ଏକବିଂଶ ଶତାବ୍ଦୀର ପ୍ରଗତି ସ୍ରୋତରେ ନିଜକୁ ସାମିଲ କରି ସ୍ୱାବଲମ୍ବୀ ହେବାରେ ଲାଗିଛନ୍ତି ନାରୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି ମହିଳା। ଅନ୍ୟ ଉପରେ ନିର୍ଭର ନ କରି ନିଜ ଗୋଡରେ ନିଜେ ଛିଡା ହେଉଛନ୍ତି ନାରୀ। ଆଉ ନିଜର ଆନ୍ତରିକ ସ୍ଥିତିକୁ ସୁଦୃଢ ବି କରିବାରେ ଲାଗିଛନ୍ତି। ସେଥିପାଇଁତ ଆଜି ଆମ ସମାଜରେ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।
ଇଛା ଥିଲେ ଉପାୟ ଆପେଆପେ ଆସିଥାଏ,ଏ କଥାର ଏକ ଜୀବନ୍ତ ଉଦାହରଣ ସାଜିଛନ୍ତି ଦମୟନ୍ତୀ ନାଏକ। ପେଶାରେ ସେ ଜଣେ ଅଙ୍ଗନବାଡି କର୍ମୀ। ପାଠ ପଢିବାରେ ଦମୟନ୍ତୀଙ୍କ ଯେତିକି ରୁଚି ରହିଛି, କୁନିକୁନି ପିଲାମାନଙ୍କୁ ଗୀତ ଓ ନାଚ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାରେ ତାଙ୍କର ସେତିକି ଆନନ୍ଦ। ପିଲାଦିନେ ସ୍ୱପ୍ନ ଦେଖିଥିଲେ, ସେ ହେବେ ଜଣେ ଶିକ୍ଷଯିତ୍ରୀ। ହେଲେ ପରିବାରର ଆର୍ଥିକ ଦୁସ୍ଥିତି ତାଙ୍କ ପାଇଁ କିଛି କମ୍ ବାଧାବିଘ୍ନ ସୃଷ୍ଟି କରି ନଥିଲା।
Also Read
ଏବେ ସେ ପାଲଟି ଯାଇଛନ୍ତି ସଂଘର୍ଷର ଅନ୍ୟ ନାଁ। ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ସେ ଆଗକୁ ବଢିଛନ୍ତି। ଅଭାବକୁ ଖୁବ୍ ପାଖରୁ ଦେଖିଛନ୍ତି ଦମୟନ୍ତୀ। କଷ୍ଟକର ପରିସ୍ଥିତି ଭିତରେ ବିତିଛି ତାଙ୍କର ପିଲାଦିନ, କିନ୍ତୁ କେବେ ବି ସେ ହାରିଯାଇ ନାହାନ୍ତି। ନିଜ ପରିବାରର ଆର୍ଥିକ ସ୍ଥିତିକୁ କେମିତି ସୁଧାରିହେବ, ସେଥିପାଇଁ ସବୁ ପ୍ରକାର ଉଦ୍ୟମ କରିଆସିଛନ୍ତି ସେ। ଅନ୍ୟ ଉପରେ ନିର୍ଭର କରି ଚଳିବା ଅପେକ୍ଷା ନିଜେ କେମିତି ସ୍ୱାବଲମ୍ବୀ ହୋଇପାରିବେ, ସେ ଦିଗରେ ସର୍ବଦା ଚେଷ୍ଟା କରିଥାନ୍ତି।
