• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଟଣାଗଡ(କରୁଣାକର ବୁଡେକ) : ଆମ ଗାଁ ରାସ୍ତା ଆମ ନିଜେ ସଜାଡ଼ିବୁ । ସରକାରୀ ବାବୁ ତ ଶୁଣିଲେନି । ଆମ ହାତ ଗୋଡ଼ ଅଛି, ଆମକୁ କରିବାକୁ ପଡ଼ିବ । ଗାଁକୁ ଭଲ ରାସ୍ତା ଟିଏ ପାଇଁ ପ୍ରାଶାସନ ପାଖରେ ଗୁହାରୀ କରି ଥକି ଗଲେ, ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ । ଶେଷରେ ବର୍ଷ ବର୍ଷ ଧରି ଖାଲଖମା ରାସ୍ତାରେ ଯାଆସ କରିବା ପରେ ନିଜେ ରାସ୍ତା ମରାମତି କରିବାକୁ ବାହାରି ପଡିଲେ ଗ୍ରାମବାସୀ । ନିଜେ ଟଙ୍କା ବାହାର କରି ରାସ୍ତାରେ ମାଟି ପକାଇ ଗାଁ ରାସ୍ତାକୁ ମରାମତି କରିଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଉଡିଙ୍ଗ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ବିତିଗଲା କିନ୍ତୁ ଗାଁକୁ ଭଳ ରାସ୍ତାଟିଏ ହୋଇ ପାରିଲାନାହିଁ । ଖାଲଖମା ରାସ୍ତାରେ ବର୍ଷ ବର୍ଷ ଧରି ଯାତାୟତ କରୁଛନ୍ତି ଗ୍ରାମବାସୀ । ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ଏଥର ଆମେ ଆସିଲେ ଗାଁକୁ ପକ୍କା ରାସ୍ତା କରିଦେବାର ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିଲେ ଗାଁ ପାଖ ମାଡୁନାହାନ୍ତି ଜନ ପ୍ରତିନିଧି ।

୨୦ ରୁ ୩୦ ବର୍ଷ ହୋଇଗଲା ଗାଁକୁ ପକ୍କା ରାସ୍ତା ଦାବି କରି ଥକି ପଡିଲେଣି ହେଲେ କେହିଁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି । ଶେଷରେ ଗାଁ ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିରେ ଗ୍ରାମବାସୀ । ସରକାର ଆଦିବାସୀ ହରିଜନମାନଙ୍କ ଉନ୍ନତି ଦିଗରେ ଚିନ୍ତାକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଉଡିଙ୍ଗ ଗାଁରେ ଆଦିବାସୀ ହରିଜନ ସଂପ୍ରଦାୟର ଲୋକ । ନିଜେ ରାସ୍ତା ମରାମତି କରି ନୂତନ ବାର୍ତ୍ତା ଦେଇଛନ୍ତି ।

ଅନ୍ୟପଟେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରିନାହିଁ । ତେବେ ଦେଖିବାକୁ ବାକି ରହିଲା ସରକାର କେବେ ଏହି ଗରିବ ଆଦିବାସୀଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉଛନ୍ତି ଏବଂ ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ।