ରାମ ମନ୍ଦିରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ୨୦୨୪ ଜାନୁଆରୀ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାମ ସରିବ ଏବଂ ଭକ୍ତଙ୍କ ପ୍ରବେଶ ଆରମ୍ଭ ହେବ ବୋଲି କୁହାଯାଉଛି । ଏନେଇ ପୂର୍ବରୁ ଅମିତ ଶାହ ମଧ୍ୟ ବିଭିନ୍ନ ସ୍ଥାନରେ ନିଜ ଭାଷଣରେ କହିଛନ୍ତି । ରାମ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ଯେତିକି ଚର୍ଚ୍ଚା ନୁହେଁ, ତାଠାରୁ ଅଧିକ ଚର୍ଚ୍ଚା ଏହାର ରାଜନୈତିକ ଦିଗକୁ ନେଇ ହେଉଛି । ବିରୋଧୀ ମହଲରେ ଜୋରଦାର ଆଲୋଚନା ହେଉଛି ଯେ ୨୦୨୪ ନିର୍ବାଚନରେ ବିଜେପି ପାଇଁ ରାମ ମନ୍ଦିର ଏକ ବଡ଼ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବ । ତେବେ ସେ ଯାହା ହେଉ ନା କାହିଁକି । ରାମ ମନ୍ଦିରକୁ ପ୍ରବେଶ ପାଇଁ ଭକ୍ତଙ୍କ ମନରେ ଏବେ ଅନେକ ଉତ୍କଣ୍ଠା ଭରି ରହିଛି । କେବେ ରାମମନ୍ଦିର ଖୋଲିବ ଆଉ କେବେ ଭଗବାନଙ୍କ ଦର୍ଶନ ମିଳିବ ସେଇ ଅପେକ୍ଷାରେ ଅଗଣିତ ଭକ୍ତ ।
ଏବେ ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ବଡ଼ ଖବର ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କୁହାଯାଉଛି ଯେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ରାମ ମନ୍ଦିରରେ କୌଣସି ପ୍ରକାର ମରାମତି ଆବଶ୍ୟକ ହେବ ନାହିଁ । ଏହା ଖୁବ୍ ମଜଭୁତ ଭାବେ ନିର୍ମାଣ କରାଯାଇଛି । ଏମିତିକି କୌଣସି ଶକ୍ତିଶାଳୀ ଭୂକମ୍ପ ଏହାକୁ ଦୋହଲାଇ ପାରିବନି କି ବନ୍ୟା, ବାତ୍ୟା ବି ଏହାର କୌଣସି କ୍ଷୟକ୍ଷତି କରି ପାରିବନି । ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।
Also Read
ଶ୍ରୀ ରାୟ କହିଛନ୍ତି, ମନ୍ଦିରରେ ନିର୍ମିତ ହୋଇଥିବା ପିଲାରର ମୋଟେଇ ଖୁବ୍ ଅଧିକ ଥିବା ବେଳେ କାନ୍ଥରେ ଖୁବ୍ ଶକ୍ତିଶାଳୀ ପଥର ବ୍ୟବହାର କରାଯାଇଛି । ଏହି ମନ୍ଦିରର ଫାଉଣ୍ଡେସନରେ କେବଳ ପଥର ଓ ଗୋଡ଼ି ବ୍ୟବହାର ହୋଇଛି । ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍ ଶକ୍ତିଶାଳୀ ଥିବାରୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ଦୋହଲାଇ ପାରିବନି କି କୌଣସି କ୍ଷୟକ୍ଷତି ଘଟାଇ ପାରିବନି। ମନ୍ଦିର ନିର୍ମାଣ କାମ ହାତକୁ ନେଇଥିବା ଏଲ-ଆଣ୍ଡ-ଟି କମ୍ପାନୀର ପ୍ରୋଜେକ୍ଟ ଡାଇରେକ୍ଟର ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ କହିଛନ୍ତି, ଏହି ମନ୍ଦିର ବିଲ୍ଡିଂର ଫାଉଣ୍ଡେସନ ୫୦ ଫୁଟ ତଳୁ ଆରମ୍ଭ ହୋଇଛି। ଏହାର ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ସିମେଣ୍ଟ, ପଥର ଓ ଅନ୍ୟ ମେଟାଲ ବ୍ୟବହାର ହୋଇଛି । ଏମିତିକି କୌଣସି ପ୍ରକାର ଷ୍ଟିଲ୍ କିମ୍ବା ଲୁହା ରଡ ବ୍ୟବହାର ହୋଇ ନ ଥିବା ସେ କହିଛନ୍ତି।
ମନ୍ଦିରର ଭିତ୍ତିଭୂମି ଗତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଏଯାବତ ୧୭ ହଜାର ଗ୍ରାନାଇଟ ଷ୍ଟୋନ ବ୍ୟବହାର ହୋଇଥିବା ବେଳେ ପ୍ରତି ଷ୍ଟୋନର ଓଜନ ୨ ଟନ୍ ବୋଲି ଜଣାଯାଇଛି। ଏହାବାଦ ମିରଜାପୁରରୁ ୪ ଲକ୍ଷ ପିସ୍ ଗୋଲାପି ଷ୍ଟୋନ ସାଙ୍ଗକୁ ରାଜସ୍ଥାନରୁ ଆସିଥିବା ଲକ୍ଷେ କ୍ୟୁବିକ୍ ଫିଟ ମାର୍ବଲ ବ୍ୟବହାର ହୋଇଛି। ଏହାବାଦ ଏବେ ୨୧ ଲକ୍ଷ କ୍ୟୁବିକ୍ ଫିଟ ଗ୍ରାନାଇଟ ବ୍ୟବହାର କରାଯାଉଥିବା ଜଣାଯାଇଛି।
ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରର ୮୦% କାମ ଶେଷ ହୋଇଥିବା ଜଣାଯାଇଛି। ସମୁଦାୟ ୧୬୨ଟି ପିଲାର ରେଡ୍ଡି ଥିବା ବେଳେ ଏହାର ଚାରିପଟେ ତ୍ରେତୟା ଯୁଗର ପ୍ରାୟ ୪,୫୦୦ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ଜଣାଯାଇଛି। ଏହାକୁ କେରଳ ଓ ରାଜସ୍ଥାନର କାରିଗରମାନେ ଖୋଦେଇ କରିଥିବା ଜଣାଯାଇଛି। ପ୍ରଭୁ ରାମଙ୍କ ମୂର୍ତ୍ତି ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯିବ ବୋଲି ଜଣାଯାଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ମନ୍ଦିରର ତଳ ମହଲାର କାମ ଶେଷ ହେବ ବୋଲି ଜଣାଯାଇଛି ।