/odishatv-khabar/media/post_attachments/uploadimage/library/16_9/16_9_0/IMD-Malaria-Outbreak_1626257185.jpg)
IMD-Malaria-Outbreak
ନୂଆଦିଲ୍ଲୀ: ଚଳିତ ମାସରେ ଆଉ ବଡ ବର୍ଷା ନାହିଁ। ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ। ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି। କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି । ରାଜ୍ୟରେ ମୋଟ ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ, ମାଲକାନଗିରି, ନୂଆପଡ଼ା ଛାଡ଼ି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି। ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି। ସେମ୍ବେରରେ ବର୍ଷା ସମ୍ଭାବନା ନେଇ ଅଗଷ୍ଟ ୩୧ରେ ଆକଳନ କରାଯିବ ବୋଲି ଆଇଏମ୍ଡି ସୂଚନା ଦେଇଛନ୍ତି ।
ଏପଟେ, ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି। ଆକାଶରେ ମେଘ ମୁହଁ ଦେଖାଉଛି ହେଲେ ବର୍ଷୁ ନଥିବାରୁ ସବୁଠି ଏସନ ଫସଲ ଆଶା ଛାଡ଼ି ସାରିଲେଣି ଅନ୍ନଦାତା। ଅଗଷ୍ଟ ପ୍ରଥମ ସପ୍ତାହରୁ ମୌସୁମୀ ପୁରା ଗାଏବ, ଏବେ ଡହ ଡହ ଖରା ହେଉଛି। ତେଣୁ ନିଶ୍ଚିତ ମରୁଡ଼ି ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ନୂଆପଡ଼ା କୃଷି ବିଭାଗ ହିସାବ କହୁଛି-ଜିଲ୍ଲାର ୭୬ ହଜାର ୭ଶହ ହେକ୍ଟର ଜମିରେ ବର୍ଷା ଅଭାବରୁ ଚାଷ ହୋଇନଥିବାବେଳେ ୧୦ ହଜାର ୯ଶହ ହେକ୍ଟ ଜମି ପଡ଼ିଆ ପଡିଛି।
ସେପଟେ ସେପଟେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ନେଇ ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍। ଗତକାଲିର ସମୀକ୍ଷାରୁ ଜଣାପଡିଛି ଏଥର ମୋଟ୍ ବର୍ଷା ଋତୁରେ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି ଓ ଅଗଷ୍ଟରେ ଗତବର୍ଷ ତୁଳନାରେ ୫୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ସ୍ଥିତି ମରୁଡ଼ି ମୁହାଁ ହୋଇଛି। ତେଣୁ ସ୍ଥିତିକୁ ଦେଖି ଆପଦକାଳୀନ ଯୋଜନା କରିବା ସହ ପ୍ରଭାବିତ ବ୍ଲକ ମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବା ସହ ଆବଶ୍ୟକ। ବିହନ ଓ ମଂଜି ଯୋଗାଇବାକୁ ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତାସହ କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ଯେଉଁଭଳି ସାମିଲ କରିହେବ ସେ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)