• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଉଚିତ୍ ସମୟରେ ମାମଲାର ଶୁଣାଣି ହେବ ବୋଲି ରୋକଠୋକ୍ କହିଛନ୍ତି ସବୋର୍ଚ୍ଚ ଅଦାଲତ । କର୍ଣ୍ଣାଟକ ହାଇକୋର୍ଟର ଶୁଣାଣି ଓ ରାୟ ଉପରେ ନଜର ରହିଛି । ଘଟଣାକୁ ନେଇ କଣ କଣ ହେଉଛି ତାହା ବି ସୁପ୍ରିମକୋର୍ଟ ଅନୁଧ୍ୟାନ କରୁଛନ୍ତି । ତେଣୁ ଏହାକୁ ଜାତୀୟ ପ୍ରସଙ୍ଗରେ ପରିଣତ କରାନଯାଉ ବୋଲି ସୁପ୍ରିମକୋର୍ଟ ଆବେଦନକାରୀ ଓକିଲଙ୍କୁ କହିଛନ୍ତି ।

କର୍ଣ୍ଣାଟକ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ପିନ୍ଧିବା ପାଇଁ ଛାତ୍ରଛାତ୍ରୀ ଜିଦ୍ କରିପାରିବେ ନାହିଁ । କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାକୁ ନେଇ ଗତକାଲିର ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଅପିଲ୍ କରାଯାଇଥିଲା ।

ସୂଚନା ଅନୁସାରେ, ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର । ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା । ତେବେ ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା । କିଛି ଶିକ୍ଷାନୁଷ୍ଠାନରେ ହିଜାବ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ପରେ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୪୪ ଧାରା ଲଗାଇବା ସହିତ ୩ ଦିନ ଲାଗି ଛୁଟି ଘୋଷଣା କରିଥିଲେ ।

ସେପଟେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା । ତେବେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ୩ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଆଗକୁ ହିଜାବ ବିବାଦ କେଉଁ ମୋଡ ନେଉଛି ତା ଉପରେ ନଜର ରହିଛି ।