ଗାଁ ଦାଣ୍ଡରେ ପଡ଼ିଲା ହାତଗଣ୍ଠି ! ପାଞ୍ଚ ଦିନର ଧାରଣା ପରେ ସିନ୍ଦୂର ନାଇଲା ଅଭିମାନୀ ପ୍ରେମିକା

ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।

ପ୍ରେମିକ ଘର ବାରଣ୍ଡାରେ ବସି ନିଜ ହକ ପାଇଲା ପ୍ରେମିକା

ଗାଁ ଦାଣ୍ଡ ସାଜିଲା ବାହାମଣ୍ଡପ । ଅନେକ ଦିନର ମନୋମାଳିନ୍ୟ ପରେ ପଡ଼ିଲା ହାତଗଣ୍ଠି । ବଧୂ ବେଶରେ ନଇଁ ନଇଁ ସାହି ମଝିକୁ ଆସିଲେ ଯୁବତୀ । ବିବାହ ପରି ପବିତ୍ର ତଥା ମଧୁର ସମ୍ପର୍କର ସାକ୍ଷୀ ସାଜିଲେ ଗାଁ ଲୋକ ଓ ସମାଜସେବୀ । ମଥାରେ ସିନ୍ଦୂର ନାଇ ସବୁଦିନ ପାଇଁ ମନର ମଣିଷକୁ ପାଇଲେ ପ୍ରେମିକ ଘର ଆଗରେ ଧାରଣା ଦେଇଥିବା ଟିନା । ଅନେକ ଦିନ କଷ୍ଟ ସହିବା ପରେ ଏବେ ଯୁବତୀଙ୍କୁ ନ୍ୟାୟ ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଗାଲେରି ଗାଁର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

କ’ଣ ରହିଛି ପୂରା ଘଟଣା ?

ବ୍ରହ୍ମପୁର ଗୋଶାଣୀ ନୂଆଁଗାଁର ନେହୁରୁ ନଗର ସିକ୍ସଥ୍‌ ଲେନରେ ଟିନାଙ୍କ ଘର । ଏକ ବିବାହ ଉତ୍ସବରେ ତାଙ୍କର ଦେଖାହୁଏ ଗଲେରି ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ସହ । ଆଉ ସେହି ପ୍ରଥମ ଦେଖାରୁ ହିଁ ଉଭୟଙ୍କ ମନରେ ପ୍ରେମର ବୀଜ ଅଙ୍କୁରଦଗମ ହୋଇଥିଲା । ଆରମ୍ଭ ହୋଇଥିଲା ଚୋରା ପୀରତି । ଗତ ତିନିବର୍ଷ ହେଲା ସେମାନେ ପ୍ରେମସମ୍ପର୍କରେ ଥିଲେ ।

ହେଲେ ପୁଅ ଘର ଲୋକ ଏକଥା ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ରାଜି ହୋଇନଥିଲେ । ଆଉ ପରିବାର କଥାରେ ପଡି ଝିଅକୁ ବିବାହ କରିବାକୁ ମନା କରିଦେଲା ଦୁଷ୍ମନ୍ତ । ଏତିକିରେ ଟିନାଙ୍କର ହୃଦୟ ଭାଙ୍ଗି ଯାଇଥିଲା । ତିନି ବର୍ଷ ଧରି ଜଣଙ୍କୁ ହୃଦୟରେ ବସାଇବା ପରେ ତାଙ୍କୁ ଛାଡ଼ି ରହିବା ସମ୍ଭବପର ନଥିଲା । ଏଥିପାଇଁ ଗତ ପାଞ୍ଚ ଦିନ ହେଲା ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ ଟିନା । ହେଲେ ତାଙ୍କୁ ଦେଖି ଘର ଘର ଲୋକ ତାଲା ପକାଇ କୁଆଡେ ଚମ୍ପଟ ମାରିଥିଲେ ।

ହେଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଝିଅର ପକ୍ଷ ନେଇ ଦାବିକୁ ଜୋରଦାର କରିଥିଲେ । ପାଞ୍ଚ ଦିନ ଘର ଆଗରେ ଶୀତ କାକରରେ ଟିନା ପଡ଼ି ରହିଥିବା ଦେଖି ହୁଏତ ଦୁଷ୍କନ୍ତଙ୍କ ମନରେ ପରିବର୍ତ୍ତନ ହୋଇଥିବ । ପ୍ରେମିକାର ଦୁଃଖ ବୁଝି ସେ ବିବାହ ପାଇଁ ରାଜି ହୋଇଯାଇଥିଲେ । ଆଉ ବିବାହ ପାଇଁ ଜିଦ ଧରି ଧାରଣାରେ ବସିଥିବା ଟିନାଙ୍କୁ ତାଙ୍କର ମନର ମଣିଷ ମିଳିଗଲା । ଶେଷରେ ବିବାହ କରାଇବା ପାଇଁ ବୁଝାମଣା ହୋଇଥଲା । ସାହିବାସିନ୍ଦା ଓ ସମାଜସେବୀଙ୍କ ନିଷ୍ପତ୍ତି କ୍ରମେ ପ୍ରେମିକ-ପ୍ରେମିକା ଏକ ହୋଇଛନ୍ତି ।

ବିବାହ ଦିନ ଟିନାଙ୍କୁ ନାଲିଶାଢ଼ୀ ପିନ୍ଧାଇ ପ୍ରମିଳା ନିଜ ଝିଅ ଭଳି ସଜାଇ ଥିଲେ । ସାହିବାସିନ୍ଦାଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଉଭୟେ ଉଭୟଙ୍କୁ ମିଠା ଖୁଆଇବା ସହ ସମସ୍ତ ବୟସ୍କଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି । ଏଭଳି ଏକ ନିଆରା ବାହାଘର ଦେଖିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏହା ସମାଜ ପାଇଁ ଏକ ଉଦାହରଣ ନିଶ୍ଚୟ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଞ୍ଜନଗର)