ଏବେ ବି ଶ୍ରୀମନ୍ଦିରରେ ୪୨ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ । ବିମୁଦ୍ରାକରଣ ଯୋଗୁଁ ଶ୍ରୀମନ୍ଦିରରେ ଏବେ ୫ ହଜାର ୯୪୭ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଏବଂ ୧୧୪୭ ଖଣ୍ଡ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇ ରହିଛି । ଫଳରେ ମୋଟ୍ ୪୧ ଲକ୍ଷ ୨୦ ହଜାର ୫୦୦ ଟଙ୍କା ଅଚଳ ହୋଇ ପଡ଼ିରହିଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
Also Read
ଏହାକୁ ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି । ବିମୁଦ୍ରାକରଣ ଦ୍ୱାରା ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର କେଉଁ ମନ୍ଦିରର କେତେ ଟଙ୍କା ଅଚଳ ହୋଇ ରହିଛି ଜଣାଇବାକୁ କଂଗ୍ରେସ ବିଧାୟକ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ ।
ସେପଟେ ଶ୍ରୀମନ୍ଦିର ପକ୍ଷରୁ ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡ । ଏନେଇ ହୋଇଥିବା ବିଡିଂରେ ଟେଣ୍ଡର ପାଇଛି ଏସବିଆଇ । ସର୍ବାଧିକ ୫ ଦଶମିକ ୧୮ ପ୍ରତିଶତ ସୁଧ ହାରରେ ଟେଣ୍ଡର ଜିଣିଛି ଏସବିଆଇ । ଶ୍ରୀମନ୍ଦିର କର୍ପସ ଫଣ୍ଡର ୩୦୬ କୋଟି ୫୦ ଲକ୍ଷ ଟଙ୍କା ଏବଂ ଟେମ୍ପୁଲ ଫଣ୍ଡର ୨୪୨ କୋଟି ୨ଲକ୍ଷ ଟଙ୍କା ସ୍ଥାୟୀ ଜମା ପାଇଁ ଟେଣ୍ଡର ଡକାଯାଇଥିଲା ।
ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ପୂର୍ବରୁ ୫ ଦଶମିକ ୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଡାକି ଫାଉଣ୍ଡେସନ ଫଣ୍ଡର ୧୧୫ କୋଟି ଟଙ୍କା ଜମା ଅଧିକାର ପାଇଥିଲା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଗତ ମାର୍ଚ୍ଚ ୨୩ ତାରିଖରେ ଏହି ନିଷ୍ପତ୍ତି ହୋଇଥିଲା ।
ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଥିଲା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ ।
ପ୍ରତିବର୍ଷ ଏସ୍ବିଆଇ ବ୍ୟାଙ୍କରେ ମାତ୍ର ୩ ପ୍ରତିଶତ ସୁଧହାରରେ ଏହି ଫାଉଣ୍ଡେସନ୍ ଫଣ୍ଡ ଡିପୋଜିଟ ରହୁଥିଲା । ଏଣୁ ଫାଉଣ୍ଡେସନ୍ ଫଣ୍ଡ ଜମା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟେଣ୍ଡର କରାଯାଇଥିଲା । ଯାହାକୁ ହାତେଇଛି ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଠଟି ବ୍ୟାଙ୍କ୍ର ଜେନେରାଲ୍ ମ୍ୟାନେଜରଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏହି ଟେଣ୍ଡର୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ।