• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା । ଭୁବନେଶ୍ୱର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ବଢ଼ିଛି ଚିନ୍ତା । ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି । ତାସହ ରୋଗର ଉପସ୍ଥିତି ଜାଣିବାକୁ ନମୁନା ଟେଷ୍ଟିଂ ପାଇଁ ପଠାଯାଇଛି । ସେପଟେ ବିଶ୍ୱର ୧୨ରୁ ଅଧିକ ରାଷ୍ଟ୍ରରେ ମଙ୍କି ପକ୍ସ କୋପ ଦେଖି ସବୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଡ଼ଭାଇଜରି ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବି ହୋଇଛି ସଜାଗ ।

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ଓପିଡିରେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଉଛି । ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ରୋକିବାକୁ ଅଭିଭାବକଙ୍କୁ ବି ପରାମର୍ଶ ଦିଆଯାଉଛି । ଲକ୍ଷଣଯୁକ୍ତ ପିଲାଙ୍କୁ ଆଇସୋଲେସନରେ ରଖିଥିବା କୁହା ଯାଉଛି । ତେବେ ଏଯାଏଁ ରାଜ୍ୟରେ ଟମାଟୋ ଫ୍ଲୁ ଭୂତାଣୁର ଉପସ୍ଥିତି ସ୍ପଷ୍ଟ ହୋଇନି ।

ସେହିପରି କ୍ୟାପିଟାଲ ହସ୍ପିଟାଲକୁ ବି ଗଲା ୧୦ରୁ ୧୫ ଦିନ ହେଲା ଦୈନିକ ଟମାଟୋ ଫ୍ଲୁ ଭଳି ଲକ୍ଷଣ ଥିବା ୫ରୁ ୮ ବର୍ଷର ଛୋଟ ପିଲା ଚିକିତ୍ସା ପାଇଁ ଆସୁଛନ୍ତି । ସେମାନଙ୍କ ପାଟିରେ ଘା ହେଉଛି, ଦେହ ହାତ ଫଳି ଗଲା ଭଳି କୁଣ୍ଡେଇ ହେଉଛି । ସାଧାରଣ ମେଡ଼ିସିନ ଦେଲେ ୨ରୁ ୪ ଦିନରେ ଭଲ ହୋଇଯାଉଛି । ଯେଉଁ ପିଲାଙ୍କୁ ନେଇ ସନ୍ଦେହ ଅଧିକ ରହୁଛି ସେମାନଙ୍କ ନମୁନା ପରୀକ୍ଷା ଲାଗି RMRCକୁ ପଠାଯାଇଛି । ୫ରୁ ୭ ଦିନ ଭିତରେ ରିପୋର୍ଟ ଆସିଲେ ଟମାଟୋ ଫ୍ଲୁର ଉପସ୍ଥିତି ସ୍ପଷ୍ଟ ହେବ ।

ସେପଟେ ମାଡ଼ି ଚାଲିଛି ମଙ୍କି ପକ୍ସ । ବିଶ୍ୱର ୧୨ ଦେଶରେ ଲକ୍ଷଣ ଚିହ୍ନଟ ପରେ ଭାରତରେ ବି ଆଲର୍ଟ । ଯଦିଓ ଏଯାଏଁ ଦେଶରେ ଏହି ଭାଇରସର ଉପସ୍ଥିତି ସ୍ପଷ୍ଟ ହୋଇନି ତଥାପି ସତର୍କ ରହିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ରର ଆଡ଼ଭାଇଜରି ପରେ ଓଡ଼ିଶାରେ ସତର୍କତା । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି-ଏ ନେଇ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ ବା NCDC ପକ୍ଷରୁ ଚିଠି ଆସିଛି ।

NCDC ଦର୍ଶାଇଛି-ଆମେରିକା, ବ୍ରାଜିଲ, ଇଂଲଣ୍ଡ, ଇଟାଲି ଓ ସ୍ବିଡେନ୍ ଭଳି ଦେଶରେ ମଙ୍କିପକ୍ସ ଲକ୍ଷଣଧାରୀ ଅଧିକରୁ ଅଧିକ ଚିହ୍ନଟ ହେଉଛନ୍ତି । ଯେହେତୁ ଏହା ସଂକ୍ରାମକ ରୋଗ ଓ ବିଦେଶରୁ ଲୋକ ଆସୁଛନ୍ତି, ତେଣୁ ସତର୍କ ରହିବା ଆବଶ୍ୟକ । ସବୁ ପ୍ରବେଶ ପଥରେ ବିଦେଶ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ସର୍ଭେଲାନ୍ସ କରାଯିବ ଯଦି କାହାଠି ଫୋଟକା ଓ ଫୋଟକା ଫାଟି ଘା ହେବା ସହ ଜ୍ୱରର ଲକ୍ଷଣ ଥାଏ, ତୁରନ୍ତ ସେମାନଙ୍କ ନମୁନା ସଂଗ୍ରହ କରି ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ବା ଏନ୍ଆଇଭିକୁ ପରୀକ୍ଷା ଲାଗି ପଠାଇବାକୁ କୁହାଯାଇଛି ।

ଆମେରିକାର ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ ବା CDCର କହିବାନୁସାରେ, ୧୯୫୮ରେ ପ୍ରଥମେ ମଙ୍କି ପକ୍ସ ଚିହ୍ନଟ ହୋଇଥିଲା । ୧୯୭୦ରେ ପ୍ରଥମେ ମଣିଷ ଶରୀରରେ ଭୂତାଣୁ ମିଳିଥିଲା ମୂଷା, ଚୁଚୁନ୍ଦ୍ରା ଓ ଗୁଣ୍ଡୁଚି ମୂଷା ଭଳି ଜୀବଙ୍କ ଶରୀରରୁ ଏହା ମଣିଷ ଶରୀରକୁ ଆସିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ପ୍ରଥମେ ଦେହ ହାତରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ । ୪ରୁ ୫ ଦିନ ପରେ ଏଥିରେ ପୂଜ ହୁଏ ଅନେକ ଏହାକୁ ହାଡ଼ଫୁଟି ବୋଲି ଧରି ନିଅନ୍ତି । ୬ରୁ ୧୩ ଦିନ ଏହାର କୋପ ରହେ ତେଣୁ ଆକ୍ରାନ୍ତଙ୍କୁ ପୃଥକ୍ ରଖିବା ସବୁଠୁ ବଡ଼ ପ୍ରତିଷେଧକ ।