କଲ୍‌ କରୁଥିଲେ ମୁଁ ମୋ ଫୋନ୍‌ରେ କହୁଥିଲି ମମି, ବୁଢ଼ୀମା’ଙ୍କ ପାଖକୁ ଯାଇଛନ୍ତି। 

 

ମା’କୁ ହତ୍ୟା ପରେ ପୁଅକୁ କାହିଁକି କ୍ଷମା କରିବାକୁ ଚାହୁଁଛନ୍ତି ବାପା ? 

ଏସବୁ ଭିତରେ  ଅଭିଯୁକ୍ତ ପୁଅକୁ କ୍ଷମା କରିଦେବାକୁ ବାପା ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସ୍ତ୍ରୀ ତ ଚାଲିଗଲା। ତେଣୁ ଏକ ମାତ୍ର ପୁଅକୁ ସେ ହରାଇବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି।