Advertisment

ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର।

Waterlogging in Bhubaneswar affects normal life

Waterlogging in Bhubaneswar affects normal life

Advertisment

ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ କାଚିବ ବର୍ଷା। ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସ୍ଥିତି।

Advertisment

ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର। ନଦୀର ଭ୍ରମ ସୃଷ୍ଟି କରିଛି ଭୁବନେଶ୍ବର ରଥ ରୋଡ୍‌ର। ଦଲକାଏ ବଡ଼ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି। ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ୱରବାସୀ। ରାଜଧାନୀ ଛାତି ଉପରେ ଥିବା କମିଶନରେଟ୍ ପୋଲିସ ମୁଖ୍ୟାଳୟ ସମ୍ମୁଖ ରାସ୍ତାର। ବର୍ଷା ପାଣି ସ୍ରୋତରେ ରାସ୍ତା, ଡ୍ରେନ୍ ସବୁ ଏକାକାର। ଏମିତିକି ଖୋଦ୍ ମେୟର ମାଡାମ୍ ବି ବୁଝିପାରୁନାହାନ୍ତି, ଏଠି ଡ୍ରେନ୍ ପାଣି କାହିଁକି ରାସ୍ତା ଉପରକୁ ଉଛୁଳୁଛି। ସେପଟେ ସମସ୍ୟା ନେଇ ଇଂଜିନୟରଙ୍କୁ ପଚାରିବା ବେଳେ ସେ ଛତାରେ ମୁହାଁ ଲୁଚାଇ ପଳାଉଥିବା ଦେଖିବାକୁ ମିଳିଥିଲା।

ରସୁଲଗଡ଼-ବମିଖାଲ ରାସ୍ତାର ଦୃଶ୍ୟ ବି ସମାନ। ଡ୍ରେନେଜ ସମସ୍ୟାର ସମାଧାନ ହେଉ ନ ଥିବାରୁ ବର୍ଷ ବର୍ଷ ହେଲା ସ୍ଥାନୀୟ ଲୋକେ ଅସରାଏ ବର୍ଷା ହେଲେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଚିରାଚରିତ ଭାବେ ସାମାନ୍ୟ ବର୍ଷାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଇସ୍କନ ସମ୍ମୁଖରେ। ସକାଳୁ ଆରମ୍ଭ ହୋଇଥିବା ବର୍ଷାରେ ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡର ଅବସ୍ଥା ନକହହିବା ଭଲ। କାର୍ ଅଧା ବୁଡ଼ିଯାଇଥିବା ବେଳେ ବାଇକରେ ଯାଉଥିବା ଯାତ୍ରୀଙ୍କ ଦୁଃଖ ନ କହିଲେ ଭଲ।

Advertisment

ଆଉ ଶୋଇବା ଘରେ ପାଣି ଲହଡ଼ି ଭାଙ୍ଗୁଛି ଲକ୍ଷ୍ମୀସାଗର ମଣ୍ଡପ ସାହିରେ। ଡ୍ରେନ୍ ଫୁଲ ହୋଇଯିବା ପରେ ସକାଳୁ ସକାଳୁ ଲୋକଙ୍କ ଘରେ ପଶିଛି ପାଣି। କିଏ ବାଲଟି ତ’ ଆଉ କିଏ ଗିନା ତାଟିଆ ଧରି ଘରୁ ପାଣି ବାହାର କରୁଛି। ସ୍ଥିତି ଏମିତି ଯେ ନିଜର ଛୋଟ ଛୁଆ ପାଇଁ ରୋଷେଇ କରିବାକୁ ଯାଇପାରୁନି ମାଆ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୮ଟାରୁ ସାଢ଼େ  ୧୧ଟା, ମାତ୍ର ୩ ଘଣ୍ଟାରେ ରାଜଧାନୀରେ ୩୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଖାଲି ଲଗାଣ ବର୍ଷାରେ ସରିନି ରାଜଧାନୀର ଦୁର୍ଦ୍ଦଶା। ବିଜୁଳି ଘଡ଼ଘଡ଼ିରେ ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡ଼ିଛି ରାମେଶ୍ୱର ମନ୍ଦିରର ଦଧିନଉତି। ବିଜୁଳି ପ୍ରତିରୋଧକ ଲାଗି ନ ଥିବାରୁ ବିଜୁଳି ମାଡ଼ରେ ଦଧିନଉତି ଭାଙ୍ଗି ଯାଇଥିବା କହିଛନ୍ତି ଏଏସ୍ଆଇ ସୁପରିଟେଣ୍ଡାଣ୍ଟ। 

Advertisment
Smart City Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