• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁନ୍ଦରଗଡ଼(ବିଜୟ ବରୁଆ) : ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହକି ଏନ୍ତୁଡିଶାଳରେ ହକି ମ୍ୟାଚ୍ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ସ୍ୱରୂପ କୌଣସି ଟ୍ରଫି କି ଟଙ୍କା ପୁରସ୍କାର ପ୍ରଦାନ କରାଯାଏନି । ପୁରସ୍କାର ବଦଳରେ ସେମାନଙ୍କୁ ମିଳିଥାଏ ଦେଶୀ ଖାସି ( ଛେଳି ) । ତେବେ ଏଥର ମଧ୍ୟ ଖେଳାଳି ମାନେ ଖାସି ପୁରସ୍କାର ପାଇ ବେଶ ଖୁସି ଆଉ ଆନନ୍ଦ ଉପଭୋଗ କରୁଥିବା ଦେଖିବାକୁ ମିଳୁଥିଲା ।

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲକରାଜୋର ଗ୍ରାମାଚଂଳ ହକି ଟୁର୍ଣ୍ଣାମେନ୍ଟର ଦୃଶ୍ୟ । ହକି ସେମାନଙ୍କ ପାଇଁ କେବଳ ଏକ ଖେଳ ନୁହଁ ଏହା ଜୀବନ ଜୀଇଁବାର ଏକ ମାଧ୍ୟମ । ହକି ଟୁର୍ଣ୍ଣାମେନ୍ଟ ପୂର୍ବରୁ ଢୋଲ , ନିଶାନ, ତାସା , ସହ ନାଗାରା ବାଜା ତାଳେ ତାଳେ ତଥା ନାଚି ନାଚି ଅତିଥିଙ୍କୁ ସ୍ୱାଗତ କରନ୍ତି ଯୁବକ ଯୁବତୀ । ଏ କୌଣସି ଜାତୀୟ କି ଆର୍ନ୍ତଜାତୀୟ ମ୍ୟଚ୍ ନୁହେଁ । ହେଲେ ଗ୍ରାମାଚଂଳରେ ଆୟୋଜିତ ହକି ମ୍ୟାଚର ଦୃଶ୍ୟ ଖୁବ୍ ନିଆରା । ଦୀର୍ଘ ୧୫ ଦିନ ଧରି ଏହି ମ୍ୟାଚ୍ ଆୟୋଜନ ହୋଇଥିବା ବେଳେ ଫାଇନାଲ ଦିନ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

ପଥୁରିଆ ମାଟି ଖେଳ ପଡିଆରେ ଅତି ଉତ୍ସାହର ସହ ଖେଳାଳି ମାନେ ନିଜ ପ୍ରତିଦ୍ୱନ୍ଦୀ ଖେଳାଳିକୁ ପରାସ୍ତ କରିବା ପାଇଁ ଲାଗି ପଡ଼ିଥିଲେ । ଆଉ ଗାଁରେ ଏକ ମହତ୍ସୋବ ଅନୁଷ୍ଠିତ ହେଉଥିବା ଭଳି ସେହି ଗାଁ ତଥା ତାର ନିକଟବର୍ତ୍ତି ଗାଁରୁ ଲୋକ ଛୁଟି ଆସନ୍ତି ମ୍ୟାଚ୍ ଦେଖିବା ପାଇଁ । ଉତ୍ସାହ ଓ ଉଦ୍ଦୀପନା ସହ ଚାଲେ ଏହି ମ୍ୟାଚ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିତିବା ପରେ ଖେଳାଳିଙ୍କୁ କିମ୍ବା ଟିମକୁ କୌଣସି ଟ୍ରଫି କିମ୍ବା ଟଙ୍କା ପ୍ରଦାନ କରାଯାଇ ନଥିଲା । ବରଂ ବିଜେତା ଟିମକୁ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା ଏକ ଖାସି ।

ସୂଚନାଯୋଗ୍ୟ ଚଳିତ ବର୍ଷ ଟୋକିଓ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳ ନିଜର ଚମକ ଦେଖାଇଛନ୍ତି । ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତି ବିଶ୍ୱ ଦରବାରରେ ପୁଣି ନିଜକୁ ପ୍ରତିଷ୍ଠିତ କରିପାରିଛି ଦେଶ । ଆଉ ଏହି ଅଲମ୍ପିକ୍ସରେ ଓଡିଶାର ଦୁଇ ଜଣ ପୁରୁଷ ହକି ଖେଳାଳି ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଆଉ ଏହି ଦୁଇ ଖେଳାଳି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ।