• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ । ପରେ କିନ୍ତୁ ଚାକିରି ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିଥିଲେ । କିନ୍ତୁ ତାଙ୍କୁ କୌଣସି ବ୍ୟବସାୟ ହେଉ କି ବେସରକାରୀ ଚାକିରୀ କେଉଁଥିରେ ତାଙ୍କୁ ଆତ୍ମସନ୍ତୋଷ ଲାଗିନଥିଲା । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଦେବା ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ ହୋଇଥିଲା ।

ତେଣୁ ୨୦୧୬ ମସିହାରେ ନିଜସ୍ୱ ୨୨ ଏକର ଜମିରେ ଚାଷ କରିବା ପାଇଁ ମନସ୍ଥ କରିଥିଲେ ଉଦୟ । ପ୍ରଥମେ ମାଛ ଚାଷ କରିବା ପରେ ଧୀରେ ଧୀରେ ଗାଇ,ଛେଳି, କୁକୁଡ଼ା ଚାଷ ସହ ବିଭିନ୍ନ ପ୍ରକାରର ଗଛ ଲଗାଇଥିଲେ । ପରେ ବାହାର ରାଜ୍ୟରୁ ତାଲିମ ନେଇ ଏବେ କିନ୍ତୁ ସେ ଫଳ ଚାଷ ପାଇଁ ମନ ବଳାଇଛନ୍ତି । ଥାଇଲାଣ୍ଡ ଓ କାଶ୍ମୀର ଥଣ୍ଡା ଜଳବାୟୁରେ ହେଉଥିବା ଫଳ ଚାଷ କରୁଛନ୍ତି । ଏହି ଫଳର ନାମ ହେଉଛି ଥାଇଲାଣ୍ଡ ଆପଲବେର ବା କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀରର ସେଓ ଭଳି ଦିଶୁଛି ଓ ସ୍ୱାଦ କୋଳି ଭଳି । ତେଣୁ ଏହାର ନାମକରଣ ଏପରି ହୋଇଛି ।

ତେବେ ଉଦୟ ପ୍ରଥମେ ୧୦୦୦ଟି ଚାରା ଲଗାଇଥିଲେ । ଛଅ ମାସରେ ଫଳ ଫଳିଛି । ପ୍ରତ୍ୟକ ଗଛରୁ ପ୍ରାୟ ୧୦ ରୁ ୨୦ କିଲୋ ଫଳ ଅମଳ ହେଉଛି । ବର୍ଷକୁ ୧୦୦୦ଗଛରୁ ପ୍ରାୟ ୭-୮ ଲକ୍ଷ ଟଙ୍କାର ଲାଭ ହେବ ବୋଲି ଆକଳନ କରିଛନ୍ତି । ଅନ୍ୟ ଚାଷ ଅପେକ୍ଷା ଏହି ଚାଷରେ ଚାଷୀ ବହୁ ଲାଭବାନ ହେବେ ବୋଲି ଉଦୟ କହିଛନ୍ତି । ଦୁଇ ଏକର ପରିମିତ ଜମିରେ ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହେଉଥିବା କହିଛନ୍ତି ଉଦୟ । ଉକ୍ତ ଫାର୍ମରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀ ମାନେ କହିଛନ୍ତି ।

ଏମିତି କି ଏହି ୨୨ ଏକର କ୍ଷେତରେ ବିଭିନ୍ନ ପ୍ରକାର ଚାଷ ସହ ପିଜୁଳି ଚାଷ ମଧ୍ୟ କରିଛନ୍ତି । ବିଭିନ୍ନ କିସମର ପିଜୁଳି ଚାଷ ଦୁଇ ଏକରରେ ଲଗାଇଛନ୍ତି । ଅଳ୍ପ ଉଚ୍ଚତାରେ ବଡ଼ ବଡ଼ ପିଜୁଳି ଫଳି ମାଟିରେ ଲୋଟି ପଡିଛି । ସ୍ଥାନୀୟ ବଜାରରେ ପିଜୁଳି ବ୍ୟବସାୟ କରି ବେଶ ଦୁଇ ପଇସା ଲାଭବାନ ହେଉଛନ୍ତି ଉଦୟ । ଏହି ଚାଷ କରି ନିଜର ପରିବାର ପୋଷଣ କରିବା ସହିତ ଏହି କ୍ଷେତରେ ପ୍ରତ୍ୟେକ ଦିନ ୧୫ ରୁ ୨୦ ଜଣ କର୍ମଚାରୀ କାମ କରିଥାନ୍ତି । ଏହି କର୍ମଚାରୀ ମାନେ ଏଥିରେ ଯେଉଁ ପରିଶ୍ରମର ମୂଲ୍ୟ ପାଇ ଥାନ୍ତି ତାଙ୍କ ପରିବାର ପୋଷଣ ହୋଇଥାଏ ବୋଲି ଏଥିରେ କାମ କରୁଥିବା କର୍ମଚାରୀ କୁହନ୍ତି ।

ତେବେ ମୁଖ୍ୟ କଥା ହେଲା ଉଦୟଙ୍କ ଫାର୍ମରେ ହେଉଥିବା ଉତ୍ପାଦକୁ ସେ ବାହାରକୁ ରପ୍ତାନୀ କରନ୍ତି ନାହିଁ । ଗାଁର ବଜାରରେ ଗ୍ରାମବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଅନ୍ତି । ଜିଲ୍ଲାର ବ୍ୟବସାୟୀ ମଧ୍ୟ କିଛି ବଳକା ଉତ୍ପାଦିତ ସାମଗ୍ରୀ କିଣିଥାନ୍ତି । ଅନେକ ଲୋକେ ମଧ୍ୟ ତାଲିମ ନେଇ ବିଭିନ୍ନ ଚାଷ କାର୍ଯ୍ୟ ଆରମ୍ଭ କଲେଣି ।

ଚାକିରି ଛାଡି ଚାଷୀ ହେବାର ଅନେକ ଉଦାହରଣର ରହିଛି । କିନ୍ତୁ ନିଜ ଗ୍ରାମର ଲୋକଙ୍କୁ ସ୍ୱାବଲମୀ କରିବା ଓ ବିଦେଶୀ ଫଳ ଓ ପରିବାକୁ ଦେଶୀ ଜଳବାୟୁରେ ଫଳାଇବା ଉଦ୍ୟମ ପ୍ରଶଂସା ଯୋଗ୍ୟ ନିଶ୍ଚିତ ।

ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