• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରିଯାଇଛି ଫେବୃଆରୀ। ଆସିଯାଇଛି ମାର୍ଚ୍ଚ ମାସ। ଏହି ମାସରେ ବଦଳିବାକୁ ଯାଉଛି ବିଭିନ୍ନ ନିୟମ। ପୁରୁଣା ନିୟମରେ ଅନେକ ପରିବର୍ତ୍ତନ ବି ହେବାକୁ ଯାଉଛି। କେବଳ ରାଜ୍ୟ ନୁହେଁ, ଦେଶରେ ମାର୍ଚ୍ଚ ମାସରୁ ବଦଳୁଛି ନିୟମ। ହେବାକୁ ଯାଉଛି ଏସବୁ ବଡ଼ ପରିବର୍ତ୍ତନ।

ଝାରସୁଗୁଡାରୁ ମୁମ୍ବାଇକୁ ଜେଟ

ପ୍ରଥମରୁ ଓଡ଼ିଶା ପାଇଁ ଖୁସି ଖବର। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମାର୍ଚ୍ଚ ୧ ତାରିଖରୁ ସ୍ପାଇସ୍ ଜେଟ୍ ମୁମ୍ବାଇକୁ ବିମାନ ସେବା ଆରମ୍ଭ କରିବ । ଏହା ସହ ନୂଆଦିଲ୍ଲୀକୁ ଏକ ଅତିରିକ୍ତ ବିମାନ ଉଡାଣ କରିବାର ରହିଛି । ଏଥିପାଇଁ ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ନୂଆ ସିଡ୍ୟୁଲ୍‌ ଘୋଷଣା କରାଯାଇଥିବା ଜଣାପଡିଛି। ଏଥିଯୋଗୁ ମୁମ୍ବାଇ ଓ ଦିଲ୍ଲୀକୁ ବିମାନ ଚଳାଚଳର ନୂଆ ସମୟ ସାରଣୀ କାର୍ଯ୍ୟକାରୀ ହେବା ସହ ଏଥି ପାଇଁ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ଜାରି ରହିଛି।

ସରଚାର୍ଜ ବଢ଼ାଇବ ଦକ୍ଷିଣ କୋରିଆ

ଦ୍ୱିତୀୟରେ ଜାଣନ୍ତୁ ନୂଆ ନିୟମ। ଦକ୍ଷିଣ କୋରିଆ ଏୟାରଲାଇନ୍ସ ଆସନ୍ତା ମାର୍ଚ୍ଚ ମାସଠାରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ବଢ଼ାଇବାକୁ ପ୍ରସ୍ତୁତ ରହିଛି। କାରଣ ଜେଟ୍ ଇନ୍ଧନର ଦର ଦ୍ରୁତ ଗତିରେ ବଢ଼ିଥିବାରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ଆସନ୍ତା ମାର୍ଚ୍ଚ ମାସଠାରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ। ଏଣିକି ଅନ୍ତର୍ଜାତୀୟ ପଥରେ ୱାନ ୱେ ଟିକେଟ ପାଇଁ ସରଚାର୍ଜ ୧୮ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ଯାଏଁ ହୋଇପାରେ।

ଅନ୍ତର୍ଜାତୀୟ ଉଡାଣ ନିୟମିତ

ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଆଶ୍ୱସ୍ତି ଖବର ଦେବ ଆଜିର ତାରିଖ। ଦୀର୍ଘ ୨୩ ମାସ ହେବ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇପାରନ୍ତି ସରକାର। ଆଜିଠାରୁ ଦେଶରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ପୁଣି ଥରେ ଆରମ୍ଭ ହୋଇପାରେ। କରୋନା କାରଣରୁ ସରକାର ୨୦୨୦ରେ ସମସ୍ତ ପ୍ରକାରର ନିୟମିତ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି। ପରେ ଘରୋଇ ବିମାନ ଉଡାଣ ଉପରୁ କଟକଣା ଉଠାଇ ଦେଇଛନ୍ତି। କିନ୍ତୁ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଏବେବି କଟକଣା ଜାରି ରହିଛି।

