• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଜରାଟ ଗାନ୍ଧୀନଗରରେ ଆରମ୍ଭ ହୋଇଛି ଏସିଆର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ  । ତେବେ ଏଥରର ସ୍ୱତନ୍ତ୍ରତା ହେଉଛି, ଏଥିରେ କେବଳ ଭାରତରେ ଉତ୍ପାଦିତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯିବ । ଭାରତୀୟ କଂପାନି ଓ ଭାରତରେ ଲାଇସେନ୍ସ ନେଇ ଉତ୍ପାଦନ କରୁଥିବା କିମ୍ବା ଭାରତୀୟ କଂପାନୀଙ୍କ ସହ ସହଭାଗିତାରେ ପ୍ରତିରକ୍ଷା ଉତ୍ପାଦନ କରୁଥିବା ସଂସ୍ଥା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ନେଇ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଭାରତ କେତେବାଟ ଆଗେଇଛି ପ୍ରଦର୍ଶନୀ ତାର ପ୍ରତିବିମ୍ବ ହେବ । ଅନ୍ୟପକ୍ଷରେ ଭାରତ ମହାସାଗରୀୟ ଅଞ୍ଚଳ ଓ ଆଫ୍ରିକୀୟ ଦେଶଗୁଡିକରେ ପ୍ରତିରକ୍ଷା ସାମଗ୍ରୀ ବିପୁଳ ଆବଶ୍ୟକତା ଦୃଷ୍ଟିରୁ ଏହି ପ୍ରଦର୍ଶନୀ ରପ୍ତାନୀ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି ।

ଋଷିଆ-ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ବିଶ୍ୱକୁ ନିଜ ସାମରିକ ସାମର୍ଥର ଝଲକ ଦେଖାଇଛି ଭାରତ । ଦେଶରେ ନିର୍ମିତ ବହୁବିଧ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧପ୍ରଣାଳୀକୁ ନେଇ ଗାନ୍ଧିନଗରରେ ଆରମ୍ଭ ହୋଇଛି ୫ ଦିନିଆ ପ୍ରତିରକ୍ଷା ପ୍ରଦର୍ଶନୀ -ଡିଫେନ୍ସ ଏକ୍ସପୋ -୨୦୨୨ । ଏଥିରେ ସ୍ଥଳ, ଜଳ ଓ ଆକାଶରେ ବ୍ୟବହୃତ ସମସ୍ତ ପ୍ରକାର ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ । ତେବେ ଏଥର ବିଦେଶୀ କଂପାନୀଙ୍କୁ ଆମନ୍ତ୍ରଣ କରାଯାଇନାହିଁ ।

ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କେବଳ ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ବିଦେଶୀ କଂପାନିଙ୍କ ଅସ୍ତ୍ରଶସ୍ତ୍ର ଆସିବା ଦ୍ୱାରା ଦେଶ ଅସ୍ତ୍ରଶସ୍ତ୍ର ଉପରୁ କାଳେ ଫୋକସ ହଟିଯିବ । ସେଥିଲାଗି ପ୍ରଦର୍ଶନୀଙ୍କୁ ମେଡ୍ ଇନ୍ ଇଣ୍ଡିଆ କରିବାକୁ ପ୍ରୟାସ କରାଯାଇଛି । ତେବେ ଭାରତରେ ଲାଇସେନ୍ସ ପାଇ ଉତ୍ପାଦନ କରୁଥିବା ଓ ଭାରତୀୟ କଂପାନୀଙ୍କ ସହ ସହଭାଗିତାରେ ଉତ୍ପାଦନ କରୁଥିବା ବିଦେଶୀ କଂପାନୀ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା ହାଲ ଗାନ୍ଧିନଗର ପ୍ରତିରକ୍ଷା ପ୍ରଦର୍ଶନୀରେ ନିଜ ସାମର୍ଥ ଦେଖାଇବ । ଏହି କେନ୍ଦ୍ରୀୟ ସଂସ୍ଥା ବାୟୁସେନା ଲାଗି ଉଦ୍ଦିଷ୍ଟ ତଥା ଦେଶରେ ନିର୍ମିତ ୨୬ ପ୍ରକାରର ଯୁଦ୍ଧ ସରଞ୍ଜାମ ପ୍ରଦର୍ଶନୀରେ ସ୍ଥାନ ପାଇବ ।

ଏପଟେ ୪୩୦ ପ୍ରକାରର ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରିବ ଡିଆାରଡିଓ । ପ୍ରତିରକ୍ଷା ସମଗ୍ରୀ ନିର୍ମାଣ କ୍ଷେତ୍ରରେ ଦେଶର ବିଭିନ୍ନ ସଂସ୍ଥାଙ୍କ ଭାଗିଦାରୀ ଓ ସେମାନେ ଏକ୍ଷେତ୍ରରେ କେତେ ପାରଦର୍ଶିତା ହାସଲ କରିଛନ୍ତି ଡିଆରଡିଓ ତାର ରୂପରେଖ ପ୍ରସ୍ତୁତ କରିବ । ତେବେ ପରବର୍ତ୍ତୀ ସମୟରେ ଦେଶରେ ନିର୍ମାଣ ଲାଗି ଲକ୍ଷ୍ୟ ରଖା ଯାଇଥିବା ୨ଶହରୁ ଅଧିକ ଅସ୍ତ୍ରଶସ୍ତ୍ର ବି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେବ ।