• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସଂପର୍କର ସଂଜ୍ଞା ନାହିଁ କି ପରିଭାଷା । ପରସ୍ପର ସହ ସମ୍ପର୍କ କେତେ ନିବିଡ଼, ତାହା ଜଣଙ୍କ ଅନୁପସ୍ଥିତିରେ ହିଁ ଅନୁଭବ କରିହୁଏ ।  ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗାଁରେ । ପୋଷା କୁକୁରର ଅକାଳ ବିୟୋଗରେ ଆଜିକୁ ୪ ଦିନ ଧରି ଅଖିଆ ଅପିଆ ରହିଛନ୍ତି ଗୋଟିଏ ପରିବାର । ସେପଟେ କୁକୁର ଡୁଗୁର ଚିକିତ୍ସା ଅବହେଳା ଅଭିଯୋଗ ନେଇ ମାମଲା ପହଞ୍ଚିଛି ଥାନାରେ ।

ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ । ଡୁଗୁ ତାଙ୍କ ଘରର ପୁଅ ନୁହେଁ, ପୋଷା କୁକୁର ଥିଲେ ବି ପୁଅଠୁ ଅଧିକ ଥିଲା । ତା’ସହ ଭାବ ଓ ସମ୍ପର୍କ ।

ଗତ ୧୭ ତାରିଖରେ ଡୁଗୁର ଦେହ ହଠାତ ଅସୁସ୍ଥ ହୋଇପଡ଼ିଥିଲା । ପରେ ତାକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ମାଲିକାଣୀ ସାବିତ୍ରୀ ଡାକୁଆ । ଡାକ୍ତର ଔଷଧ ଓ ଇଞ୍ଜେକ୍ସନ ଦେଇ ଦେହ ଭଲ ହୋଇଯିବ କହି ଘରକୁ ପଠାଇଥିଲେ । ଘରେ ପହଞ୍ଚିବାର ଘଣ୍ଟାକ ଭିତରେ ଆଖି ବୁଜି ଦେଇଥିଲା ଡୁଗୁ । 

 

ଚିକିତ୍ସା ପରେ ଡୁଗୁର ଦେହ ଭଲ ହେବା ବଦଳରେ ତାର ଆକଷ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିନଥିଲେ ଡାକୁଆ ପରିବାର ।  ଏଥିପାଇଁ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରି ଭଂଜନଗର ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ କିଛି ନଶୁଣିବାରୁ ପରେ ଗଞ୍ଜାମ ଏସପିଙ୍କୁ ବି ଗୁହାରି କରିଛନ୍ତି ।

ଗଞ୍ଜାମ ଭଞ୍ଜନଗର ବ୍ଲକ୍ ଜିଲୁଣ୍ଡି ଗାଁର ସାବିତ୍ରୀ ଡାକୁଆ । ୪ ବର୍ଷ ତଳେ ଡୁଗୁକୁ ଆଣି ପାଖରେ ରଖିଥିଲେ । ମାତ୍ର ୧୨ ବର୍ଷ ବୟସରେ ମସ୍ତିଷ୍କ ଜ୍ୱରରେ ପୁଅର ମୃତ୍ୟୁ ପରେ ଡୁଗୁ ମୁହଁକୁ ଚାହିଁ ସେମାନେ ଦିନ କାଟୁଥିଲେ । ୟା ଭିତରେ ଘରର ପ୍ରତ୍ୟକ ସଦସ୍ୟଙ୍କ ସହ ଡୁଗୁର ସମ୍ପର୍କ ଏତେ ନିବିଡ଼ ହୋଇଥିଲା ଯେ, ତା ପାଇଁ ପୁଅ ମୃତ୍ୟୁକୁ ଭୁଲି ଯାଇଥିଲେ ଡାକୁଆ ପରିବାର ।

ତେବେ ଡୁଗୁର ଅକାଳ ବିୟୋଗରେ ସେମାନେ ମର୍ମାହତ, ମିୟମ୍ରାଣ । ଡୁଗୁର ମୃତ୍ୟୁ ଯେ କେବଳ ଡାକୁଆ ପରିବାରକୁ ଦୁଃଖ ପହଞ୍ଚାଇଛି ତା ନୁହେଁ, ଏଥିରେ ସମଭାଗୀ ହୋଇଛନ୍ତି ତାଙ୍କ ପାଖ ପଡ଼ୋଶୀ । ସେପଟେ ଡୁଗୁର ଚିକିତ୍ସାରେ କୌଣସି ପ୍ରକାର ତ୍ରୁଟି କରାଯାଇନଥିବା କହିଛନ୍ତି ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ।

ଡୁଗୁ ପାଇଁ ନ୍ୟାୟ ମାଗି ଚାରିଆଡୁ ନିରାଶ ପରେ ଶେଷରେ ମୃତ୍ୟୁର ୪ ଦିନ ପରେ ରୀତିନୀତି ସହକାରେ ଶବ ଶତ୍କାର କରିଛନ୍ତି ।  ହେଲେ ତା ସ୍ମୃତି ମନରୁ ଲିଭୁ ନଥିବାରୁ ଏବେ ବି ତା ସମାଧି ନିକଟରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଡାକୁଆ ପରିବାରର ପ୍ରତ୍ୟକ ସଦସ୍ୟ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଞ୍ଜନଗର)


ପୁଅଠୁ ବଳି ପୋଷା କୁକୁର 
ଡୁଗୁର ମୃତୁ୍ୟକୁ ବିତିଲା ୪ ଦିନ, ଅଖିଅା ଅପିଅା ମାଲିକ 
ଡୁଗୁର ହଠାତ ମୃତୁ୍ୟ ପାଇଁ ଡାକ୍ତରଙ୍କୁ ଦାୟୀ କଲେ ପରିବାର 
ଥାନାରେ ଏତଲା, ଏସ୍ପିଙ୍କ ନିକଟରେ ଫେରାଦ