• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅନର୍ଗଳ ପଢ଼ାଇ ଚାଲିଛନ୍ତି ଗଣିତ, ବତାଇ ଚାଲୁଛନ୍ତି ଇଂରାଜୀ ବାକ୍ୟ ଗଠନର ଫର୍ମୁଲା । ସାହିତ୍ୟ ହେଉ କି ବିଜ୍ଞାନ, ସବୁ ବିଷୟ ପଢ଼ାଇ ମଜବୁତ କରାଉଛନ୍ତି ପିଲାଙ୍କୁ । କିଏ ଅଷ୍ଟମ ତ ଆଉ କିଏ ନବମ-ଦଶମ ପିଲା ଅଛନ୍ତି । ସେମାନଙ୍କ ପାଠ୍ୟ ଖସଡ଼ା ଅନୁଯାୟୀ, ବୁଝାଇ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ବିଷୟକୁ । ଭଦ୍ରକ ବାସୁଦେବପୁର ବ୍ଲକ ଲୁଙ୍ଗ ପଞ୍ଚାୟତ ନୂଆସାହିର ଭାସ୍କର ମଲ୍ଲିକ । ବୟସ ପାଖାପାଖି ୭୦ ହେଲାଣି। ଜାଣି ଆଶ୍ଚର୍ଯ୍ୟ ହେବେ ଦୄଷ୍ଟିଶକ୍ତି ନଥାଇ ବି ପିଲାଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । କେତେବେଳେ ଗପ ଓ କାହାଣୀ ଶୁଣାଇ ତ ଆଉ କେତେବେଳେ ଗୀତ ଗାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ଜଟିଳ ପାଠ । 

ଭାସ୍କର ସାରଙ୍କ ଜୀବନୀ ବି ବଡ଼ ଚମତ୍କାର । ସେଦିନର ମେଧାବୀ ଛାତ୍ର ଭାସ୍କର ୧୯୮୦ରେ ଭଦ୍ରକ କଲେଜରୁ ଏକାଦଶ ପାସ୍ ପରେ ଭୁବନେଶ୍ୱର ବିଜେବିରେ ବାଣିଜ୍ୟରେ ପିଜି କରୁଥିଲେ । ଏହି ସମୟରେ ଚାଲିଗଲା ତାଙ୍କ ଦୄଷ୍ଟିଶକ୍ତି । ସ୍ୱପ୍ନ ଆଉ ଆଶା ସବୁ ପାଣିରେ ମିଳେଇଗଲା । ତେଣୁ  ଗାଁକୁ ଫେରି ଆସିଥିଲେ। ଶେଷରେ ନିଷ୍ପତ୍ତି ନେଲେ ଆଖପାଖ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ସେହି ଶିକ୍ଷାଦାନର ଝୁଙ୍କ ଭିତରେ ଆଜି ବିତିଯାଇଛି ୩୪ ବର୍ଷ। ଭାସ୍କର ସାରଙ୍କ ଅଗଣା ସାଜିଛି ଚାଟଶାଳୀ । ଯାହାଙ୍କଠୁ ପାଠପଢ଼ି ଅନେକ ଆଜି ବଡ଼ ମଣିଷ ହୋଇଛନ୍ତି । ଯିଏ ଯାହା ଖୁସିରେ ପାରିଶ୍ରମିକ ଦେଲେ ଗ୍ରହଣ କରୁଛନ୍ତି । 

ଇଚ୍ଛା ଆଉ ଆବେଗ ଅଛି ବୋଲି ପିଲାଙ୍କୁ ସ୍ୱପ୍ନର ବାଟ ଦେଖାଇବା ପାଇଁ ନିଇତି ଏଭଳି ପାହାଡ଼ ଚଢ଼ିଯାଉଥିବା ଏ ହେଲେ କଳେବର ମହାନ୍ତ । ଜଙ୍ଗଲି ରାସ୍ତା ଭିତରେ ଜୀବଜନ୍ତୁଙ୍କ ପ୍ରତି ଭୟ ନାହିଁ କି ଦୁର୍ଗମ ପଥକୁ ଖାତିର ନାହିଁ । କାରଣ ଏହି ପାହାଡ଼ ପଟେ ତାଙ୍କୁ ଅନାଇ ରହିଛି ଅନ୍ଧାରୀ ମୂଲକର ଗାଁ ଉପର କାଦକଳା। କେନ୍ଦୁଝର ବାଂଶପାଳ ବ୍ଲକ ଏହି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ କଳେବର ଆଦିବାସୀ ପିଲାଙ୍କ 

ପାଇଁ ସେ ସାଜିଛନ୍ତି ଶିକ୍ଷାର ବିନ୍ଧାଣି । 

ୟେ ବି ଜଣେ ଗୁରୁ । ହେଲେ ହାତରେ ନାହିଁ ବହି, ଖଡ଼ି କି କଲମ । ଖଣ୍ଡିଏ ହକି ଷ୍ଟିକ୍ ଧରି ଶୁଖିଲା ମୈଦାନରେ ତିଆରି କରିଛନ୍ତି ଅନେକ ଉଜ୍ଜଳ ତାରିକା । ନୀଳିମା ମିଞ୍ଜ ହୁଅନ୍ତୁ ଅବା ଅନୁପା ବାର୍ଲା । ଏକାଧିକ ହକି ତାରକା ଗଢ଼ା ହୋଇଛନ୍ତି ତାଙ୍କ ହାତରେ । ରାଜଗାଙ୍ଗପୁର କୁକୁଡ଼ା ଗାଁର ଡୋମନିକ୍ ଟପ୍ପୋ । ବୟସ କହିଲେ ପ୍ରାୟ ୭୪ ବର୍ଷ। ଟିକେ ବି ଥକିନାହାନ୍ତି, କି ବୟସ ଆଗରେ ହାରିନାହାନ୍ତି । ଅର୍ଥାଭାବ ସହ ନାନା ପ୍ରତିବନ୍ଧକ ପାଇଁ ସିନା ସେ ନଖେଳିପାରିଲେ ନାହିଁ, କିନ୍ତୁ ଅଞ୍ଚଳର ଝିଅଙ୍କୁ ହକିଶିକ୍ଷା ଦେଇ ଆଜି ସେ ପାଲଟିଛନ୍ତି ଦ୍ରୋଣାଚାର୍ଯ୍ୟ। ତା’ପୁଣି ବିନା ପାଉଣାରେ। କାହା ପାଇଁ ପାଉଣା ତୁଚ୍ଛ ହୋଇଛି ତ ଆଉ କାହା ଆଗରେ ବୟସ ହାର ମାନିଛି । ତେଣୁ ସବୁରି ମୁହଁରେ ଗୋଟିଏ କଥା, ଗୁରୁ ହେବ ତ ଏମିତି।

  • Reported by:
  • Chinmaya Sahoo , Suryadoya Biswal

OTV is now on Whatsapp

Join and get latest news update delivered to you via whatsapp

Join Now