ଏଚ-୧ବି ଭିସା ପଞ୍ଜିକରଣ

ଆମେରିକାର ଏଚ୍-୧ବି ଭିସା ପାଇଁ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ। ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଏଚ୍-୧ବି ଭିସା ପାଇଁ ପଞ୍ଜିକରଣ କରି ହେବ। ଯୁକ୍ତରାଷ୍ଟ୍ର ନାଗରିକତା ଏବଂ ଇମିଗ୍ରେସନ୍ ସର୍ଭିସେସ୍ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ମାର୍ଚ୍ଚ ୧ରୁ ୧୮ ମଧ୍ୟରେ ଆବେଦନକାରୀ ଏବଂ ପ୍ରତିନିଧୀମାନେ ଅନଲାଇନ୍ ଏଚ୍-୧ବି ପଞ୍ଜିକରଣ ସିଷ୍ଟମ ବ୍ୟବହାର କରି ସେମାନଙ୍କର ପଞ୍ଜିକରଣ କରିପାରିବେ। ୟୁଏସସିଆଏସରେ ଦାଖଲ ହୋଇଥିବା ପ୍ରତ୍ୟେକ ପଞ୍ଜିକରଣ ପାଇଁ ଏକ ନମ୍ବର ଦିଆଯିବ। ଯାହା କେବଳ ପଞ୍ଜିକରଣକୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହେବ। ଅନ୍ୟ କୌଣସି କାମ ପାଇଁ ଏହାକୁ ଆବେଦନକାରୀ ବ୍ୟବହାର କରିପାରିବେ ନାହିଁ।

ଟ୍ରାଫିକ ଚାଲାଣରେ ରିହାତି

ହାଇଦ୍ରାବାଦ ଓ ରଚାକୋଣ୍ତା କମିଶନରେଟ ପୋଲିସ ଆଜିଠାରୁ ଟ୍ରାଫିକ ଚାଲାଣରେ ରିହାତି ଦେବାର ବ୍ୟବସ୍ଥା କରୁଛି। ତେଣୁ ମୋଟର ଚାଳକଙ୍କ ଉପରେ ଲାଗିଥିବା ଚାଲାଣ ଉପରେ ରିହାତି ପାଇଁ ପୋଲିସ ବିଭାଗ ଏହି ଯୋଜନା କରିଛି। ମାର୍ଚ୍ଚ ୧ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଅର୍ଥାତ ମାସେ ମଧ୍ୟରେ ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଚାଲାଣ ଜରିମାନା 100 ଟଙ୍କା ଥାଏ ତେବେ ଚାଳକଙ୍କୁ କେବଳ 25 ଟଙ୍କା ଦେବାକୁ ହେବ।

ଖୋଲିବ ଦିଲ୍ଲୀ ଚିଡିଆଖାନା

ମାର୍ଚ୍ଚ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଦିଲ୍ଲୀ ଚିଡିଆଖାନା।। କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ଏହି ଚିଡିଆଖାନା ଆଜିଠାରୁ ଖୋଲୁଛି। ବର୍ତ୍ତମାନ ସୀମିତ ସଂଖ୍ୟକ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଚିଡିଆଖାନା ଭିତକୁ ଯିବାକୁ ହେଲେ ପର୍ଯ୍ୟଟକମାନେ କେବଳ ଅନଲାଇନରେ ଟିକେଟ୍ କରିପାରିବେ।

+୨ ବୋର୍ଡ ପରୀକ୍ଷା ଆରମ୍ଭ

ଚଳିତ ବର୍ଷ ଓଡ଼ିଶାରେ +୨ ବୋର୍ଡ ପରୀକ୍ଷା ଓ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଥିଓରି ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଥିବା ଜଣାପଡିଛି। ଚଳିତ ବର୍ଷ ରାଜ୍ୟର ୨ ହଜାରରୁ ଅଧିକ ଜୁନିୟର କଲେଜର ପ୍ରାୟ ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୧୧୭୦ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶ୍ନପତ୍ର ରଖିବା ଲାଗି ୬୫ରୁ ଅଧିକ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

କୋଭିଡ ହସ୍ପିଟାଲ ବନ୍ଦ

ଗତ କିଛି ମାସ ହେବ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ବି.ଏମ.ସି.। ଆଜିଠାରୁ ବନ୍ଦ ହେବ ହାଇଟେକ୍ କୋଭିଡ ହସ୍ପିଟାଲ। ନୂଆ ରୋଗୀଙ୍କୁ ଭର୍ତ୍ତି ନ କରିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଧିରେ ଧିରେ ଅନ୍ୟ ସବୁ କୋଭିଡ ହସ୍ପିଟାଲ ବନ୍ଦ ହୋଇପାରେ ବୋଲି କୁହାଯାଉଛି।

