• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ବିଧବା ମହିଳା

  • ସାଇକେଲରେ ଗାଁ କୁ ଗାଁ ବୁଲି ଲୁଗା ବିକି ପରିବାର ଚଳାଉଛନ୍ତି

ବାସୁଦେବପୁର( କିରୀଟି ଦାସ) : ପରିବାର ପ୍ରତିପୋଷଣ ପାଇଁ ଏ ଗାଁରୁ ସେ ଗାଁ ହେଉଛି ମହିଳା । ସାନ ପୁଅଟି ଜନ୍ମରୁ ବିଛଣାରେ ପଡ଼ିରହିଛି । ଦଶମ ପାଶ କରିଛି ବଡପୁଅ । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ସଂସାରର ବୋଝକୁ ମୁଣ୍ଡକୁ ନେଇଛନ୍ତି ଏକାକୀ ମହିଳା । ଅଭାବ ଅନଟନ ଆଉ ପିଲାମାନଙ୍କ ପେଟର ଭୋକ ତାଙ୍କୁ ସାଇକେଲ ଧରି ଗାଁ ଗାଁ ବୁଲି ବେପାର କରିବାକୁ ବାଧ୍ୟ କରିଛି । ସ୍ୱଳ୍ପ ଅର୍ଥରେ ଲୁଗାଆଣି ଏଗାଁରୁ ସେଗାଁ ବୁଲି ବେପାର କରୁଛନ୍ତି । ଯାହା ରୋଜଗାର ହେଉଛି ସେଥିରେ ତେଲ ଲୁଣର ସଂସାରକୁ ନିଅଂଟ ପଡୁଛି । ପିଲା ଦୁଇଟିଙ୍କ ମୁହଁରେ ଦାନା ଦେବାକୁ ସଂଘର୍ଷ ଜାରି ରଖିଛନ୍ତି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତର କୃଷ୍ଣନଗର ପଟଣା ଗାଁର ଶୁଭଲକ୍ଷ୍ମୀ ଓଝା । ପରିବାର କହିଲେ ଦୁଇ ପୁଅ । ମଧୁମେହ ରୋଗରେ ଆକ୍ରାନ୍ତହୋଇ ମହେଶ୍ୱର ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲେ । ଧାର ଉଦ୍ଧାର କରି ଚିକିତ୍ସା କରିଥିଲେ ବି ସ୍ୱାମୀକୁ ବଂଚାଇ ପାରିନଥିଲେ ଶୁଭଲକ୍ଷ୍ମୀ । ସାନପୁଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ସାରାଦିନ ବିଛଣାରେ ଶୋଇ ରୁହେ । ତେବେ ପିଲା ମାନଙ୍କ ମୁହଁକୁ ଚାହିଁ ଛାତିର କୋହ ଓ ଆଖିର ଲୁହକୁ ଚାପି ରଖି ସେ ଆଗକୁ ବଢିବାର ପଣ କରିଲେ ।

ମାତ୍ର ଦୁଇ ତିନି ହଜାର ଟଙ୍କାରେ ଶାଢୀ, ବ୍ଲାଉଜ, ଶାୟା ଆଣି ସାଇକେଲରେ ଗାଁ ଗାଁ ବୁଲି ବେପାର କରୁଛନ୍ତି । ଶଯ୍ୟାସାୟୀ ପିଲାଟିର ସେବା ସହ ଘରର ପାଇଟି ସାରି ସାଇକେଲରେ ଲୁଗାଧରି ବେପାରକୁ ବାହାରି ଯାଆନ୍ତି ଶୁଭଲକ୍ଷ୍ମୀ । ଏ ସାହିରୁ ସେ ସାହି, ଏ ଗାଁରୁ ସେ ଗାଁ ସାଇକେଲମାରି ଲୁଗା ବିକିଛନ୍ତି । ବେପାରରୁ କାଁ ଭାଁ ଯାହା ଦୁଇ ପଇସା ବାହାରୁଛି, ସେଇଥିରେ ପରିବାର ଚଳାଇବାକୁ ଚେଷ୍ଟା କରିଛନ୍ତି । ସରକାରଙ୍କ ପକ୍ଷରୁ ମାସିକିଆ ଚାଉଳ ଆଉ ଭତା ଟଙ୍କାରେ କଷ୍ଟେମଷ୍ଟେ ଚଳୁଛନ୍ତି ।

କେବଳ ବଡ ପୁଅଟି ତାଙ୍କର ସାହା ଭରଷା । ପୁଅଟି ଏଥର ଦଶମ ପାଶ କରିଛି । କଲେଜରେ ନାମ ଲେଖାଇ ପାଠପଢାଇ ଆଗକୁ ନେବାକୁ ତାଙ୍କ ପାଖରେ ସମ୍ବଳ ନାହିଁ । କୌଣସି ସହୃଦୟ ବ୍ୟକ୍ତି ଅବା ସରକାରୀ ସ୍ତରରେ ସହାୟତା ମିଳିଲେ ପୁଅଟି ପାଠ ପଢିପାରିବ ବୋଲି ନିବେଦନ କରିଛନ୍ତି ।