• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁଇ ହାତରେ ଦୁଇଟି କଲମ । ଦୁଇ ହାତରେ ମଧ୍ୟ ଏକାଥରେ ଲେଖିପାରୁଛନ୍ତି । ଗୋଟିଏ ହାତରେ ସିଧା ଏବଂ ଅନ୍ୟ ହାତରେ ଓଲଟା । ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଲେଖିବାର ଦକ୍ଷତା ରହିଛି ତାଙ୍କର । ସମାନ ଲେଖା ସମାନ ବେଗରେ ଲେଖୁଛନ୍ତି । ଏଭଳି ଏକ ବିରଳ ପ୍ରତିଭାର ଅଧିକାରିଣୀ ହେଉଛନ୍ତି ଖୋର୍ଧା ଜିଲ୍ଲା ଜଟଣୀ ବ୍ଲକ ତରାବୋଇ ପଂଚାୟତର ମୁସକାନ ତେହେସିନ୍ । ମୁସକାନଙ୍କ ଏଭଳି ସଫଳତାକୁ ନେଇ କେବଳ ଘର ଲୋକ ନୁହଁନ୍ତି କଲେଜ ଠାରୁ ତାଙ୍କ ପଂଚାୟତ ପର୍ଯ୍ୟନ୍ତ ସମସ୍ତେ ଖୁସି । ଆଉ ସେପଟେ ଗିନିଜ ବୁକ୍‌ରେ ସ୍ଥାନ ପାଇବାକୁ ବେଶ୍ ଆଶାବାଦୀ ଅଛନ୍ତି ମୁସକାନ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତରାବୋଇ ଗ୍ରାମର ମୁସ୍କାନ ତେହେସିନ । ପ୍ରାଣନାଥ ମହାବିଦ୍ୟାଳୟର ଶେଷ ବର୍ଷର ବିଜ୍ଞାନ ଛାତ୍ରୀ । ମୁସକାନ ପିଲାଦିନେ ବାମ ହାତରେ ଓଲଟା ଲେଖୁଥିଲେ, କହିବାକୁ ଗଲେ ସଉକ ଥିଲା ତାଙ୍କର । ହେଲେ ଏଭଳି ଲେଖାକୁ ତାଙ୍କ ମା ବାରଣ କରିଥିଲେ । ମାଙ୍କ କଥା ମାନି ସେ ମଧ୍ୟ ଡାହାଣ ହାତରେ ସ୍ୱାଭାବିକ ଲେଖାଲେଖି କରିଥିଲେ । କିନ୍ତୁ କରୋନା ଯୋଗୁ ଲକଡାଉନ ସମୟରେ ମୁସକାନ ବାମ ହାତରେ ଓଲଟା ଲେଖିବା ସହିତ ଏକା ସମୟରେ ଡାହାଣ ହାତରେ ଲେଖିବା ଆରମ୍ଭ କଲେ । ପରେ ପରେ ଏଭଳି ଲେଖିବା ପାଇଁ ପରିବାର ଲୋକ ମୁସକାନଙ୍କୁ ଉତ୍ସାହିତ କରିଥିଲେ । 

ତେବେ ମୁସ୍କାନ ଓଡିଆ , ଇଂରାଜି , ହିନ୍ଦି , ସଂସ୍କୃତ ଏବଂ ଉର୍ଦ୍ଦୁ ଭାଷାରେ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଚନ୍ତି । ଆଉ ବର୍ତ୍ତମାନ ଆମ ଜାତୀୟ ସଙ୍ଗୀତକୁ ବିଭିନ୍ନ ଭାଷାରେ ଦୁଇ ହାତରେ ସିଧା ଓଲଟା ଲେଖି ତାର ଭିଡିଓ ପଠାଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାମକୁ ସ୍ଥାନିତ କରିବାର ଗୌରବ ହାସଲ କରିଛନ୍ତି । ଆଗକୁ ଗିନିଜ ବୁକ୍‌ରେ ନିଜ ନାମକୁ ସ୍ଥାନିତ କରିବାକୁ ଆଶାବାଦୀ ଥିବା କହିଛନ୍ତି ସେ । ଅନ୍ୟପଟେ ମୁସକାନର ସଫଳତା ପାଇଁ ପଂଚାୟତ ଗର୍ବିତ ବୋଲି କହିଛନ୍ତି ସ୍ଥାନୀୟ ସରପଂଚ ।

ବଳରାମ ଳେଙ୍କାଙ୍କ ରିପୋର୍ଟ