• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିନକୁ ଦିନ ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା । ଲୋକଙ୍କ ଜାଣିବା ପୂର୍ବରୁ ହିଁ ସେମାନେ ଏହି ରୋଗରେ ଆକ୍ରାନ୍ତ ହେଲାଣି । ରେଢାଖୋଲ ବ୍ଲକ ର ବଂଶାଜାଲ ପଚାଂୟତର ହେଲେଇ ଗାଁରେ ଏବେ ୬ ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବାବେଳେ ଏହି ରୋଗରେ ୫ଜଣଙ୍କ ଜୀବନ ଗଲାଣି ।

ଗାଁରେ ଏବେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗରିବଙ୍କ ଉପରେ ରୋଗର ଚିକିତ୍ସା ଭାର ମହଙ୍ଗା ପଡ଼ୁଛି । ଫଳରେ ଚିକିତ୍ସା ନ କରିପାରି ଲୋକେ ଯନ୍ତ୍ରଣାରେ ଛଟ୍‌ପଟ୍ ହେଉଛନ୍ତି । ପିଇବା ପାଣିରୁ ଏହି ରୋଗ ହେଉଥିବାର ନେଇ ଅନୁମାନ କରାଯାଉଛି ।

କେବଳ ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁ ନୁହେଁ ତ୍ରୀବଣପୁର ପଚାଂୟତ ଭେଜିଡିହି, ମୂଷାକଟା, କଦଳୀଗଡ ପଚାଂୟତର ତନ୍ତଗାର୍ଡ ଆଦି ଏହିସବୁ ଗାଁରେ ମଧ୍ୟ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଗାଁରୁ ଗାଁ ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି କିଡ୍‌ନୀ ରୋଗ ।

ସୂଚନା ଅନୁସାରେ,ଗାଁରେ ଥିବା ୪ଟି ନଳକୂଅଁରୁ ଗୋଟିଏବି ପିଇବା ଉପେଯାଗୀ ନୁହେଁ । କେଉଁଠି ଲାଲ ପାଣି ତ, କେଉଁଠି ପାଣିରେ ଲୁହା କଳଙ୍କି ଗୁଣ୍ଡ ବାହାରୁଛି । ତେଣୁ ଏଭଳି ନଳକୂଅଁ ଉପରେ ନିର୍ଭର କରିଛନ୍ତି ସାରା ଗାଁ ଲୋକ । ଫଳରେ ନଳକୂପର ବିଶୁଦ୍ଧ ପାଣି ପିଇ ଗାଁ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି । ପାଖରେ ପଇସା ନଥିବାରୁ କଟକ,ବୁର୍ଲା ପରି ବଡ ମେଡିକାଲରେ ରୋଗ ଦେଖାଇ ପାରୁଛନ୍ତି ନାଁ ଦାମୀ ଔଷଧ କିଣି ଖାଇପାରୁଛନ୍ତି ବୋଲି କହିଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।

ଦୀର୍ଘ ଦୁଇ ବର୍ଷ ହେଲାଣି ଧିରେଧିରେ ରୋଗ ଜଣକୁ ପରେ ଜଣେ ହେଉଥିବାରୁ ଲୋକେ ଏବେ ଭୟଭିତ ହୋଇ ପଡିଛନ୍ତି । ଅନ୍ୟପକ୍ଷେ, ମେଡିକାଲ ଟିମ ପଠା ଯାଇ ଏସବୁ ଗାଁରେ ଚିକିତ୍ସା ଆରମ୍ଭ କରାଯିବ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ।

ତେବେ ପ୍ରଶାସନ ପକ୍ଷରୁ ରୋଗୀ ଚିହ୍ନଟ,ଚିକିତ୍ସା ବ୍ୟବସ୍ଥା କରାଯାଇନଥିବା ବେଳେ ଲୋକେ କେବଳ ପ୍ରଶାସନର ଭରସାରେ ହିଁ ରହିଛନ୍ତି ।