ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ । ଏଥିଲାଗି ସାରା ରାଜ୍ୟରେ ଏହି ବୀରପୁତ୍ରଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜନ୍ମସ୍ଥାନ ସମ୍ବଲପୁରର ଖିଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସେହିପରି ସମ୍ବଲପୁର ସହରର ଜେଲ୍ ଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।
୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ । ଖିଣ୍ଡାବଂଶୀୟ ଦେବାନ ବଳରାମସାଏଙ୍କୁ ରାଜଗାଦିରୁ ଇଂରେଜମାନେ ହଟାଇବା ପରେ, ସେହି ବଳରାମ ସାଏଙ୍କ ପରାମର୍ଶରେ ସୁରେନ୍ଦ୍ର ସାଏ ବ୍ରିଟିଶ ଶାସକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
Also Read
ତେବେ ୧୮୩୭ରେ ବାରପାହାଡ଼ ଗୁମ୍ଫାରେ ବିଶ୍ରାମ ନେବାବେଳେ ସୁରେନ୍ଦ୍ରଙ୍କୁ ଇଂରେଜମାନେ ଆକ୍ରମଣ କରିଥିଲେ । ଏଥିରେ ଆହତ ହୋଇ ସୁରେନ୍ଦ୍ର ସେଠାରୁ ଖସି ପଳାଇଥିଲେ । ୧୮୪୦ରେ ରାମପୁର ରାଜବାଟୀକୁ ଆକ୍ରମଣ କରି ଧ୍ୱଂସ କରିଥିଲେ । ପରେ ପରେ ୧୮୫୭ ସିପାହୀ ବିଦ୍ରୋହରେ ସାମିଲ ହୋଇଥିଲେ ସୁରେନ୍ଦ୍ର ସାଏ । ଇଂରେଜଙ୍କ ବିରୋଧରେ ଗରିଲା ଯୁଦ୍ଧ କରିଥିଲେ ସୁରେନ୍ଦ୍ର ସାଏ । ତେବେ ୧୮୬୨ରେ ଇଂରେଜଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ସୁରେନ୍ଦ୍ର । ୧୮୬୪ରେ ସେ ଜେଲରେ ମୁକ୍ତ ହୋଇଥିଲେ ।