'ଜଗନ୍ନାଥ ଏକ୍ସପ୍ରେସ୍‌ରୁ ଦେଶ ଜାଣିବ ମହାପ୍ରଭୁଙ୍କ ଗାଥା'

ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।

Union Railway Minister Ashwini Vaishnaw announces launch of Jagannath Express

ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର ଲକ୍ଷ୍ୟରେ ଭାରତ ଗୌରବ ପ୍ରକଳ୍ପର ଏହା ହେବ ଅନ୍ୟତମ ପ୍ରମୁଖ ଅଂଶ। ପୂର୍ବରୁ ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଚାଲୁଛି। ଜଗନ୍ନାଥ ଏକ୍ସପ୍ରେସ୍ ହେବ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ବଡ଼ ବାର୍ତ୍ତାବହ, ରହିବ ଭଳିକି ଭଳି ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ। ଜଗନ୍ନାଥ ଏକ୍ସପ୍ରେସ୍‌ର ଚଳାଚଳ ଲାଗି ଡିଜାଇନ୍ ହୋଇସାରିଛି ସ୍ୱତନ୍ତ୍ର ସର୍କିଟ। ଆଗାମୀ ରଥଯାତ୍ରା ପୂର୍ବରୁ ଏହାର ଶୁଭାରମ୍ଭର ଲକ୍ଷ୍ୟ ରହିଛି। ରେଳମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଉଭୟ ଜଗନ୍ନାଥ ପ୍ରେମୀ ଓ ରେଳଯାତ୍ରୀ ସମସ୍ତଙ୍କ ମନରେ ଉତ୍ସାହ ସାଙ୍ଗକୁ ଉତ୍କଣ୍ଠା ବଢିଛି।

ଖାଲି ସେତିକି ନୁହେଁ- ରେଳମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି- ଓଡ଼ିଶାକୁ ବି ଖୁବ୍‌ଶୀଘ୍ର ଦେଶର ଅତି ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବ। ହେଲେ କଟକ-ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ୍ ? ଉତ୍ତରରେ ବୈଷ୍ଣବ କହିଥିଲେ- ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ପ୍ରସ୍ତାବ ଦେଇଥାନ୍ତି। କିନ୍ତୁ ଏଯାଏଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ। ରାଜ୍ୟ ସରକାର ଚାହିଁଲେ, ନିଶ୍ଚେ ଓଡ଼ିଶାରେ ମେଟ୍ରୋ ରେଲ୍ ଗଡ଼ିବ। ତାସହ ମୋଦି ସରକାରଙ୍କ ଅମଳରେ ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି ଓ ରାଜ୍ୟରେ ବାର୍ଷିକ ୨୫ରୁ ୩୦ କିଲୋମିଟର ନୂଆ ରେଳଲାଇନ୍ ବିଛାଯାଉଛି ବୋଲି କହିଥିଲେ ବୈଷ୍ଣବ।

ତେଣେ ରେଳମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି। କହିଛି, ରାଜ୍ୟ ସରକାରଙ୍କ ବହୁ ପ୍ରସ୍ତାବ ରେଳ ମନ୍ତ୍ରଣାଳୟରେ ପଡ଼ି ରହିଛି। ଯାହାର ଆଦୌ କାର୍ଯ୍ୟକାରୀ ହେଉନି। ତାସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦେଖାଇଥିବା ବୁଲେଟ୍ ଟ୍ରେନ୍ ସ୍ୱପ୍ନ କେବେ ସାକାର ହେବ ବୋଲି ପାଲଟା ପ୍ରଶ୍ନ କରିଛି ଦଳ।

ଟ୍ବିନସିଟିରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ ପାଇଁ ଗତ ସେପ୍ଟେମ୍ବର ମାସରେ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପରାଜିତା କହିଥିଲେ-ଭୁବନେଶ୍ୱର ଓ କଟକରେ ଲୋକସଂଖ୍ୟା ୨୦ ଲକ୍ଷ ଟପିଲାଣି, ମେଟ୍ରୋ ରେଲ୍ ଚଲାଇବାକୁ ଆଉ କେତେଦିନ ପ୍ରସ୍ତାବ ନଦେଇ ରାଜ୍ୟ ସରକାର ବସିବେ ?

(ବରଗଡ଼ରୁ ଦୀପକ ଶର୍ମା ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)