ବାତ୍ୟା ଦୁର୍ବଳ, ହେଲେ ଛାଷୀ କୂଳ ଚିନ୍ତାରେ ! ବର୍ଷ ଯାକର ଝାଳ ବୁହା ପରିଶ୍ରମ ଏବେ କ୍ଷେତରେ ଭାସୁଛି

ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ ।

odisha Farmer

ଦୁର୍ବଳ ମୁହାଁ ବାତ୍ୟା କଣ କ୍ଷତି କରିବ, ନକରିବ, ତାହା ତ ସମୟ କହିବ । ଏକଥା କିନ୍ତୁ ସ୍ପଷ୍ଟ, ଅମଳକ୍ଷମ ଫସଲକୁ ସମୂଳେ ବିନାଶ କରିଦେବ ଉପକୂଳରେ । ବାତ୍ୟା ପ୍ରକୋପରେ ସମ୍ଭାବ୍ୟ ପ୍ରବଳ ବର୍ଷା ଉଜାଡ଼ିଦେବ ଚାଷୀର ବର୍ଷକର ଦାନାପାଣି । ଆଜି ସକାଳୁ ଜାରି ରହିଥିବା ପବନ ସହ ଝିପିଝିପି ବର୍ଷା ହିଁ ଏହା ସୂଚାଇ ଦେଇଛି । ବିଶେଷ କରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାରେ ଫସଲହାନୀର ଆଶଙ୍କା ବେଶି ରହିଛି । ଯାହାକୁ ନେଇ ଚାଷୀକୂଳ ଆତଙ୍କିତ । SRC କହିଛନ୍ତି, ବାତ୍ୟା ପରେ ସପ୍ତାହେ ଭିତରେ କ୍ଷୟକ୍ଷତିର ଆକଳନ କରାଯିବ ।

ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ । ଏହା ହେଉଛି ବାତ୍ୟା ଆଖି ପକାଇଥିବା ସେହି ପୁରୀ ଜିଲ୍ଲା ବ୍ରହ୍ମଗିରିର ଜଣେ ଚାଷୀଙ୍କ ଲୁହଭିଜା ନିବେଦନ । କାରଣ କିଏ ମୁଗ ତ କିଏ ବିରି, କିଏ ବାଇଗଣ ତ କିଏ ଧାନ ଚାଷ କରିଥିଲେ ମାଟି ସହ ମାଟି ହୋଇ । ସେହି ହାଡ଼ଭଙ୍ଗା ପରିଶ୍ରମର ଫଳ ଏବେ ଝିପିଝିପି ବର୍ଷାରେ ନଷ୍ଟ ହେବାକୁ ବସିଲାଣି ।

ଦୁର୍ବଳ ହେଉଛି ବାତ୍ୟା, ହେଲେ ଚାଷୀଙ୍କ ବଢ଼ିଛି ଦୁର୍ଦ୍ଦଶା । ସେହି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ବାତ୍ୟା ଜୱାଦ୍‌ର ପ୍ରଭାବରେ ଗତରାତିଠୁ ଜାରି ରହିଥିବା ବର୍ଷା ମାଡ଼ରେ ପାଚିଲା ଧାନକେଣ୍ଡା ଗୁଡ଼ିକ ଶୋଇପଡ଼ିଲାଣି କ୍ଷେତରେ । ଚାରିଆଡ଼େ ଏବେ କେବଳ ପାଣି ଆଉ ପାଣି । 

ପୁରୀ ଜିଲ୍ଲା ପିପିଲି ବ୍ଳକର ପରିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ବର୍ଷ ତମାମ୍ କ୍ଷେତରେ ସୁନାର ଫସଲ ଅମଳ କରି ପରିବାର ପେଟକୁ ଦିମୁଠା ଦାନା ଯୋଗାଡ଼ କରୁଥିବା ଚାଷୀଙ୍କ ଉପାର୍ଜନରେ ଏବେ ବାଧକ ସାଜିଛି ଜୱାଦ୍ । ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଦୃଶ୍ୟ ଦେଖିବାକୁ ଗଲେ ଏକର ଏକର ଜମିରେ ଫଳିଛି ପନିପରିବା । ଏଭଳି ସ୍ଥିତିରେ ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷାକୁ ନେଇ ବଢ଼ିଛି ଚାଷୀଙ୍କ ଚିନ୍ତା ।

କେବଳ ପୁରୀ ଜିଲ୍ଲା ନୁହେଁ, ଆଜିଠୁ ୨ଦିନ ଧରି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ସମ୍ପୂର୍ଣ୍ଣ ଉଜୁଡ଼ିଯିବ ବର୍ଷକର ଦାନାପାଣି । କାରଣ ଅମଳକ୍ଷମ ଫସଲ ଏବେ କ୍ଷେତରେ । ରାୟଗଡ଼ା ଏବଂ ମୟୁରଭଞ୍ଜ ଜିଲ୍ଲାରେ ବି ଅବସ୍ଥା ସମାନ । ତେଣୁ ତରତର ହୋଇ କିଏ ଫସଲ କାଟି ନେଉଛନ୍ତି ତ ଆଉ କିଏ ଖଳାରେ ଅମଳ ଧାନକୁ ପଲିଥିନ୍ ଘୋଡ଼ାଇ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ।

ଦକ୍ଷିଣ, ପୂର୍ବ, ଉତ୍ତର ଉପକୂଳରେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଆଶଙ୍କା କରିଛନ୍ତି । ଧାନ ଓ ପରିବା ଚାଷ ବିଶେଷ ଭାବେ ନଷ୍ଟ ହେବ । ତେବେ ବାତ୍ୟା ପ୍ରଭାବ ସରିବା କ୍ଷଣି ୭ଦିନ ମଧ୍ୟରେ ଫସଲହାନୀର ଆକଳନ କରାଯିବ ବୋଲି କହିଛନ୍ତି SRC ।