Advertisment

୧୦ ମନ୍ତ୍ରୀ ଓ ୨୦ ବିଧାୟକଙ୍କୁ କରୋନା

କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
undefined

Corona

ମହାରାଷ୍ଟ୍ରରେ କାୟା ମେଲାଉଛି କରୋନା। ପ୍ରତିଦିନ ଏଠାରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି ଓମିକ୍ରନ। ଆଉ ଏହାରି ମଧ୍ୟରେମହାରାଷ୍ଟ୍ରର ୧୦ ଜଣ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ଚିନ୍ତାରେ ମହାରାଷ୍ଟ୍ର ସରକାର। ଏନେଇ ଖୋଦ୍‌ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି। ଏଥିସହ ଯଦି କରୋନା ସଂକ୍ରମଣ ଏଭଳି ବୃଦ୍ଧି ପାଇବ, ତା’ହେଲେ ପୁଣିଥରେ କଠୋର କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।

Advertisment

ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶମତୀ ଠାକୁର କରୋନା ପଜିଟିଭ ହୋଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ଏହାପୂର୍ବରୁ କିଛି ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୮,୦୬୭ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁହାଯାଉଛି ଗତକାଲିର ସଂକ୍ରମଣ ପୂର୍ବଦିନ ସଂକ୍ରମଣଠାରୁ କୁଆଡ଼େ ୫୦ ପ୍ରତିଶତ ଅଧିକ।

ବିଶେଷ କରି ମୁମ୍ବାଇ ଓ ପୁଣେରେ ଅଧିକ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଯଦି ଏପରି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ, ତା’ହେଲେ ସରକାର ବାଧ୍ୟ ହୋଇ ଅଧିକ କଟକଣା ଲାଗୁ କରିବେ। ତେଣୁ କଠୋର କଟକଣାରୁ ବର୍ତ୍ତିବାକୁ ହେଲେ ସମସ୍ତଙ୍କୁ ବର୍ତ୍ତମାନ ଜାରି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ।

Advertisment

ପୂର୍ବରୁ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଆଂଟ୍‌ ଓମିକ୍ରନ ଯେଉଁ ହିସାବରେ ମାଡ଼ି ଚାଲୁଛି ତାହାକୁ ଦେଖିଲେ ଲକଡାଉନ୍‌ ଓ ସଟଡାଉନ୍‌ କରିବା ହିଁ ଏକମାତ୍ର ଉପାୟ। ନହେଲେ ଦେଶରେ ଦ୍ୱିତୀୟ ଲହରରେ ଯେମିତି ଲୋକମାନେ ପୋକମାଛି ପରି ପ୍ରାଣ ତ୍ୟାଗ କଲେ ଏଥର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ। ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି।

ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍‌ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି। କିନ୍ତୁ ଟିକା ନେଲେ କରୋନା ହେଉଥିବାରୁ ଲକଡାଉନ୍‌ ଓ ସଟଡାଉନ୍‌ ହିଁ କରୋନାକୁ ରୋକିବାର ଏକ ମାତ୍ର ଉପାୟ ବୋଲି ସମ୍ପୃକ୍ତ ମନ୍ତ୍ରୀ ଜଣକ କହିଛନ୍ତି। ସୂଚନା ଅନୁସାରେ ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡ଼େଟ୍ଟିୱାର୍‌ ଲକଡାଉନ୍‌ ହେବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି।

Coronavirus Maharashtra
Advertisment
Advertisment