ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର, ପାନୀୟ ଜଳ ସମସ୍ୟା ଆଶଙ୍କା

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି ତାର ବହୁଗୁଣା ସମସ୍ୟାର କାରଣ ପାଲଟିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।

kolab dam

News Summary

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର

କୋରାପୁଟ: କୋରାପୁଟ ଜିଲ୍ଲାର ଅପର କୋଲାବ ଜଳବନ୍ଧ ଯୋଜନା । ମରୁଡି ପ୍ରଭାବିତ ଜୟପୁର ଅଚଂଳକୁ ସୁଜଳା ସୁଫଳା କରିବାକୁ ଯୋଜନାର ଥିଲା ରୂପରେଖ । କୋରାପୁଟ, ସୁନାବେଡ଼ା ଓ ଦାମନଯୋଡ଼ି ଅଂଚଳରେ ଅନେକ ମାତ୍ରାରେ ଜଳକଷ୍ଟ ମଧ୍ୟ ଦୂର କରିଛି ଏହି ପ୍ରକଳ୍ପ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପୋତି ହେବାକୁ ବସିଛି କୋଲାବ ଜଳଭଣ୍ଡାର । ଜଳଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି ।

କୋଲାବ ଜଳଭଣ୍ଡାର ଉଭୟ ପାର୍ଶ୍ୱରେ ରହିଛି ଏକାଧିକ ଗାଁ । ଏଠାରେ ବସବାସ କରୁଥିବା ଲୋକେ ଜୀବୀକା ପାଇଁ ପୋଡୁଚାଷ କରି ଆସୁଛନ୍ତି । ବର୍ଷାଦିନେ ପୋଡୁଚାଷ ଯୋଗୁଁ ମୃର୍ତ୍ତିକା କ୍ଷୟ ହୋଇ ଜଳଭଣ୍ଡାରରେ ଜମା ହେଉଥିବା କହିଛନ୍ତି ବିଶେଷଜ୍ଞ । ଉପରମୁଣ୍ଡରେ ବର୍ଷା ହେଲେ ଜଙ୍ଗଲ ନଥିବାରୁ ଜଳଭଣ୍ଡାର ଭିତରକୁ ପାଣି ସହ ମାଟି ପଶି ଆସୁଛି ।

ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମିବାରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ନାଲକୋ ଏବଂ ହାଲ୍(HAL)କୁ ଏଠାରୁ ପାଣି ଯୋଗାଣ ହେଉଥିବାରୁ ଅନେକ ସମୟରେ ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଏହାସହ ପାହାଡରୁ ବର୍ଷା ପାଣିରେ ଆସୁଥିବା ମାଟି ଅଧିକ ମାତ୍ରାରେ ଜଳଭଣ୍ଡାରରେ ପଶୁଥିବାରୁ ଜଳଧାରଣ କ୍ଷମତା କମିଯିବ ବୋଲି ମତପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ସେପଟେ ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି କୋରାପୁଟ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ମାଟି ଜମିବା ଘଟଣାକୁ ସ୍ୱୀକାର କରିବା ସହ ପରିସ୍ଥିତି ଏତେ ବିପଜ୍ଜନକ ନୁହେଁ ବୋଲି କହିଛନ୍ତି । ବିପଦ ନଆସୁଣୁ ଜଳଭଣ୍ଡାର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି