• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ନେତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ଏକଥା ମାସେ ଆଗରୁ ମୁଁ ଜାଣିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ଦେଶରେ ନୂଆ ସିଷ୍ଟମ ବର୍ତ୍ତମାନ ଚାଲିଛି, କେଉଁମାନଙ୍କୁ ଜେଲ ପଠାଯିବ ସେମାନେ ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀର କେଜରିଓ୍ୱାଲ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମୁହାଁମୁହିଁ ପରେ ଏନେଇ ସେ ମନ୍ତବ୍ୟ ରଖିଛନ୍ତି ।

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।

ସିଧାସଳଖ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି, ସିସୋଦିଆ ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି । ଯାହା ଦ୍ୱାରା କି ବହୁତ ଆର୍ଥିକ କ୍ଷତି ହୋଇଛି । ଏହା ଦ୍ୱାରା କେତେକ ବଡ଼ ବଡ଼ ନେତାଙ୍କୁ ଆର୍ଥିକ ଫାଇଦା ମିଳିଥିବା କହିଛନ୍ତି, ଲେଫ୍ଟନାଣ୍ଟ ଗଭର୍ଣ୍ଣର । ୨୦୨୧ ନଭେମ୍ବରରୁ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଛି । ନୂଆ ଆଇନ ଜରିଆରେ ୩୨ ଜୋନ୍‌ରେ ୮୪୯ଟି ମଦ ବିକ୍ରି ଲାଇସେନ୍ସ ଦିଆଯାଇଛି । ଏହାକୁ ବିରୋଧ କରି ତଦନ୍ତ ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଦାବି କରିଥିଲେ କଂଗ୍ରେସ ଓ ବିଜେପି ।

ନିକଟରେ କେଜରିଓ୍ୱାଲଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେଇନଥିଲେ ବିନୟ ସକ୍ସେନା । ତା’ଆଗରୁ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ଇଡି । ସେ ଏବେ ଜେଲ୍‌ରେ ଅଛନ୍ତି । ସେତେବେଳେ କେଜରିଓ୍ୱାଲ ଭବିଷ୍ୟବାଣୀ କରିଥିଲେ, କେନ୍ଦ୍ରର ପରବର୍ତ୍ତୀ ଟାର୍ଗେଟ ହୋଇପାରନ୍ତି ମନୀଷ ସିସୋଦିଆ, ଯାହା ଏବେ ସତ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ମନୀଷ ସିସୋଦିଆଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କୁହାଯାଇଛି ଯେ, ଅବକାରୀ ନୀତି ଜରିଆରେ କରୋନା ମହାମାରୀ ଆଳରେ ଲାଇସେନ୍ସ ବାବଦ ଟଙ୍କା ଛାଡ଼ କରାଯାଇଛି । ମଦ ବ୍ୟବସାୟ କରୁଥିବା ଲୋକମାନଙ୍କୁ ୧୪୪.୩୬ କୋଟି ଟଙ୍କା ଛାଡ଼ କରାଯାଇଛି । ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ସୁପାରିସ କରିଛନ୍ତି ।

ଅନ୍ୟପକ୍ଷରେ ଉପ ରାଜ୍ୟପାଳ ସକ୍ସେନା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି । ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଆପର ନିର୍ବାଚନୀ ଲୋକପ୍ରିୟତାରେ ଈର୍ଷା କରିବା ଆରମ୍ଭ କରିଛନ୍ତି। ଏହାକୁ ରୋକିବା ପାଇଁ ସେମାନେ ସବୁ କିଛି କରିବାକୁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି। ଆମେ ଜାଣିଛୁ ଯେ ପଞ୍ଜାବରେ ଆପ୍‌ର ବିଜୟ ପରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ହୋଇଯାଇଛନ୍ତି । ୨୦୧୬ରେ କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଏବେ ସେମାନେ ପୁଣି ସମାନ କାମ ଆରମ୍ଭ କରିଛନ୍ତି।”