• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ପର୍କ ରକ୍ତର, ସମ୍ପର୍କ ହୃଦୟର । କିନ୍ତୁ ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ନିଜ ପରିବାରକୁ ଜାଣିନଥିଲେ କି ପ୍ରିୟଜନଙ୍କୁ ଚିହ୍ନିନଥିଲେ । ଆଉ ଏତେ ବର୍ଷ ପରେ ଯେତେବେଳେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସି ଜନ୍ମମାଟିରେ ପାଦ ଥାପିଲେ, ସେତେବେଳେ ଜାଣିଲେ ସେ ପ୍ରକୃତରେ କିଏ ? ଏମିତି କିଛି ଆଶ୍ଚଯର୍ୟ, ଚକିତ ଆଉ ମନକୁ ଦୋହଲାଇଦେବା ଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ନିଜ ସ୍ୱାମୀଙ୍କ ସହ ସୁଦୂର ବେଲଜିଅମ୍‌ରୁ ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁଜାପଙ୍ଗା ଗାଁକୁ ଛୁଟି ଆସିଛନ୍ତି ଏଇ ମାଟିର ଝିଅ ମାମିନା । ଆଉ ଏତେ ବର୍ଷ ପରେ ନିଜ ଲୋକଙ୍କୁ ପାଖରେ ପାଇ ଖୁସିରେ ସେ ଆତ୍ମହରା ଆଉ ବିଭୋର ।

କନ୍ଧମାଳ ରାଇକିଆର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ମାମିନା ବେଲଜିଅମ୍ ଗଲେ କେମିତି ? ଏ ପ୍ରଶ୍ନର ଉତ୍ତର ବି ନିହାତି ହୃଦୟ ବିଦାରକ । ଆଜିକୁ ପ୍ରାୟ ୩୦ ବର୍ଷ ତଳେ ଗୁଜାପଙ୍ଗା ଗାଁର କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ ଜନ୍ମ ନେଇଥିଲେ ମାମିନା । କିନ୍ତୁ ଦୁର୍ଭାଗ୍ୟ, ମାମିନା ଜନ୍ମ ନେବାର ମାତ୍ର ତିନି ମାସ ପରେ ଆଖି ବୁଜିଦେଇଥିଲେ ମାଆ । ପରେ ପରିବାରରେ ଦାରିଦ୍ର୍ୟ ଆଉ ଲାଳନପାଳନରେ କଷ୍ଟ ଅନୁଭବ କରି ବାପା କୃଷ୍ଣଚନ୍ଦ୍ର ଝିଅକୁ ବଞ୍ଚାଇବାକୁ ଯାଇ ଜି. ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ମାମିନାକୁ ଛାଡି ଆସିଥିଲେ । ଆଉ ସେଠୁ ମାମିନାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ ବେଲଜିୟମର ଏକ ଦମ୍ପତ୍ତି ।

ମାତ୍ର ୩ ମାସ ବୟସରୁ ଭିଟାମାଟି ଛାଡ଼ି ବେଲଜିୟମରେ ବଢ଼ିଥିବାରୁ ନିଜ ଅତୀତ ସମ୍ପର୍କରେ ଜାଣିବାର ସୁଯୋଗ ନଥିଲା । ହେଲେ କିଛି ବର୍ଷ ତଳେ କାମ୍ବୋଡ଼ଇାକୁ ବୁଲି ଯିବାବେଳେ, ସେଠାରେ କିଛି ଲୋକ ତାଙ୍କୁ ଆଙ୍ଗ୍‌ଲୋ ଇଣ୍ଡିଆନ୍ କି ବୋଲି ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନ ହିଁ ତାଙ୍କ ଅତୀତ ଓ ଇତିହାସ ଖୋଜିବାକୁ ଖୋରାକ୍ ଯୋଗାଇଥିଲା ।

ପରେ ପାଳିତ ପିତାମାତାଙ୍କଠୁ ନିଜ ସମ୍ପର୍କରେ ସୂଚନା ପାଇ ତାଙ୍କ ପରିଚୟ ଜାଣିବାକୁୁ ପୋଷ୍ୟ ସନ୍ତାନଙ୍କ ଉପରେ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଏଗେନଷ୍ଟ୍ ଚାଇଲଡ୍ ଟ୍ରାଫିକିଙ୍ଗ୍ ବା ଆ ସହ ଯୋଗାଯୋଗ କରିଥିଲେ । ଆଉ ସେହି ସଂସ୍ଥାର ଭାରତୀୟ କର୍ମକର୍ତ୍ତା ମୁମ୍ବାଇର ଆଇନଜୀବୀ ଅଞ୍ଜଳି ପାଓ୍ୱାର ହିଁ ମାମିନାଙ୍କ ପରିଚୟ ଖୋଜି ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ପହଞ୍ଚାଇ ଦେବାରେ ସଫଳ ହୋଇଥିଲେ ।

କୁହାଯାଏ ହାତୀ ବନସ୍ତରେ ଥିଲେ ବି ରାଜାଙ୍କର । ସେମିତି ମାମିନା ବେଲଜିଅମ୍‌ର ନାଗରିକ ହୋଇଥିଲେ ବି ସେ କିନ୍ତୁ ଏବେ ଗୁଜାପାଙ୍ଗା ଗାଁର ଝିଅ । ଆଉ ସମୟ ସୁବିଧା ଦେଖି ମଝିରେ ମଝିରେ ନିଶ୍ଚୟ ଘରକୁ ଆସିବେ ବୋଲି ନିଜ ବାପା, ଭାଇ, ଭଉଣୀଙ୍କୁ କଥା ବି ଦେଇଛନ୍ତି ମାମିନା ।