• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁର(ନବଘନ ବିଷୋୟୀ) : କଂଗ୍ରେସ ନେତା କହ୍ନେୟା କୁମାର ନବରଙ୍ଗପୁରରେ ସଭାରେ ଯୋଗ ଦେଇ ଯିବା ପରେ ତାଙ୍କୁ ବିରୋଧ କରାଯାଇଛି । କହ୍ନେୟା କୁମାରଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଇ ସଭାସ୍ଥକୁ ଶୁଦ୍ଧି କରଣ କଲେ ଦୁଇ ଯୁବକ l ଆଉ ଶୁଦ୍ଧିକରଣ ସମୟର ସେହି ଭିଡିଓ ବର୍ତ୍ତମାନ ମୋବାଇଲଠୁ ମୋବାଇଲ ଘୂରି ବୁଲିବା ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l

ଗତକାଲି ନବରଙ୍ଗପୁର ସହର ହିର୍ଲି ସ୍ଥିତ ନୂତନ ମଣ୍ଡେଇ ପଡିଆ ଠାରେ ଜିଲ୍ଲା କଂଗ୍ରେସ ମହାସମାରୋହରେ ପାଳନ କରିଥିଲା ପ୍ରତିଷ୍ଠା ଦିବସ ।  ପ୍ରତିଷ୍ଠା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରିଥିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର, ଜିଗ୍ନେସ୍ ମେୱାନି, ଛତିଶଗଡ ଅବକାରୀ ମନ୍ତ୍ରୀ ଲାଖମା କାଵାସୀ ଓ ଅନ୍ୟ ବରିଷ୍ଠ ନେତା ।

ତେବେ ସଭା ସରିବା ପରେ କହ୍ନେୟା କୁମାରଙ୍କ ଗସ୍ତକୁ ବିରୋଧ କରିଛନ୍ତି ନବରଙ୍ଗପୁର ସହରର କିଛି ଯୁବକ । ଭାଇରାଲ ଭିଡିଓରେ ଯୁବକ ମାନେ ନବରଙ୍ଗପୁର ସହରର ସଚେତନ ନାଗରିକ ବୋଲି ନିଜକୁ ସମ୍ବୋଧନ କରିବା ସହିତ କହ୍ନେୟା କୁମାରଙ୍କୁ ବିରୋଧ କରିଛନ୍ତି । ସେ ଜେଏନୟୁର ଛାତ୍ର ଥିବା ବେଳେ ସେଇଠି ଯେଭଳି ଢଙ୍ଗରେ ତଥାକଥିତ ଟୁକଡେ ଟୁକଡେ ଗ୍ୟାଙ୍ଗର ସଦସ୍ୟ ହୋଇ ଭାରତକୁ ଭାଗ ଭାଗ କରିବାକୁ ଚାହୁଁଥିଲେ, ତାହାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ।

ଟୁକଡେ ଟୁକଡେ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ରହି ତାହାର ନେତୃତ୍ୱ ନେଇଥିଲେ । ଦେଶ ବିରୋଧୀ ନାରା ଦେଇଥିଲେ ଆଉ ତାହାକୁ ବିରୋଧ କରୁଥିବା କହିଛନ୍ତି ଯୁବକ ମାନେ । କହ୍ନେୟା ସେହି ଗ୍ୟାଙ୍ଗର ନେତୃତ୍ୱ ନେବା ସହ ଭାରତ ଭଳି ଦେଶକୁ ଖଣ୍ତ ଖଣ୍ଡ କରିବାକୁ ପ୍ରୟାସ କରିଥିବା କହିଛନ୍ତି ଯୁବକ ମାନେ । ଜେଏନୟୁର ଛାତ୍ର ଥିବା ସମୟରେ ଯେଉଁ ଦେଶ ବିରୋଧୀ ନାରା ଦେଉଥିଲେ , ତାହା ଦେଶଦ୍ରୋହୀର କାର୍ଯ୍ୟ ବୋଲି ଯୁବକ ମାନଙ୍କ ତରଫରୁ ଅଭିଯୋଗ କରାଯାଇଛି ।

ତେଣୁ ଯୁବକମାନେ ନବରଙ୍ଗପୁରର ସଚେତନ ନାଗରିକ ଭାବେ କହ୍ନେୟା କୁମାରଙ୍କୁ ଦେଶଦ୍ରୋହର ଆଖ୍ୟା ଦେବା ସହ ତାଙ୍କ ଭଳି ଦେଶଦ୍ରୋହୀର ପାଦ ନବରଙ୍ଗପୁର ଭଳି ପବିତ୍ର ମାଟି ରେ ପଡିବା ଦ୍ୱାରା ଏହି ମାଟି ଅପବିତ୍ର ହୋଇଯାଇଥିବା ଅଭିଯୋଗ କରିଛନ୍ତି । ସେମାନେ କୌଣସି ଦଳ ସହ ସମ୍ପୃକ୍ତ ନ ଥିବା ପ୍ରକାଶ କରିଛନ୍ତି । କହ୍ନେୟା କୁମାରଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ ସ୍ୱରୂପ କଂଗ୍ରେସର ସଭା ସରିବା ପରେ କାଲି ସନ୍ଧ୍ୟାରେ ଯୁବକ ମାନଙ୍କ ଦ୍ୱାରା ସଭା ସ୍ଥଳକୁ ଗଙ୍ଗା ଜଳ ଦ୍ୱାରା ଶୁଦ୍ଧି କରଣ କରାଯାଇଥିଲା । ଏହା ଭାଇରଲ ଭିଡିଓରେ ଜଣାପଡୁଛି l