ନିଜ କର୍ତ୍ତବ୍ୟକୁ ସଠିକ୍ ଭାବରେ ତୁଲାଉଥିବା ଦମୟନ୍ତୀଙ୍କ ପାଇଁ ସେତେବେଳେ ବଡ଼ ଚ୍ୟାଲେଞ୍ଜ୍ ଥିଲା ପରିବାରର ଆର୍ଥିକ ସ୍ଥିତିକୁ ହାଲୁକା କରିବା। ହେଲେ ଅଙ୍ଗନବାଡିର ସ୍ୱଳ୍ପ ବେତନରେ ଚାଲିପାରିଲା ନାହିଁ ପରିବାର। ପରିବାର ପ୍ରତିପୋଷଣ ସହିତ ଦୁଇ ପିଲାଙ୍କୁ ମଣିଷ କରିବାର ଦାୟିତ୍ୱ ଦମୟନ୍ତୀଙ୍କ ଉପରେ। ନିଜର କାର୍ଯ୍ୟଦକ୍ଷତା ଉପରେ ଯଥେଷ୍ଟ ଭରସା ବି ଥାଏ। ସେଥିପାଇଁ କେତେକ ଶୁଭାକାଂକ୍ଷୀଙ୍କ ସହ ପରାମର୍ଶ ପରେ ଅଟୋ ଚଳାଇ ରୋଜଗାର କରିବାକୁ ମନସ୍ତ କଲେ ଦମୟନ୍ତୀ।
କେନ୍ଦୁଝର ସହର ରାଜରାସ୍ତା ହେଉ କି ଗଳିକନ୍ଦି ରାସ୍ତା, ସବୁଠି ବେଶ ଚତୁରତାର ସହ ଅତି ନିର୍ଭିକ ଭାବରେ ଅଟୋ ଚଳାଇଥାନ୍ତି ଦମୟନ୍ତୀ। ଯାତ୍ରୀମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ହେଉଛି ତାଙ୍କର ପ୍ରାଥମିକତା। ସେଥିପାଇଁ ତାଙ୍କ ଅଟୋରେ ବସିବା ପାଇଁ ଅନେକ ଯାତ୍ରୀ ପସନ୍ଦ କରିଥାନ୍ତି। ସେ ଚିହ୍ନା ହେଉକି ଅଚିହ୍ନା, ସମସ୍ତଙ୍କୁ ଉତ୍ତମ ବ୍ୟବହାର ଦ୍ୱାରା ଯେମିତି ନିଜର କରିନେଇଥାନ୍ତି ଏହି ଲେଡି ଅଟୋ ଚାଳକ।
ଅଟୋଚାଳକ ଭୂମିକାରେ ନିଜକୁ ସଶକ୍ତ କରିପାରିଛନ୍ତି ଦମୟନ୍ତୀ। ନିଜର ପ୍ରଚେଷ୍ଟା ଏବଂ ପରିଶ୍ରମ ବଳରେ ସେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି। ଆଜି ବିଭିନ୍ନ ଭୂମିକାରେ ଦମୟନ୍ତୀ ସ୍ୱାମୀଙ୍କ ପାଇଁ ସେ ଜଣେ ଆଦର୍ଶ ସ୍ତ୍ରୀ, ପିଲାମାନଙ୍କ ପାଇଁ ଜଣେ ପ୍ରେରଣାଦାୟୀ ମା’, ଆଉ ଆମ ସମାଜ ପାଇଁ ସେ ବନିପାରିଛନ୍ତି ପ୍ରେରଣାର ଉତ୍ସ। ଦମୟନ୍ତୀଙ୍କ ଦୃଢ ମନୋବଳ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି।
ଏଠି ସଂଘର୍ଷ କାମ ଦେଖାଇଛି ଭିନ୍ନ ରୂପରେ ଜଣେ ଆଦର୍ଶ ଅଙ୍ଗନବାଡି ଶିକ୍ଷୟିତ୍ରୀ ଭାବରେ ଯେତିକି ପ୍ରଶଂସା ସାଉଁଟିଛନ୍ତି, ଜୀବନଜୀବିକା ପାଇଁ ଅଟୋ ଚଳାଇ ନିଜର ଆର୍ଥିକ ସ୍ଥିତିକୁ ସେତିକି ମଜବୁତ୍ କରିପାରିଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ଦମୟନ୍ତୀଙ୍କ ନିଷ୍ଠା ଏବଂ କର୍ତ୍ତବ୍ୟପରାୟଣତା ଯୋଗୁଁ। ଯଦି ନାରୀଙ୍କ ପ୍ରତି ସମସ୍ତଙ୍କର ଏଭଳି ସହଯୋଗ, ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ରହେ, ସେ ବି ବନିପାରେ ପ୍ରେରଣା।