• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅତି ଅଳ୍ପ ବୟସ, କିନ୍ତୁ ଅଛି ବିଚକ୍ଷଣ ପ୍ରତିଭା । କାହାର ସ୍ମରଣ ଶକ୍ତି ପ୍ରଖର, ତ ଆଉ କାହା ପାଖରେ ସତେକି ଦେଖାଦେଇଛି ଦୈବୀଶକ୍ତି । ରାଜ୍ୟର କିଛି କୁନି ପ୍ରତିଭାଙ୍କ କାରନାମା ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଯେଉଁ ବୟସରେ ପିଲାଟିଏ କଥା କହି ଶିଖେ, ନୂଆ ନୂଆ ଛବି ଦେଖିବା, ବର୍ଣ୍ଣ ଚିହ୍ନିବା ଶିଖେ, ସେଇ ବୟସରେ ଅସେ ମାନେ ବିରଳ ପ୍ରତିଭାର ଅଧିକାରୀ ହୋଇଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ସୁବାସ ସେନାପତି ଓ ଲିଲି ସେନାପତିଙ୍କ ୩ ବର୍ଷର ଝିଅ ପ୍ରତ୍ୟୁଷା ସେନାପତି । ବୟସ ସିନା କମ୍, ହେଲେ ପ୍ରତ୍ୟୁଷାର ସ୍ମରଣ ଶକ୍ତି କାହାକୁ ବି ଆଶ୍ଚର୍ଯ୍ୟ ଚକିତ କରିବାକୁ ଯଥେଷ୍ଟ । ଯେକୌଣସି ରାଜ୍ୟର ରାଜଧାନୀ ହେଉ ଅବା ଜାତୀୟ ପଶୁ, ପକ୍ଷୀ, ଫୁଲ... ପ୍ରଶ୍ନ ସରୁ ସରୁ ସବୁ ଅନର୍ଗଳ କହିଯାଉଛି । ଫଟୋ ଦେଖୁ ଦେଖୁ ମହାପୁରୁଷ ମାନଙ୍କ ନାଁ ବି କହିଦେଉଛି । ସେ ସର୍ବଭାରତୀୟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ପରେ, ପ୍ରତ୍ୟୁଷାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଛି ।

ସେହିପରି ଆଉ ଜଣେ କୁନି ପ୍ରତିଭା ହେଲେ ସିକ୍ତା ବସୁନ୍ଧରା । ଯାଜପୁର କୋରାଇ ବ୍ଲକ୍ ରଣସରପୁରର ସୁଆ, ସ୍ମରଣ ଶକ୍ତି ବି ସେମିତି ପ୍ରଖର । ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମାତ୍ର ୧ ବର୍ଷ ୭ ମାସ ୨ ବର୍ଷ ବି ପୁରିନି । ହେଲେ ସେ ନିଜ ସ୍ଥାନ ପକ୍କା କରିପାରିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ । ତାକୁ ମିଳିଛି ଏଇ ସୁନ୍ଦର ମେଡାଲ୍ । ପଶୁପକ୍ଷୀ, ଫଳ, ପନିପରିବା, ରଙ୍ଗ, ସ୍ୱାଧୀନତା ସଂଗ୍ରାମୀ ଓ ମଣିଷର ଅଙ୍ଗପ୍ରତ୍ୟଙ୍ଗ ଆଦିର ଫଟୋକୁ ନିର୍ଭୂଲ ଚିହ୍ନଟ କରି ସେ ଏହି ସଫଳତା ପାଇଛି ।

ଶିକ୍ତା ବସୁନ୍ଧରା ହୁଅନ୍ତୁ, ଅବା ପ୍ରତ୍ୟୁଷା, ଏମାନେ ତ ନିଜ ପ୍ରଖର ସ୍ମରଣଶକ୍ତି ଓ ମେଧା ବଳରେ ସ୍ଥାନ ପକ୍କା କରିଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ । ହେଲେ ୬ବର୍ଷ ବୟସର ଆରୁଷ ସତରେ ଜଣେ ବିସ୍ମୟ ବାଳକ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ସୌରଭ ସାହୁ ଓ ସୋନିକା ମୋଦକଙ୍କ ପୁଅ ଆରୁଷଙ୍କୁ ସତେ ଯେମିତି ମିଳିଯାଇଛି ସୁପର୍ ପାଓ୍ୱାର୍ । ପରିବାର ଲୋକଙ୍କ ଦାବି ଅନୁସାରେ ଆରୁଷ ଆଖିରେ ପଟି ବାନ୍ଧି ଛବି ଚିହ୍ନି ପାରୁଛନ୍ତି, ରଙ୍ଗ ଜାଣି ପାରୁଛନ୍ତି, ଅକ୍ଷର ଓ ସଂଖ୍ୟା ପଢ଼ି ପାରୁଛନ୍ତି । ଏପରିକି ଘର ଭିତରେ ଅନାୟାସରେ ଚଳପ୍ରଚଳ ବି କରିପାରୁଛନ୍ତି । ଓଟିଭି କ୍ୟାମେରା ସାମ୍ନାରେ ବି ନିଜ ଏହି ଚମତ୍କାରୀ ପ୍ରତିଭାର କିଛି ଝଲକ ଦେଖାଇଥିଲେ ଏହି ବିସ୍ମୟ ବାଳକ ।

କୋଣାର୍କରୁ ସଞ୍ଜୟ ପତି, ଯାଜପୁରରୁ ଜନ୍ମେଜୟ ଦାଶ ଓ ରାଇରଙ୍ଗପୁରରୁ ରାଜେଶ ଶର୍ମାଙ୍କ ରିପୋର୍ଟ