ଦୁନିଆର ସବୁଠାରୁ ଭୟଙ୍କର ରାସ୍ତା ହେଲେ ଦେଖିବାକୁ ବହୁତ ସୁନ୍ଦର

ଦୁନିଆରେ ଅନେକ ଭିନ୍ନ ଭିନ୍ନ ସଡକ ରହିଛି ଯେଉଁ ରାସ୍ତା ଦେଇ ଯାତାୟତ କରିବା ବେଶ୍‌ ଆରାମଦାୟକ । କିନ୍ତୁ କିଛି ରାସ୍ତା ଏଭଳି ବି ରହିଥାଏ, ଯେଉଁଥିରେ ଚାଲିବା ଜୀବନକୁ ବିପଦରେ ପକାଇବାଠାରୁ କମ ନୁହେଁ । ସେହିଭଳି ଏକ ରାସ୍ତା ସ୍ପେନ୍ ରେ ରହିଛି । ଏହି ରାସ୍ତା ୧୧୦ ବର୍ଷର ପୁରୁଣା । ତେବେ ଏତେ ଭୟଙ୍କର ରାସ୍ତା ଏହା କିପରି ହେଲା ? କଣ ଏହି ରାସ୍ତାର ନାଁ ? ଚାଲନ୍ତୁ ଜାଣିବା

Caminito del rey, foot bridge

News Summary

୧୧୦ ବର୍ଷର ପୁରୁଣା ନିଆରା ରାସ୍ତା

୧୧୦ ବର୍ଷ ପୁରୁଣା ଏକ ନିଆରା ରାସ୍ତା । ଯାହାର ନାଁ ‘କେମିନିଟୋ ଡେଲ୍‌ରେ’ ମାର୍ଗ । ଏହି ରାସ୍ତାଟି ରହିଛି ସ୍ପେନ୍‌ର ମଲାଗା ଅଞ୍ଚଳରେ ଥିବା ଏଲ ଚୋରୋ ପାହାଡରେ । ଏହି ମାର୍ଗକୁ କିଙ୍ଗସ୍‌ ପାଥ୍‌ ୱେ ବୋଲି ମଧ୍ୟ କୁହାଯାଏ । କୁହାଯାଏ ଏହା ଦୁନିଆର ସବୁଠାରୁ ଭୟଙ୍କର ରାସ୍ତା ମଧ୍ୟରୁ ଗୋଟିଏ । ଏଠାରେ ମୃତ୍ୟୁ ମଧ୍ୟ ଆମ ସାଙ୍ଗରେ ଚାଲିଥାଏ ବୋଲି କୁହନ୍ତି ସ୍ଥାନୀୟ ଲୋକମାନେ । ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ଭୁଲବଶତଃ ମୃତ୍ୟୁ ମୁଖକୁ ମଧ୍ୟ ଯାଇପାରନ୍ତି ।

ଏହି ରାସ୍ତାକୁ ୧୯୦୫ରେ ଦୁଇଟି ହାଇଡେ୍ରାଇଲେକ୍ଟ୍ରିକ୍‌ ପାୱାର ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକମାନଙ୍କ ଯାତାୟତ ପାଇଁ ନିର୍ମାଣ କରାଯାଇଥିଲା । ୨୦୦୦ ମସିହାରେ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା । କାରଣ ଏହି ରାସ୍ତାର ଯିବା ସମୟରେ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଯ।ଇଥିଲା । କିନ୍ତୁ ୨୦୧୧ରୁ ୨୦୧୪ ମଧ୍ୟରେ ଏହି ରାସ୍ତାର ମରାମତି କାମ କରାଯାଇଥିଲା । ଆଉ ୨୦୧୪ରେ ଏହାକୁ ପୁଣିଥରେ ଖୋଲି ଦିଆଯାଇଥିଲା । ଏହାପରେ ବି ଏହି ରାସ୍ତାରେ ଯାତାୟତ କରିବା କୌଣସି ଭୟଙ୍କର ଏକ୍ସପେରିଏନ୍ସଠାରୁ କମ୍‌ ନୁହେଁ । ଏହି ରାସ୍ତା ୩ କିମି ଲମ୍ବା, ୧୦୦ ମିଟର ଉଚ୍ଚ କିନ୍ତୁ ମାତ୍ର ୧ ମିଟର ଚଉଡା । ଏଠାରେ ଏକ ଗୁମ୍ଫା ରହିଛି ଯାହା ଏହି ରାସ୍ତାର ସବୁଠାରୁ ପ୍ରାଚୀନ ସନ୍ଧାନ ।

