• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯମ ମୁହଁରୁ ଟାଣିଆଣିଲେ ସ୍ୱାମୀର ଜୀବନ । ଅଧା ଅଙ୍ଗ ଦେଇ ଅର୍ଦ୍ଧାଙ୍ଗୀନିର କର୍ତ୍ତବ୍ୟ ପାଳନ କଲେ । ଇହକାଳର ପରକାଳର ଦେବତାଙ୍କ ପାଇଁ ବାଜିରେ ଲାଗିଲା ଜୀବନ । ହେଲେ କୌଣସି ମୁହୂର୍ତ୍ତରେ ସ୍ୱାମୀଙ୍କୁ ଏକୁଟିଆ ହେବାକୁ ଦେଲେନି । ଏବେ ଛବିଲତାଙ୍କ କିଡନୀରେ ବଞ୍ଚିଛନ୍ତି ରଞ୍ଜିତ । ସାବିତ୍ରୀ ବ୍ରତରେ ମହିଳାମାନେ ସ୍ୱାମୀଙ୍କ ପାଇଁ ପୂଜାର୍ଚ୍ଚନା କରି ଶୁଭ ମନାସୁଥିବା ବେଳେ ଏପରି ଜଣେ ସାବିତ୍ରୀ ସତରେ ସମାଜ ପାଇଁ ବିରଳ ।ନିଜ କଥା ଚିନ୍ତା ନକରି ସତ୍ୟବାନଙ୍କୁ ଅଙ୍ଗ ଦେଇ ନିଜର ଶଙ୍ଖାସିନ୍ଦୂରକୁ ସୁରକ୍ଷିତ ରଖିପାରିଛନ୍ତି ।

କଟକ ତେଲେଙ୍ଗା ପେଣ୍ଠ ଅଞ୍ଚଳର ରଞ୍ଜିତ ଭଟ୍ଟ ଓ ଛବିଲତା ଭଟ୍ଟ ।୧୦ ବର୍ଷ ତଳେ ହୋଇଥିଲା ବିବାହ । ମେଡିସିନ ରିପ୍ରେଞ୍ଜେଟେଟିଭ ଚାକିରି କରିଥିବା ରଞ୍ଜିତ କଠିନ ପରିଶ୍ରମ କରି ଘର ଚଳାଉଥିଲେ । ସୁଖେଦୁଃଖେ ଚାଲିଥିଲା ସଂସାର । ହେଲେ ହଠାତ୍ ଦୁଇ ବର୍ଷ ତଳେ ତାଙ୍କ ସୁଖୀ ସଂସାରକୁ ସତେ ଯେମିତି କାହାର ନଜର ଲାଗିଗଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ହେଉ ତାଙ୍କୀ ଦୁଇଟି ଯାକ କିଡନୀ ଅକାମୀ ହୋଇଗଲା । ଘରୋଇ ହସ୍ପିଟାଲରେ ଅଜସ୍ର ଅର୍ଥ ଖର୍ଚ୍ଚ କରି ନିସ୍ୱ ହୋଇଗଲା ପରେ ମଧ୍ୟ ରୋଗ ଭଲ ହେଲାନି । ଡାକ୍ତର କହିଲେ କିଡନୀ ପ୍ରତିରୋପଣ ହିଁ ଏକ ମାତ୍ର ବିକଳ୍ପ ।

ଶେଷରେ ସ୍ତ୍ରୀ ଛବିଲତା ହିଁ ସାଜିଲେ ତାଙ୍କ ସ୍ୱାମୀ ପାଇଁ ସୁରକ୍ଷା କବଚ। ନିଜ ସଂସାର ରଥର ସାରଥୀ ସାଜି ନିଜ ସ୍ୱାମୀଙ୍କୁ କିଡନୀ ଦେଇ ଅର୍ଦ୍ଧାଙ୍ଗିନୀର ଅର୍ଥକୁ ସାକାର କଲେ । ଲୋକେ ଅନେକ ଭୟ ଦେଖାଉଥିଲେ ସୁଦ୍ଧା ସ୍ୱାମୀ ପାଇଁ ସେ କିଛି ବି କରିବାକୁ ରାଜି ଥିଲେ । ଜୀବନ ଯାଉ ପଛେ ଶଙ୍ଖାସିନ୍ଦୂରକୁ ନୂଆ ଜୀବନ ଦେବାକୁ ପଣ କରିଥିଲେ ।

ଏକ ବର୍ଷ ହେଲା ରଞ୍ଜିତଙ୍କ ଶରୀରରେ ଲାଗିଛି ଛବିଲତାଙ୍କ କିଡନୀ । କିଡନୀ ପ୍ରତିରୋପଣ ପରେ ସେ ଏବେ ସୁସ୍ଥ । ତେବେ ଏହା ଭିତରେ ଚାକିରି ନଥିବାରୁ ନିଜ ଘର ଆଗରେ ଏକ ତେଜରାତି ଦୋକାନ କରି ପେଟ ପୋଷୁଛନ୍ତି । ଆଜିର ଦୁନିଆରେ ଟିକିଏ କଥାରେ ସ୍ୱାମୀସ୍ତ୍ରୀ ଙ୍କ ସମ୍ପର୍କ ଭାଙ୍ଗି ଯାଉଥିବା ବେଳେ ପରସ୍ପର ପ୍ରତି ଭଲପାଇବା ଓ ତ୍ୟାଗ ହିଁ ପ୍ରକୃତ ସମ୍ପର୍କ ବୋଲି କହିଛନ୍ତି ରଞ୍ଜିତ ।

ସତୀ ସାବିତ୍ରୀ ସତ୍ୟବାନଙ୍କୁ ଯମ ଠାରୁ ଛଡ଼ାଇ ଆଣିଥିବା କଥା ଆମେ ପୁରାଣରୁ ଶୁଣିଛେ ସତ ହେଲେ ଏ କଳିଯୁଗରେ ଏ ସାବିତ୍ରୀଙ୍କ ତ୍ୟାଗ ନିଶ୍ଚୟ ଅନ୍ୟମାନଙ୍କ ପ୍ରେରଣା ଯୋଗାଇବ ।

କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