• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେଉଁ କେତେ ଜଣ ଶିକ୍ଷିତ ଯୁବକ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିରେ ନବ ଜାଗରଣ ଆଣିବାକୁ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଅନ୍ୟତମ।

ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଆନନ୍ଦ ଦାସଙ୍କ ପରିବାରରେ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ଏହି ବରପୁତ୍ରଙ୍କ ଜନ୍ମ। ଗାଁ ସ୍କୁଲରେ ତାଙ୍କର ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା। ୧୮୯୯ ରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ୧୯୦୯ ରେ ସେ ବିଏ ପାସ୍ କଲେ ଓ ତାଙ୍କର ଏମ୍ଏ ଓ ବିଏଲ୍ ଡିଗ୍ରି ପାଇଁ ସେ କଲିକତା ଯାଇଥିଲେ।  ୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ।

ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।  କିନ୍ତୁ ଅସହଯୋଗ  ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା.। ପରେ ପରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଜଣେ କାର୍ଯ୍ୟକାରୀ ସଦସ୍ୟ ଏବଂ ସର୍ବଭାରତୀୟ କଂଗ୍ରେସ କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ସେତେବେଳେ ସମ୍ବଲପୁରରୁ ପ୍ରକାଶ ପାଉଥିବା ସେବା ଖବରକାଗଜର ସେ ସଂପାଦନା କରୁଥିଲେ।

ତେବେ ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସେ ୧୯୨୨ ମସିହାରେ ଗିରଫ ହୋଇଥିଲେ ଏବଂ ହଜାରୀବାଗ ଜେଲରେ ୬ ମାସ ବନ୍ଦୀ ଜୀବନ କାଟିଥିଲେ। ପଣ୍ଡିତ ଗୋପବଂଧୁ ଦାସଙ୍କ ସହ ବିଚାର ବମର୍ଶ ପରେ ସାଧାରଣ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତି ନେଇଥିଲେ ଏବଂ ୧୯୨୩ ରେ ସେ ସେଣ୍ଟ୍ରାଲ ଆସେମ୍ବଲିର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୧୯୨୮ରେ ପଣ୍ଡିତ ଗୋପବଂଧୁଙ୍କ ପରଲୋକ ପରେ ସେ ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ଭାର ହାତକୁ ନେଇଥିଲେ।

ପରେ ପରେ ଲାହୋର କଂଗ୍ରେସର ନିଷ୍ପତି ଅନୁଯାୟୀ ସେ ସେଣ୍ଟ୍ରାଲ ଆସେମ୍ବଲିରୁ ଇସ୍ତଫା ଦେଲେ ଏବଂ ଲବଣ ସତ୍ୟାଗ୍ରହରେ ଭାଗନେଇ ୬ ମାସ ଯାଏଁ ଜେଲ୍ ଯାଇଥିଲେ। ତେବେ ୧୯୩୪ ରେ ମଧୂସୁଦନଙ୍କ ପରଲୋକ ପରେ ସଂପୂର୍ଣ୍ଣ ଭାର ତାଙ୍କ କାନ୍ଧ ଉପରେ ପଡ଼ିଥିଲା ଏବଂ ମହାତ୍ମାଗାନ୍ଧୀଙ୍କ ପ୍ରଥମ ପର୍ଯ୍ୟାୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସେ ଆୟୋଜନ କରିଥିଲେ। 

୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ମନ୍ୟତା ଲାଭ କଲା ଏବଂ ପଣ୍ଡିତ ନୀଳକଣ୍ଠ ପିସିସି ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ। ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁ ସମୁଦାୟ ୬୦ ଆସନ ମଧ୍ୟରୁ କଂଗ୍ରେସ ୩୬ ଟି ଆସନ ପାଇଥିଲା।

ଓଡ଼ିଶାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ପଣ୍ଡିତ ନୀଳକଣ୍ଠ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଥିଲେ ଏବଂ ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲାା ପରେ ପରେ ଏହି କମିଟିର ସୁପାରିଶ ଅନୁଯାୟୀ ଓଡ଼ିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସେଲର ରୂପେ ନିଯୁକ୍ତି ପାଇଥିଲେ।

୧୯୫୭ ରେ ସେ ପୁନଃ ନିର୍ବାଚିତ ହେଲେ ଏବଂ ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଦାୟିତ୍ୱ ତାଙ୍କୁ ମିଳିଥିଲା। ତେବେ ୧୯୬୭ ମସିହା ନଭେମ୍ବର ୬ ତାରିଖରେ ତାଙ୍କ କର୍ମମୟ ଜୀବନର ଅବସାନ ଘଟିଲା ଏବଂ ରାଜ୍ୟ ଗଠନର ଜଣେ ସଚ୍ଚା ସଂଗ୍ରାମୀଙ୍କୁ ହରାଇଥିଲା ଓଡ଼ିଶା।