ବିଶେଷଜ୍ଞଙ୍କ ମତରେ ଏହି ଗୁମ୍ଫା ପାଖାପାଖି ୭ହଜାର ବର୍ଷ ପୁରୁଣା । ଏହି ରାସ୍ତା ନିର୍ମାଣର କାମ ୧୯୦୧ରୁ ୧୯୦୫ ଯାଏଁ ଚାଲିଥିଲା । ଏହି ରାସ୍ତା ଦେଇ ଯିବା ସମୟରେ ସ୍ଥାନେ ସ୍ଥାନେ ଆପଣଙ୍କୁ ଜୁରାସିକ ଯୁଗର ଜୀବାଶ୍ମ ମଧ୍ୟ ମିଳିଯିବ । ଏଠାରେ ତିନୋଟି ଘାଟି ରହିଛି । ଆଉ ସେଥିମଧ୍ୟରୁ ଜିତାନ ଘାଟି ସବୁଠାରୁ ଭିନ୍ନ ଓ ଭବ୍ୟ । ଏହି ରାସ୍ତା ଦେଇ ଯାଉଥିବା ଆଡଭେନ୍‌ଚର ଲୋକମାନେ ମତ ଦିଅନ୍ତି ଯେ, ଏହି ରାସ୍ତା ଦେଇ ଯିବା ସମୟରେ ବେଶ୍‌ ସାବଧାନତା ଅବଲମ୍ବନ କରିବା ସହ ତଳକୁ ନ ଦେଖିବା ସୁରକ୍ଷିତ ।

Caminito del rey, foot bridge

୧୯୨୧ରେ ରାଜା ଆଲଫୋନଜୋ ୧୩ ଏହି ରାସ୍ତା ଦେଇ ଏକ ଡ୍ୟାମର ଉଦଘାଟନୀ ପାଇଁ ଯାଇଥିଲେ । ଆଉ ସେବେ ଠାରୁ ଏହି ରାସ୍ତାର ନାଁ ‘କିଙ୍ଗସ୍‌ ପାଥ୍‌ ୱେ’ । ତେବେ ଏହି ରାସ୍ତାର ପୁନରୁଦ୍ଧାର ପରେ ମଧ୍ୟ ଏହି ରାସ୍ତାର ଡିଜାଇନରେ କୌଣସି ପରିବର୍ତ୍ତନ ଅଣାଗଲା ନାହିଁ । କାରଣ ଏହାର ଡିଜାଇନ ଏହି ଏହି ସ୍ଥାନର ପରିଚୟ ପାଲଟିଯାଇଥିଲା । ୨୦୧୫ରେ ଏହାକୁ ଦୁନି‌ଆର ଆକର୍ଷଣୀୟ ସ୍ଥାନ ମଧ୍ୟରେ ସ୍ଥାନିତ କରାଯାଇଥିଲା ।

୧୯୬୦ରେ ଏହି ଫୁଟ ବ୍ରିଜ୍‌ ଉପରେ ସେଣ୍ଟ ଅଫ୍‌ ମିଷ୍ଟ୍ରୀ ନାଁରେ ଏକ ଫିଲ୍ମର ସୁଟିଂ ହୋଇଥିଲା । ଯାହା ବେଶ୍‌ ଆକର୍ଷଣୀୟ ହୋଇଥିଲା । ୧୯୬୫ରେ ଭନ୍‌ ରାନଙ୍କ ଏକ୍ସପେ୍ରସ୍‌ ଫିଲ୍ମ ମଧ୍ୟ ସୁଟ୍‌ ହୋଇଥିଲା । କେବଳ ସେତିକି ନୁହେଁ ଏହି ଫୁଟ୍‌ ବ୍ରିଜ୍‌ ଦେଇ ଆହୁରି ଅନେକ ହଲିଉଡ ଫିଲ୍ମ ସୁଟିଂ ମଧ୍ୟ ହୋଇଛି । ତେବେ କେହି କେହି ଏହି ରାସ୍ତାକୁ ମୃତ୍ୟୁର ରାସ୍ତା ବୋଲି ମଧ୍ୟ କହିଥାଆନ୍ତି । ଆଉ କେହି କେହି କୁହନ୍ତି ଯେ, ପ୍ରକୃତିକୁ ମଣିଷ ସହ ଯୋଡିବାର ଏହାର ସବୁଠାରୁ ଭୟଙ୍କର ମାଧ୍ୟମ । ଏହାକୁ ସାଧାରାଣ ଭାବେ ଦେଖିଲେ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ଏହାର ଆଖପାଖର ପରିବେଶର ସୁନ୍ଦରତା ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ ।

Caminito del rey, foot bridge

ଏହି ବ୍ରିଜରୁ ତଳକୁ ଦେଖିବା ଭୟଙ୍କର ହୋଇପାରେ । କିନ୍ତୁ ଏହା ତଳେ ଭରି ରହିଛି ଅପରୂପ ପ୍ରାକୃତିକ ସୁନ୍ଦରତା । ଯାହା ବେଶ୍‌ ମନମୁଗ୍ଧକର । ଘାଟି, ବହୁଯାଉଥିବା ନଦୀ, ପୋଖରୀ ଇତ୍ୟାଦି ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ ବନାଇଦିଏ । ବର୍ତ୍ତମାନ ଏହି ରାସ୍ତାର ଦାୟିତ୍ୱରେ ରହିଛନ୍ତି ସେଠାକାର ସ୍ଥାନୀୟ ସରକାର ଓ ପ୍ରଶାସନ । ତେବେ ଭୟଙ୍କର ହେଲେ ମଧ୍ୟ ଆଡଭେନଚର ପ୍ରିୟ ଲୋକମାନଙ୍କ ପାଇଁ ଏହି ସ୍ଥାନ କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ ।