• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରେଲୱେରେ ରୋଜଗାର କ୍ଷେତ୍ରରେ ନିଆଯାଇଛି ଐତିହାସିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବଡ଼ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ଓ ଦ୍ୱିତୀୟ କ୍ୱାଟରରେ ୪୫ ହଜାର ଖାଲିପଦ ପାଇଁ ରୋଜଗାର ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବଥର ଏକ ଲକ୍ଷ ୫୪ ହଜାର ଲୋକଙ୍କୁ ରେଲୱେ ରୋଜଗାର ଚାକିରି ଦେଇଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ରେଲୱେରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୪୫ ହଜାରରୁ ଅଧିକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି ରେଳୱେ । ଆଗକୁ ମଧ୍ୟ ଅନେକ ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ରେଳବାଇ ନିଯୁକ୍ତି ଏକ ଉପଯୁକ୍ତ କ୍ୟାଲେଣ୍ଡର ମାଧ୍ୟମରେ କରିବାନେଇ ଦୀର୍ଘ ବର୍ଷର ଦାବି ରହିଥିଲା । ଯାହାକୁ ପୂରଣ କରିବା ସହ ରେଳୱେ ନିଯୁକ୍ତିକୁ ବ୍ୟବସ୍ଥିତ କରିଛନ୍ତି ସରକାର ।"

ଅଧିକ ପଢ଼ନ୍ତୁ: ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ, କେନ୍ଦ୍ର କ୍ୟାବିନେଟ ମାରିଲା ମୋହର

ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଚଳିତ ବର୍ଷ ପ୍ରଥମ ଓ ଦ୍ୱିତୀୟ କ୍ୱାଟରରେ ପ୍ରାୟ ୪୫ ହଜାର ଖାଲିପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ନିଯୁକ୍ତି ସାଇକେଲରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ଦୁଇ କୋଟିରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରୀକ୍ଷା ହୋଇଥିଲା । ଏଥର ମଧ୍ୟ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରୀକ୍ଷା ହେବ ।"

ରେଲୱେ ନିଯୁକ୍ତି କ୍ୟାଲେଣ୍ଡରକୁ ନେଇ ପ୍ରଶ୍ନରେ ରେଳମନ୍ତ୍ରୀ କହିଛନ୍ତି, ନିଯୁକ୍ତି ବିଜ୍ଞପ୍ତିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି । ଜାନୁଆରୀରୁ-ମାର୍ଚ୍ଚ ପ୍ରଥମ କ୍ୱାଟରରେ ଲୋକୋ ପାଇଲଟ୍, ଦ୍ୱିତୀୟ କ୍ୱାଟରରେ ଟେକ୍ନିସିଆନ ଓ ଜୁନିୟର ଇଞ୍ଜିନିୟର ଭଳି ପଦ ପାଇଁ ଓ ତୃତୀୟ କ୍ୱାଟରରେ ନନ୍ ଟେକ୍ନିକାଲ ଖାଲିପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଉଛି । ଚତୁର୍ଥ କ୍ୱାଟରରେ ଲେଭଲ ୧ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞପ୍ତି ବ୍ୟବସ୍ଥା କରାଯାଇଛି । 

ସେହପରି ୧୦ ବର୍ଷ ପୂର୍ବରୁ ରେଳୱେରେ ନିର୍ମାଣ କ୍ଷେତ୍ରରେ ପ୍ରତିଦିନ ହିସାବରେ ୪ କିମି ହେଉଥିଲା । ଏବେ ପାଖାପାଖି ୧୫ କିଲୋମିଟର ହେଉଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତବର୍ଷ ୫ ହଜାର ୩୦୦ କିଲୋମିଟର ରେଲୱେ ଲାଇନ ତିଆରି ହୋଇଛି ବୋଲି କହିଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now