• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ଏବଂ ଅଷ୍ଟ୍ରେଲିଆ ପାଇଁ ଆଜି ବେଶ୍ ଗୁରୁତ୍ୱପୂର୍ଣ୍ଣ ଦିନ । ଅର୍ଥନେତିକ ସମ୍ପର୍କରେ ଉନ୍ନତି କରିବା ଲାଗି ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷର ହୋଇଛି ବାଣିଜ୍ୟିକ ଚୁକ୍ତି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ପରିବତ୍ତର୍ନର ସମୟ ବୋଲି କହିଛନ୍ତି । ରିପୋର୍ଟ କହୁଛି, ଏହି ନୂତନ ଚୁକ୍ତି ଭାରତକୁ ରପ୍ତାନି ହେଉଥିବା ୮୫%ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଟିକସ ହ୍ରାସ କରାଇବ ।

୧୦ ବର୍ଷ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ସାମଗ୍ରୀ ରପ୍ତାନି ପରିମାଣର ୧୨.୬ ବିଲିୟନ୍ ଡଲାର୍ ମୂଲ୍ୟ ପରିମାଣ ବା ପ୍ରାୟ ୯୧% ବୃଦ୍ଧି ପାଇଛି । ଚୁକ୍ତି ସ୍ୱାକ୍ଷରିତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ।

ଭର୍ଚୁଆଲ ମୋଡ୍‌ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏତେ ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ସମ୍ମତ ହେବା ବେଶ୍ ଗୁରୁତ୍ୱବହନ କରୁଛି । ଦୁଇ ଦେଶ ମଧ୍ୟରେ ଥିବା ପାରସ୍ପରିକ ବିଶ୍ୱାସକୁ ଏହା ପ୍ରତିପାଦନ କରୁଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହା ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନର ସମୟ । ନୂତନ ଉପକ୍ରମରେ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଥିବା ପ୍ରାୟ ୨୮୨ ନିୟୁତ ଡଲାର୍ ପରିବର୍ଦ୍ଧିତ ସହଯୋଗ କ୍ଷେତ୍ରକୁ ବ୍ୟାପକ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ ।

ସେପଟେ ନେପାଳ ସହ ମଧ୍ୟ ଭାରତର ସମ୍ପର୍କ ଅହୁରି ମଜଭୁତ ହୋଇଛି । ଭାରତ ଗସ୍ତରେ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଓବା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ହାଇଦ୍ରାବାଦ ହାଉସରେ ସ୍ୱାଗତ କରିଥିଲେ । ଉଭୟ ଭାରତ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଉବାଙ୍କ ଭାରତ ଗସ୍ତ ନେପାଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରିପ୍ରେକ୍ଷୀର ଭାରତ ଓ ନେପାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଲାଗି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ସହ ଦୁଇ ଦେଶ ମଧ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଶୁଭାରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ରୁପେ’ କାର୍ଡର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ନେପାଳବାସୀ ରୁପେ କାର୍ଡର ବ୍ୟବହାର କରିପାରିବେ । ନେପାଳରେ ରୁପେ କାର୍ଡର ପ୍ରଚଳନର ଅର୍ଥ ଆର୍ଥିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ପ୍ରତିଷ୍ଠା ହେବା ସହ ବିକାଶ ନୂଆ ଶିଖର ଛୁଇଁବ ।