Advertisment

ପ୍ରଶସ୍ତ ବଡ଼ଦାଣ୍ଡ ଥାଇ ବି କାହିଁକି ଶ୍ରୀଦାଣ୍ଡ ? ଭିଡ଼ରୁ ନିସ୍ତାର ନା VIP ଙ୍କ ସ୍ୱାର୍ଥପ୍ରୀତି

ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।

ଅଦ୍ୟତନ ହୋଇଛି
undefined

Sri Danda Made in Puri

Advertisment

ପ୍ରଶସ୍ତ ବଡ଼ଦାଣ୍ଡ ଥାଉ ଥାଉ ପୁଣି କାହିଁକି ତିଆରି ହେଉଛି ଶ୍ରୀଦାଣ୍ଡ ? ଭିଆଇପିଙ୍କ ସ୍ୱାର୍ଥକୁ ସୁରକ୍ଷା ? ନା ଭିଡ଼ କମାଇବା ଆଳରେ ଭକ୍ତଙ୍କ ଆସ୍ଥାକୁ ଉପେକ୍ଷା ? ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଜଗନ୍ନାଥ ବଲ୍ଳଭ ପାର୍କିଂରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ବିକଳ୍ପ ଚଲାପଥ ପାଇଁ ଦୃତ ଗତିରେ ନିର୍ମାଣ ଚାଲିଥିବା ଏ ରାସ୍ତାକୁ ନେଇ ଉଠିଛି ପ୍ରଶ୍ନ । ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ ଥିଲା। ଏହା ହେଲେ ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତମାନେ ଆଉ ସହର ଭିତରେ ନ ପଶି ବାଇପାସ୍ ରାସ୍ତାରେ ମଙ୍ଗଳାଘାଟ ପାଖ ଟ୍ରଂପେଟ୍ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସି ଗାଡ଼ି ରଖିବେ। ଆଉ ସେଠୁ ଶ୍ରୀଦାଣ୍ଡ ଦେଇ ସିଧାସଳଖ ଶ୍ରୀମନ୍ଦିର ପାଖରେ ପହଞ୍ଚିବେ। ହେଲେ ଶ୍ରୀଦାଣ୍ଡକୁ ନେଇ ଉଠିଲାଣି ଆପତ୍ତି। ଏହା ସାଧାରଣ ଭକ୍ତଙ୍କ ପାଇଁ ନୁହେଁ ବରଂ ଭିଭିଆଇପି ସ୍ୱାର୍ଥରେ ବୋଲି କହିଛି ଜଗନ୍ନାଥ ସେନା।

Advertisment

ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି। ମନ୍ଦିର ସଲଗ୍ନ ଚୁଡ଼ଙ୍ଗ ସାହିର ୩୯ ଓ ଦାଣ୍ଡିମାଳ ସାହିର ୯ଟି ପ୍ଲଟ ଏଥିପାଇଁ ଅଧିଗ୍ରହଣ ହେବ। ଫଳରେ ଚୁଡ଼ଙ୍ଗସାହିର ୬୬ ଓ ଦାଣ୍ଡିମାଳ ସାହିର ୧୮, ଏଭଳି ମୋଟ୍ ୮୪ ପରିବାର କ୍ଷତିଗ୍ରସ୍ତ ହେବେ। ଯଦିଓ ବିସ୍ଥାପିତ ହେବାକୁ ଥିବା ପରିବାର ମହାପ୍ରଭୁଙ୍କ ସେବା ପାଇଁ ମୂଲ୍ୟବାନ ଭିଟାମାଟି ଛାଡ଼ିବାକୁ ରାଜି, ହେଲେ ମାଗିଛନ୍ତି ଉଚିତ୍ ମୂଲ୍ୟ। ସଫା ସଫା କହିଛନ୍ତି- ଏଥିରେ ବିଚ୍ୟୁତି ହେଲେ ଇଞ୍ଚେ ବି ଜାଗା ଛାଡ଼ିବୁନି।

ସେହିପରି ଏକଦା ମୂଲ୍ୟବାନ ଔଷଧୀୟ ବୃକ୍ଷ ଓ ଶହ ଶହ ନଡ଼ିଆ ଗଛରେ ଭର୍ତ୍ତୀ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନକୁ ଲଣ୍ଡା କରି ରାସ୍ତା ନିର୍ମାଣକୁ ବି ନେଇ ଉଠିଲାଣି ବିରୋଧର ସ୍ୱର । ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ଦୟଣାଚୋରି ଓ ବେଣ୍ଟ ଶିକାର ନୀତି ମଧ୍ୟ ହୋଇଥାଏ। ଏବେ ଆଉ ତାହା ହୋଇପରିବନି ବୋଲି ସେବକ ମତ ଦେଲେଣି। ଆଉ ଏସବୁ ଭିତରେ ରାସ୍ତା କାମ ଯୋଗୁଁ ଠାକୁରଙ୍କ ଦୋଳବେଦୀ ପାହାଚ ଭାଙ୍ଗିବା ସହ ରାସ୍ତା ସଙ୍କୁଚିତ ହେଉଥିବା ଅଭିଯୋଗ ଆସିଲାଣି। ଯାହାଦ୍ୱାରା ଦୋଳ ଉତ୍ସବ ସମୟରେ ଠାକୁରଙ୍କ ବିମାନ ଆସିବାରେ ଘୋର ଅସୁବିଧା ହେବ ବୋଲି କହୁଛନ୍ତି ବିମାନବଡୁ ସେବକ। ହେଲେ ଓବିସିସି କହୁଛି- ସବୁ ନିୟମ ଭିତରେ ହେଉଛି। ଏବେ ଦେଖିବାର କଥା ଶ୍ରୀଦାଣ୍ଡ ସତରେ ବଡ଼ଦାଣ୍ଡରୁ ଭିଡ଼ କମାଇବ ନା କେବଳ ଭିଆଇପି ଭକ୍ତଙ୍କ କାମରେ ଲାଗିବ ? 

Advertisment
Odisha Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