୧୨ରୁ ୧୪ ବର୍ଷଙ୍କୁ ଟିକା

ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଇପାରେ କୋଭିଡ ଟିକା। ନେସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ଏନ୍.କେ ଅରୋରା ଏ ନେଇ ସୂଚନା ଦେଇଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯାଇପାରେ। ଏବେ ୧୫ରୁ ୧୮ ବର୍ଷଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉଛି।

ଚଳଚଞ୍ଚଳ ହେବ ରଙ୍ଗମଞ୍ଚ

କରୋନା ଯୋଗୁଁ ନିସ୍ତବ୍ଧ ପାଲଟିଥିବା ରଙ୍ଗମଞ୍ଚ ଏବେ ଚଳଚଞ୍ଚଳ ହୋଇଉଠିବ। ମୁହଁରେ ରଙ୍ଗ ବୋଳା ହେବ। ଦମ୍‌ଦାର୍‌ ସଂଳାପକୁ ଅଭିନୟର ଯାଦୁଗରୀ ଦର୍ଶକଙ୍କୁ ଅଭିଭୂତ କରିବ। ଅନ୍ଧାର ପ୍ରେକ୍ଷାଳୟରୁ ମାର୍ଚ୍ଚରେ ପରଦା ଉଠିବାକୁ ଯାଉଛି। ଚଳିତ ବର୍ଷର ମାର୍ଚ୍ଚ ମାସ ପାଲଟିବାକୁ ଯାଉଛି ନାଟକର ମାସ। ମାର୍ଚ୍ଚ ୧ରୁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନଭିନ୍ନ ସ୍ବାଦର ନାଟକ ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେବ। ମାର୍ଚ୍ଚ ୨୭ରେ ‘ବିଶ୍ବ ନାଟ୍ୟ ଦିବସ’ ପଡ଼ୁଥିବାରୁ ଏହି ମାସକୁ ସମ୍ପୂର୍ଣ୍ଣ ଭାବେ ନାଟକ, ନାଟ୍ୟକାର, ନାଟ୍ୟ କଳାକାର ଓ ନାଟ୍ୟପ୍ରେମୀଙ୍କ ପାଇଁ ଉତ୍ସର୍ଗ କରାଯିବ।

ଆଇପିଏଲ ସିଜିନ ଆରମ୍ଭ

ମାର୍ଚ୍ଚ ମାସ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ ସିଜିନର ପ୍ରଥମ ମ୍ୟାଚ ୨୭ ତାରିଖରୁ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏବର୍ଷ ଆଇପିଏଲ ଟି-୨୦ ଲିଗରେ ୧୦ଟି ଟିମ୍‌ ମଇଦାନକୁ ଓହ୍ଲାଇବେ। ୨୦୪ ଜଣ ଖେଳାଳିଙ୍କୁ ବିଭିନ୍ନ ଟିମରେ ସ୍ଥାନ ମିଳିଛି। ୩୩ ଖେଳାଳି ରିଟେନ ରହିଛନ୍ତି। ଅର୍ଥାତ୍‌ ଏହି ସିଜନରେ ମୋଟ ୨୩୭ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ।

ତାତିବ ସାରା ଓଡ଼ିଶା

ରାଜ୍ୟବାସୀଙ୍କୁ ଛଟପଟ କରିବ ମାର୍ଚ୍ଚ ମାସର ଅସମ୍ଭାଳ ତାତି। ଆଗୁଆ ମାଡ଼ି ଆସିବାକୁ ଯାଉଛି ଗ୍ରୀଷ୍ମ। ମାର୍ଚ୍ଚରୁ ସିଝିବ ଓଡ଼ିଶା । କିନ୍ତୁ ଖୁସିର କଥା ସେ ଓଡ଼ିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଉପକୂଳ ଜିଲ୍ଲାରେ ୫ରୁ ୭ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବଢ଼ିବ। ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ୨୦୨୨ର ସମ୍ଭାବ୍ୟ ପାଣିପାଗକୁ ନେଇ ଏଭଳି ଆକଳନ କରାଯାଉଛି।

ଆରମ୍ଭ ହୋଇଗଲାଣି ମାର୍ଚ୍ଚ ମାସ। ଆପଣଙ୍କ ପାଇଁ ଆସିଥିବା ନୂଆ ନିୟମ ଓ ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା ପରେ ନିଜକୁ ଠିକ ଭାବେ ପ୍ରସ୍ତୁତ କରି ନିଅନ୍ତୁ। ଯେମିତି ଅସୁବିଧାରେ ପଡି ଆପଣ ହଇରାଣ ହରକତ ନ ହେବେ।