• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଲିଗଲେ ବାଘ ଖଇରୀର ମାଆ । ମହାବଳ ବାଘକୁ ପାଳି ଚର୍ଚ୍ଚାରେ ଥିବା ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ ହୋଇଛି । କଟକ ସିଦ୍ଧେଶ୍ୱର ସାହିରେ ଥିବା ଆଶୀର୍ବାଦ ବୃଦ୍ଧାଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଶିମିଳିପାଳ ଅଭୟାରଣ୍ୟର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ସ୍ତ୍ରୀ ହେଉଛନ୍ତି ନିହାର ନଳିନୀ । ସ୍ୱାମୀ-ସ୍ତ୍ରୀ ଖଇରା ନଦୀ କୂଳରୁ ବୁଲୁଥିବା ବେଳେ ଏକ ବାଘ ଛୁଆକୁ ପାଇ ତାକୁ ଘରକୁ ନେଇ ଆସିଥିଲେ ।

୧୯୭୪ ମସିହାରର କଥା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ତଥା ସ୍ୱାମୀ ସରୋଜ ରାୟ ଚୌଧୁରୀଙ୍କ ସହ ଖଇରା ନଦୀ କୂଳରେ ବୁଲୁଥିଲେ ନିହାର ନଳିନୀ । ସେହି ସମୟରେ ଦେଖିବାକୁ ପାଇଥିଲେ ଏକ ବାଘ ଛୁଆକୁ । ତାକୁ ଘରକୁ ଆଣି ପାଳିପୋଷି ବଡ଼ କରିଥିଲେ । ଖଇରା କୂଳରୁ ପାଇଥିବାରୁ ନାଁ ରଖିଥିଲେ ଖଇରୀ । ଧିରେ ଧିରେ ଘରର ସଦସ୍ୟ ବନିଯାଇଥିଲା ଖଇରୀ । 

ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ । ସେ ମଣିଷ ନଥିଲା, ତଥାପି ମଣିଷର ନିରବଚ୍ଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ । ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ।  ପିଲାଠୁ ବୟସ୍କ, ଗାଁରୁ ସହର, ସମସ୍ତଙ୍କ ଭିଡ଼ ଜମୁଥିଲା ଖଇରୀକୁ ଦେଖିବା ପାଇଁ । ୭ ବର୍ଷ ଧରି ଖଇରୀ ମଣିଷ କୋଳରେ ବଢ଼ିଥିଲା ମଣିଷ ଭଳି । ହେଲେ ୧୯୮୧ରେ ଆଖି ବୁଜିଦେଇଥିଲା ଖଇରୀ ।

 ପରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀଙ୍କର ପରଲୋକ ହୋଇଥିଲା । ନିହାର ନଳିନୀ ନିଃସନ୍ତାନ ଥିବାରୁ  ସ୍ୱାମୀଙ୍କ ଦେହାନ୍ତ ପରେ ଏକ ବୃଦ୍ଧାଶ୍ରମରେ ରହୁଥିଲେ । ହେଲେ ସ୍ୱାମୀଙ୍କୁ ସବୁବେଳେ ଝୁରୁଥିଲେ । ଖଇରୀ ସହ ବିତାଇଥିବା ସମୟ ତାଙ୍କ ଜୀବନର  ଅଭୁଲା ସମୟ ଥିଲା ବୋଲି ସେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ କହୁଥିଲେ । ଗତକାଲି ଅପରାହ୍ନରେ ବୃଦ୍ଧାଶ୍ରମରେ ଏହି ସାହସୀ ମହିଳା ନିହାର ନଳିନୀଙ୍କର ପରଲୋକ ହୋଇଯାଇଛି ।  

କଟକରୁ ବିଶ୍ୱଜିତ୍‌ଙ୍କ ରିପୋର୍ଟ