ମୃତ୍ୟୁ ସହ ଲଢି ହାରିଗଲା ଦନ୍ତା ହାତୀ

ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା।

Tusker Death

ଶେଷରେ ଆଖିବୁଜିଲା ଅସ୍ତ୍ରୋପଚାର ହୋଇଥିବା ଦନ୍ତା ହାତୀ। ମୟୂରଭଞ୍ଜ ବେତନଟୀ ରେଞ୍ଜ୍ ମଶିଣାକାଠି ଜଙ୍ଗଲରେ ଠାବ ପରେ ଚିକିତ୍ସା ହୋଇଥିବା ଦନ୍ତାର ମୃତ୍ୟୁ ହୋଇଛି। ଗୋଡ଼ରେ କ୍ଷତ ଯୋଗୁଁ ଟ୍ରାଙ୍କୁଲାଇଜ କରି ଗତକାଲି ଅସ୍ତ୍ରୋପଚାର କରାଯାଇଥିଲା। OUAT ଓ ଶିମିଳିପାଳର ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ହାତୀଟି ସୁସ୍ଥ ଥିବା ବନବିଭାଗ ସୂଚନା ଦେଇଥିଲା।

ହେଲେ ଆଜି ସକାଳେ ତାର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପରେ କାରଣ ସ୍ପଷ୍ଟ କରିନି ବନ ବିଭାଗ। ସୂଚନା ଅନୁଯାୟୀ, ଗୋଠଛଡା ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା। ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା।

କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା। ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା। ତେବେ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।