• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିନେମା ହଲ୍ ଭିତରକୁ ବିନା ଅନୁମତିରେ ନେଇ ହେବନି ଖାଦ୍ୟ ଓ ପାନୀୟ । ଏଥିପାଇଁ ଦର୍ଶକଙ୍କୁ ବାରଣ କରିପାରିବେ ହଲ୍ ମାଲିକ । ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ସିନେମା ହଲ୍ ଏକ ଘରୋଇ ସଂପତ୍ତି । ତେଣୁ ତା ଭିତରକୁ ଖାଦ୍ୟ ଓ ପାନୀୟ ନେଇ ହେବ କି ନାହିଁ, ସେ ପ୍ରସଙ୍ଗରେ ହଲ୍ ମାଲିକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ । ସେମାନେ ଚାହିଁଲେ ଏସଂପର୍କିତ ସର୍ତ୍ତ ଲାଗୁ କରିପାରିବେ । ଏହା ସେମାନଙ୍କ ଅଧିକାର ଅନ୍ତର୍ଗତ । ସେମାନେ ହଲ୍ ଭିତରେ ଖାଦ୍ୟ ଓ ପାନୀୟ ବିକ୍ରି ସଂପର୍କିତ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରିପାରିବେ ।

ଉଦାହରଣ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଯଦି ଜଣେ ସିନେମା ହଲ୍ ଭିତରକୁ ଜିଲାପି ନେବାକୁ ଚାହିଁବ, ମାଲିକ ତାଙ୍କୁ ରୋକିବାର ଯଥାର୍ଥତା ରହିଛି । କାରଣ ସେ ଚେୟାରରେ ହାତ ପୋଛି ତାକୁ ଅଯଥାରେ ଅପରିଷ୍କାର କରିଦେବାର ଆଶଙ୍କା ରହିଛି । ସିନେମା ହଲ୍‌ରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ନମିଳିବା ଅଭିଯୋଗ ଉପରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସିନେମା ହଲ୍ ଜିମ୍ ନୁହେଁ । ତାହା ମନୋରଞ୍ଜନ ସ୍ଥଳୀ ।

ତେବେ ସିନେମା ହଲ୍ ଭିତରକୁ ଶିଶୁଙ୍କ ପାଇଁ ଖାଦ୍ୟ ନେବାକୁ ଅଭିଭାବକଙ୍କୁ ରୋକାଯାଇପାରିବ ନାହିଁ । ଏଥିସହ ହଲ୍ ପରିସରରେ ଦର୍ଶକଙ୍କ ପାଇଁ ମାଗଣା ସ୍ୱଚ୍ଛ ପିଇବା ପାଣି ଉପଲବ୍ଧ ରହିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ୨୦୧୮ରେ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟ ରାୟ ଦେଇଥିଲେ ଯେ, ମଲ୍ଟିପ୍ଲେକ୍ସ ଓ ମୁଭି ଥିଏଟର୍ ମାନେ ଦର୍ଶକଙ୍କୁ ହଲ୍ ଭିତରକୁ ଖାଦ୍ୟ ଓ ପାନୀୟ ନେବାରୁ ରୋକିପାରିବେ ନାହିଁ ।

ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଭାରତୀୟ ମଲ୍ଟିପ୍ଲେକ୍ସ ଆସୋସିଏସନ୍ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରି ସିନେମାହଲ୍ ମାଲିକଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now