• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡିଲା ଚୋରା ପିରତି । ଅକଳରେ ପଡିଲେ ପ୍ରେମୀଯୁଗଳ । ମିଛ ବରଯାତ୍ରୀ ହୋଇ ଆସିଥିଲେ, ହେଲେ ଧରା ପଡ଼ିଗଲେ । ପ୍ରେମିକା ସହ ପୂର୍ବ ଯୋଜନା ମୁତାବକ ଗୋଟିଏ ଘରେ ରାତିରେ ରହିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି କ୍ଲବ ଘରେ ବନ୍ଦୀ ହୋଇ ରହିଲେ । ତେବେ ଜଣେ ପ୍ରେମିକ ବଡ ଭଉଣୀକୁ ବିବାହ କରିଥିବା ବେଳେ ସାନ ଭଉଣୀର ପ୍ରେମିକ ଜୋରିମାନା ଦେଇ ଗାଁରୁ ମୁକୁଳିଛନ୍ତି । ଦୁଇ ଭଉଣୀଙ୍କ ଦୁଇ ପ୍ରେମିକ ହଟହଟା ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି ଏକ ରୋମାଞ୍ଚକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା କାଉପୁର ପଂଚାୟତ ଶିରାପୁର ଗାଁରେ ।

ଗାଁରେ ପଡିଶା ଘରେ ବାହାଘର ହେଉଥିଲା । ବିବାହ ଆଳରେ ଦୁଇ ଭଉଣୀ ନିଜ ନିଜ ପ୍ରେମିକଙ୍କୁ ଆସିବା ପାଇଁ କହିଥିଲେ । ଆଉ ଦୁଇ ପ୍ରେମିକ ମଧ୍ୟ ସୁଯୋଗ ପାଇ ବରଯାତ୍ରୀଙ୍କ ସହ ଆସିଥିଲେ । ଆଉ ସୁଯୋଗ ଦେଖି ଦୁଇ ଭଉଣୀଙ୍କ ସହ ଦୁଇ ପ୍ରେମିକା ଘର ଭିତରକୁ ଯାଇ କଥାବାର୍ତ୍ତାରେ ମସଗୁଲ ଥିଲେ । ତେବେ ଏହି ଖବର କେମିତି କେଜାଣି ଗାଁ ଲୋକଙ୍କ ପାଖରେ ପହଞ୍ଚିଥିଲା । ଉଭୟଙ୍କୁ ଧରିବା ପାଇଁ ଗାଁ ଲୋକ ଘରକୁ ପଶି ଆସିଥିଲେ ।

ଜଣେ ପ୍ରେମିକ ଦୌଡି ପଳାଇଥିଲେ କିନ୍ତୁ ବର୍ଷା ପାଇଁ ବିଲ କାଦୁଅ ହୋଇଥିବାରୁ ଗାଁ ଲୋକଙ୍କ ହାତରେ ଧରା ପଡିଗଲେ ଓ ଅନ୍ୟ ଜଣେ ଘର ଭିତରୁ ହିଁ ଧରା ପଡିଗଲେ । ଗାଁ ଲୋକେ ଦୁଇ ଜଣଙ୍କୁ ଧରି ଉତ୍ତମ ମଧ୍ୟମ ଦେଵା ସହ ଗାଁ କ୍ଲବ ଭିତରେ ପୂରାଇ ଚାବି ପକାଇ ଦେଇଥିଲେ । ତେବେ ବଡ ଭଉଣୀର ପ୍ରେମିକ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ରାଜିନାମା ପରେ ଗାଁରେ ବିବାହ କରିଛନ୍ତି ।

କିନ୍ତୁ ଅପ୍ରୀତିକର ପରିସ୍ଥିତି ସେତେବେଳେ ଉପୁଜିଥିଲା ଯେତେବେଳେ ସାନଭଉଣୀର ପ୍ରେମିକ ଜଣକ ପୂର୍ବରୁ ବିବାହିତ ବୋଲି ଜାଣିଥିଲେ ଗାଁ ଲୋକେ । ସେ ମଧ୍ୟ ପୂର୍ବରୁ ପ୍ରେମ ବିବାହ କରିଛନ୍ତି । ପରେ ରଙ୍ଗ ନମ୍ବରରୁ ସାନ ଭଉଣୀଙ୍କ ସହ ପ୍ରେମ ହୋଇଥିଲା । କିନ୍ତୁ ଗାଁରେ ବାହାଘରକୁ ସୁଯୋଗ ଭାବିଆସିବା ତାଙ୍କ ପାଇଁ କାଳ ସାଜିଲା । ପରେ ତାଙ୍କର ସ୍ତ୍ରୀ ଆସିବା ପରେ ଉତ୍ତେଜନା କମିଥିଲା । ଗାଁ ଲୋକେ ଦ୍ଵିତୀୟ ବିବାହ ପାଇଁ ଅଡି ବସିଥିବା ବେଳେ ମାନସଙ୍କ ସ୍ତ୍ରୀ କିନ୍ତୁ ରାଜି ହୋଇ ନଥିଲେ । ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ୨୦ ହଜାର ଟଙ୍କାର ଜୋରିମାନା ଦେଇ ମାନସ ମୁକୁଳିଥିଲେ । ସେପଟେ ନବ ଦମ୍ପତି ମଧ୍ୟ ଘରକୁ ଫେରିଥିଲେ ।

ପାର୍ଥସାରଥୀ ନାୟକ,ଭଦ୍ରକ